ଓଡ଼ିଶା ତାଜା ନ୍ୟୁଜ୍ (୧୫ ଅକ୍ଟୋବର ଗୁରୁବାର ) ହିଞ୍ଜିଳି :- ରାଜ୍ୟ ସରକାରଙ୍କ ପାନୀୟ ଜଳ ଏବଂ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ୨୦-୨୧ ନିମନ୍ତେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପାଇଁ ଗୁରୁବାର ଗଞ୍ଜାମ ଜିଲ୍ଲାରେ ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ହିଞ୍ଜିଳି ବ୍ଲକ ଖରିଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ରଘୁନାଥ ବେହରାଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ଚଳିତ ଆର୍ଥିକ ବର୍ଷରେ ସମ୍ପୃକ୍ତ ପଞ୍ଚାୟତର ବିକାଶ ଯୋଜନାରେ ଗୋଷ୍ଠୀ ଭିତ୍ତିକ ପ୍ରକଳ୍ପରେ ଗ୍ରାମ୍ୟ ରାସ୍ତା,ଗ୍ରାମ୍ୟ ବିଦ୍ୟାଳୟ ଗୁଡିକର ରକ୍ଷଣାବେକ୍ଷଣ, ପାଇପ ଲାଇନ ଜରିଆରେ ପାନୀୟ ଜଳଯୋଗାଣ ସ୍ବେରେଜ ଏବଂ ପରିମଳ ବ୍ୟବସ୍ଥା ଆଦି ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ନାଏବ ସରପଞ୍ଚ ମଞ୍ଜୁ ରାଉଳ, ଧୋବୁଣି ବେହରା, କିରଣ କୁମାର ମୁନୀ, ମନ୍ଦାକିନୀ ମୁଦୁଲି, ଅଙ୍ଗନବାଡି ଏବଂ ଆଶା କର୍ମୀ ଉପସ୍ଥିତ ଥିଲେ । ସେହିପରି ହିଞ୍ଜିଳିବ୍ଲକ ରେ ଅନ୍ୟାନ୍ୟ ୨୦ଟି ପଞ୍ଚାୟତ ରେ ମଧ୍ୟ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି । (ଶୁସାନ୍ତ ପ୍ରଧାନ)














