No Result
View All Result

ଶିଶୁଙ୍କ ପାଇଁ ନୂଆ ଯୋଜନା ଘୋଷଣା ହେଉଛି, କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଶିଶୁ ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା କୋଟିଏ ହସ ପରିକଳ୍ପନା କେବଳ ଏକ ଆଭାସୀ ଉତ୍ସବ ଓ ଫଟୋ ସେସନ୍ର ପ୍ରୟାସ । ବିଜେପି ସରକାରରେ ରାଜ୍ୟରେ ଅଙ୍ଗନବାଡି ସେବା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଶିଶୁମାନେ ମୌଳିକ ଶିକ୍ଷାରୁ ବଞ୍ଚିତ ହେଉଥିବା କହିଛି ବିଜେଡି । ଏକ ପ୍ରେସ ବିବୃତି ମାଧ୍ୟମରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ, ବାସ୍ତବରେ ଓଡ଼ିଶାର ଲକ୍ଷ ଲକ୍ଷ ଶିଶୁ ଆଜି କୁପୋଷଣର ଶିକାର । ବିଜେପି ସରକାରର ଗତ ୨୮ ମାସର ଶାସନ କାଳରେ ଶିଶୁ କଲ୍ୟାଣ କ୍ଷେତ୍ରରେ ଯେଉଁ ବିଫଳତା ଦେଖାଯାଇଛି, ତାହା ଉପରେ ଆଖି ବୁଜି ଦେଇ କେବଳ ହସର କଥା କହିବା ଶିଶୁଙ୍କ ପ୍ରତି ଅନ୍ୟାୟ ।

ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ଭେର ସବିଶେଷ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ମଧ୍ୟରେ ତୀବ୍ର କୁପୋଷଣ ହାର ବଢ଼ିଛି । ଏହା ଜାତୀୟ ହାର ଠାରୁ ଅଧିକ । କମ୍ ଓଜନ ଥିବା ଶିଶୁଙ୍କ ହାର ମଧ୍ୟ ବଢ଼ିଛି । ରାୟଗଡା, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଭଳି ଜିଲ୍ଲାରେ ପରିସ୍ଥିତି ଗୁରୁତର ରହିଛି । ହଜାର ହଜାର ଶିଶୁ ଆଜି ମଧ୍ୟ ଗମ୍ଭୀର କୁପୋଷଣ ଶିକାର । ଅଙ୍ଗନବାଡ଼ି କେନ୍ଦ୍ରରେ ଗୁଣବତ୍ତାପୂର୍ଣ୍ଣ ପୋଷଣ, ନିୟମିତ ମାପ ଓ ନିରୀକ୍ଷଣରେ ବ୍ୟାପକ ଅସମାନତା ରହିଛି । ଅନେକ ଅଙ୍ଗନବାଡ଼ିରେ ଆବଶ୍ୟକ ସୁବିଧା, ପ୍ରଶିକ୍ଷିତ କର୍ମୀ ଓ ନିରବଚ୍ଛିନ୍ନ ସେବାର ଅଭାବ ରହିଛି ।
ଶ୍ରୀମତୀ ଛୁରିଆ ଆହୁରି କହିଥିଲେ ଯେ, ଏହି ପରିସ୍ଥିତିରେ କେବଳ ଉତ୍ସବ ପାଳନ କରି କିଟ୍ ବଣ୍ଟନ କରିଦେଲେ ସମସ୍ୟାର ସମାଧାନ ହୁଏ ନାହିଁ । ଶିଶୁଙ୍କ ପ୍ରକୃତ ହସ ସେତେବେଳେ ଆସିବ, ଯେତେବେଳେ ସେମାନେ ପର୍ଯ୍ୟାପ୍ତ ପୋଷଣ, ପ୍ରାରମ୍ଭିକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପାଇବେ । ବିଜେପି ସରକାର ଏହି ମୌଳିକ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବିଫଳ ହୋଇଛନ୍ତି । ନୂଆ ନୂଆ ଯୋଜନାର ଘୋଷଣା ହେଉଛି, ମାତ୍ର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ସରକାର କୁପୋଷଣ ରୋକିବା ପାଇଁ ତୁରନ୍ତ ବ୍ୟାପକ ଓ ଫଳପ୍ରଦ ପଦକ୍ଷେପ ନିଅନ୍ତୁ ।
ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଗୁଣବତ୍ତାପୂର୍ଣ୍ଣ ପୋଷଣ, ନିୟମିତ ନିରୀକ୍ଷଣ ଓ ପାରଦର୍ଶିତା ନିଶ୍ଚିତ କରାଯାଉ । ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉ । ରାଜନୈତିକ ଉତ୍ସବ ନ କରି, ବାସ୍ତବ କାର୍ଯ୍ୟ କରାଯାଉ । ଶିଶୁମାନେ ଆମ ରାଜ୍ୟ ଓ ଦେଶର ଭବିଷ୍ୟତ । ସେମାନଙ୍କ ହସକୁ ସୁରକ୍ଷିତ କରିବା ପାଇଁ କେବଳ କଥା ନୁହେଁ, କାର୍ଯ୍ୟ ଆବଶ୍ୟକ । ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଜୁ ଜନତା ଦଳ ସର୍ବଦା ପ୍ରତିବଦ୍ଧ ରହିଛି ଏବଂ ସରକାରଙ୍କ ବିଫଳତା ବିରୁଦ୍ଧରେ ଲଗାତାର ସ୍ୱର ଉଠାଇବ ।

No Result
View All Result