ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ସମ୍ୱିଧାନ ଦିଵସ ଉପଲକ୍ଷେ “ଭୋଟ ଦେବାର ଅଧିକାର, ପ୍ରତିବାଦ କରିବାର ଅଧିକାର ଓ ଜୀବିକାର ଅଧିକାରକୁ ପୁନଃପ୍ରତିଷ୍ଠା କର – ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ” ଆହ୍ୱାନକୁ ନେଇ ପ୍ରତିଵାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ପୁନଃନିରୀକ୍ଷଣ (SIR) ନାମରେ ଚାଲିଥିବା ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରକୁ ସଙ୍କୁଚିତ କରିବା ଓ ଭୋଟ ଅଧିକାର ଉପରେ ଆକ୍ରମଣର ପ୍ରତିବାଦ କରିବା ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ପିପୂଲ୍ ଏଗେନଷ୍ଟ ଏସ ଆଇ ଆର୍/ PEOPLE AGAINST SIR ତରଫରୁ ଭୁବନେଶ୍ୱରେ ଠାରେ ଅନୁଷ୍ଠିତ ପ୍ରତିବାଦ କାର୍ଯ୍ଯକ୍ରମ ରେ ସମ୍ବିଧାନର ମୌଳିକ ଅଧିକାର, ନାଗରିକ ସ୍ୱାଧୀନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାର୍ବଜନୀନ ମତଦାନ ଅଧିକାରର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଗଣତନ୍ତ୍ରରେ ନିର୍ବାଚନ କେବଳ ଏକ ଆନୁଷ୍ଠାନିକ ପ୍ରକ୍ରିୟା ନୁହେଁ, ବରଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ସମାନ ରାଜନୈତିକ ଅଧିକାର ଓ ନିଜ ମତ ପ୍ରକାଶ କରିବାର ସ୍ୱାଧୀନତାର ପ୍ରତୀକ ବୋଲି ମତ ପ୍ରକାଶ କରାଯାଇଥିଲା।
ବକ୍ତାମାନେ କହିଥିଲେ ଯେ, ଭୋଟର ତାଲିକା ସଂଶୋଧନ ନାମରେ କୌଣସି ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାର ହରଣ କରାଯିବା ଉଚିତ ନୁହେଁ। ନିର୍ବାଚନ ପ୍ରକ୍ରିୟା ସ୍ୱଚ୍ଛ, ନିରପେକ୍ଷ, ସହଜଲବ୍ଧ ଓ ସମସ୍ତଙ୍କ ପାଇଁ ନ୍ୟାୟସଙ୍ଗତ ହେବା ଆବଶ୍ୟକ। ଭୋଟର ତାଲିକାରୁ ଯୋଗ୍ୟ ନାଗରିକଙ୍କ ନାମ ବାଦ ପଡ଼ିବାର ଆଶଙ୍କା ଗଣତନ୍ତ୍ରର ମୂଳ ଭିତ୍ତିକୁ ଦୁର୍ବଳ କରିଥାଏ ବୋଲି ସେମାନେ ଉଦ୍ବେଗ ପ୍ରକାଶ କରିଥିଲେ।
ଏହି ଅଭିଯାନରେ ଜନସାଧାରଣ, ଗଣତନ୍ତ୍ରପ୍ରେମୀ ନାଗରିକ, ଯୁବକ-ଯୁବତୀ, ଛାତ୍ର, ମହିଳା, ଶ୍ରମିକ, କୃଷକ ଓ ବିଭିନ୍ନ ଗଣତାନ୍ତ୍ରିକ ଏବଂ ସାମାଜିକ ସଂଗଠନର କର୍ମୀମାନେ ଯୋଗଦେଇ ସମ୍ବିଧାନର ସୁରକ୍ଷା ଓ ନାଗରିକ ଅଧିକାରର ସୁରକ୍ଷା ପାଇଁ ଏକତାବଦ୍ଧ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ “SIR ବାତିଲ କର”, “ଭୋଟ ଅଧିକାର ଉପରେ ଆକ୍ରମଣ ବନ୍ଦ କର”, “ସମ୍ବିଧାନ ବଞ୍ଚାଅ–ଗଣତନ୍ତ୍ର ବଞ୍ଚାଅ”, “ଆମର ଭୋଟ, ଆମର ଅଧିକାର” ଆଦି ସ୍ଲୋଗାନ ଦିଆଯାଇଥିଲା ।














