No Result
View All Result
ଆଜିଠାରୁ ସାରା ଦେଶରେ ନେତାଜୀଙ୍କର ୧୨୫ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭ ହୋଇଛି
ଓଡିଶା ତାଜା ନ୍ୟୁଜ୍ (୨୩ ଜାନୁଆରୀ,ଶନିବାର )କଟକ :- ଆଜି ଭାରତୀୟ ମୁକ୍ତି ସଂଗ୍ରାମର ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପବିତ୍ର ଜନ୍ମ ଦିବସ । ଆଜିଠାରୁ ସାରା ଦେଶରେ ନେତାଜୀଙ୍କର ୧୨୫ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭ ହୋଇଛି । ଏହି ଅବସରରେ ନେତାଜୀଙ୍କୁ ତାଙ୍କର ଜନ୍ମସ୍ଥାନ କଟକରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓଡିଆବଜାରସ୍ଥିତ ନେତାଜୀଙ୍କର ଜନ୍ମସ୍ଥାନ ଜାନକୀନାଥ ଭବନକୁ ଯାଇ ରାଜ୍ୟବାସୀଙ୍କ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନର ଅଂଶସ୍ବରୂପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଖାନନଗର ଠାରେ କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନେତାଜୀ ଏହି କଟକ ମାଟିର ପୁଅ ।

ଏହି କଟକରେ ଜନ୍ମ ହୋଇଥିଲେ ଓ ବଡ ମଧ୍ୟ ହୋଇଥିଲେ । ଏହି କଟକ ମାଟି ତାଙ୍କୁ ସେବା ଓ ସଂଗ୍ରାମର ମନ୍ତ୍ରରେ ଦୀକ୍ଷିତ କରିଥିଲା । ତେଣୁ ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବରେ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଯେତେବେଳେ ବି ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇଛନ୍ତି, ସେତେବେଳେ ସେ ଭାବୁକ ହୋଇଯାନ୍ତି । ଦେଶ ପାଇଁ ଓ ଜାତି ପାଇଁ ନେତାଜୀଙ୍କ ଅସୀମ ତ୍ୟାଗକୁ କେହି କେବେ ଭୁଲିପାରିବ ନାହିଁ ବୋଲି ସେ କରିଥିଲେ । ଭାରତର ସ୍ବାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ନେତାଜୀଙ୍କ ଦେଶଭକ୍ତି ଓ ସାହସ ଭାରତ ଇତିହାସରେ ଏକ ଗୌରବମୟ ଗାଥା ହୋଇ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
No Result
View All Result