ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର ) ହିଞ୍ଜିଳିକାଟୁ:- ଦଶହରା ବା ଦୁର୍ଗାପୂଜାର ପ୍ରାୟ ୨ ସପ୍ତାହ ପୂର୍ବରୁ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ସାଜସଜ୍ଜା ସାମଗ୍ରୀର ପସରା ଖୋଲାଯାଇଥାଏ । ସ୍ଥାନୀୟ ପୌରାଂଚଳର ବିଭିନ୍ନ ହୋଲସେଲ ବଜାର ଠାରୁ ଆରମ୍ଭ କରି ଲକ୍ଷ୍ମୀ ବଜାର, ମୁଖ୍ୟ ସଡ଼କ ଓ ରାସ୍ତାକଡ଼ ଖୁଚୁରା ଦେକାନୀ ଏପରିକି ବାହାର ଅଂଚଳରୁ ଆସିଥିବା ଯାଯାବର ଶ୍ରେଣୀର ବ୍ୟବସାୟୀ ମାନେ ବ୍ରବସାୟ ସକାଶେ ପ୍ରସ୍ତୁତ ହୋଇଥାନ୍ତି । ହେଲେ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଅନ୍ୟାନ ପର୍ବ ପରି ଦଶହରା ବା ଦୁର୍ଗପୂଜାରେ ମଧ୍ୟ ସେମାନଙ୍କ ବ୍ୟବସାୟ ସମ୍ପୁର୍ଣ୍ଣ ମାନ୍ଦା ଦେଖାଦେଇଛି । ପ୍ରଥମେ ତ କରୋନା ସଙ୍କଟ ପୁଣି ବାରମ୍ବାର ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ସାଜସଜ୍ଜା ସାମଗ୍ରୀର ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଥିଲେ ମଧ୍ୟ ଆଶାନୁରୂପ ବ୍ୟବସାୟ ନହେବା ଯୋଗୁଁ ବ୍ୟବସାୟୀ ମାନେ ଚିନ୍ତାରେ ପଡ଼ିଛନ୍ତି ।ଦଶହରା ବେଳକୁ ନିଜ ନିଜ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଯାନବାହାନ ଗୁଡ଼ିକ ପୂଜା ପୂର୍ବରୁ ସଜାଇଥାନ୍ତି ଲୋକେ । ଏଥି ସକାଶେ ବିଭିନ୍ନ ସାଜସଜ୍ଜା ସାମଗ୍ରୀ ପ୍ରତିଷ୍ଠାନ ଗୁଡ଼ିକରେ ଭିଡ଼ ଜମିବା ସହ ବ୍ୟବସାୟ ଜୋର ଧରିଥାଏ ।
ଏଥି ସକାଶେ ସ୍ଥାନୀୟ ଅଂଚଳର ସାଜସଜ୍ଜା ସାମଗ୍ରୀର ବ୍ୟବସାୟୀଙ୍କ ସମେତ କଟକ ଓ ଆନ୍ଧ୍ରପ୍ରଦେଶ ଅଂଚଳରୁ ବହୁ ବ୍ୟବସାୟୀ ଆସି ଅସ୍ଥାୟୀ ବ୍ୟବସାୟିକ ପ୍ରତିଷ୍ଠାନର ପସରା ମେଲାଇଥାନ୍ତି । ପ୍ଳାଷ୍ଟିକରେ ତିଆରି ବିଭିନ୍ନ ରକମର ଫୁଲମାଳ ସାଙ୍ଗକୁ ମୋତି ମାଳ, କୁଂଚ, ମୟୁର ପୁଚ୍ଛ, ଠାକୁର ଚିତ୍ର ଥିବା ପ୍ଳାଷ୍ଟିକର ପତ୍ର ମାଳ, କୁମ୍ଭ, କଳସୀ ମାଳ ଆଦି ବେଶ ବିକ୍ରିବଟା ହୋଇଥାଏ । ସାଧାରଣତଃ ସାଜସଜ୍ଜା ସାମଗ୍ରୀର ଦର ୨୦ରୁ ୨୦୦ ଟଭ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ବିଭିନ୍ନ ଡ଼ିଜାଇନର ଦାମିକା ସାମଗ୍ରୀ ଗୁଡ଼ିକ ୨୦୦ ଟଙ୍କାରୁ ଆରମ୍ଭ ହୋଇ ପ୍ରାୟ ୧ହଜାର ଟଙ୍କା ପର୍ଯ୍ୟନ୍ତରେ ବିକ୍ରୀ ହୋଇଥାଏ । ତେବେ ଚଳିତ ବର୍ଷ ବେପାରୀଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ୍ୟ ହୋଇଛି । ଗୋଟିଏ ପଟେ କରୋନା କଟକଣା ଯୋଗୁଁ ବିକ୍ରିବଟା ମାନ୍ଦା ପଡ଼ିଥିବା ବେଳେ ଅନ୍ୟପଟେ ଲଘୁଚାପ କାରଣରୁ ବର୍ଷା ଯୋଗୁଁ ବେପାର ସ୍ଥିତି ମାନ୍ଦାବସ୍ଥା ଦେଖାଦେଇଛି । ସାଜସଜ୍ଜା ସାମଗ୍ରୀର ପସରା ମେଲାଇ ବସିଥିଲେ ମଧ୍ୟ ଆଶାନୁରୂପ ବ୍ୟବସାୟ ହେଉନଥିବା ନେଇ ବହୁ ବ୍ୟବସାୟୀ କହିଛନ୍ତି । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )














