‘ଶକ୍ତି ସୁରକ୍ଷା’-ମା’ଙ୍କ ଆରାଧନା ସହ ସୁରକ୍ଷିତ ପାର୍ବଣର ସଂକଳ୍ପ ।
ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା
ଭୁବନେଶ୍ୱର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ପାର୍ବଣ ସମୟରେ ରାଜ୍ୟବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ପୂଜାମଣ୍ଡପଗୁଡ଼ିକରେ ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ଅଘଟଣକୁ ରୋକିବା ଲକ୍ଷ୍ୟରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ‘ଶକ୍ତି ସୁରକ୍ଷା’ ଅଭିଯାନ ଆରମ୍ଭ କରାଯାଇଛି । ମା’ ଦୁର୍ଗାଙ୍କ ଆରାଧନା ଓ ଶକ୍ତିର ଉପାସନା ସହିତ ଜନସାଧାରଣଙ୍କ ସୁରକ୍ଷାକୁ ଯୋଡ଼ିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ପାର୍ବଣ ସମୟରେ ପୂଜାମଣ୍ଡପରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ, ଅଗ୍ନିଶମ କର୍ମଚାରୀଙ୍କ ମୁତୟନ, ଜନସମାଗମ ସ୍ଥଳରେ ସୁରକ୍ଷା ସହାୟତା, ବିସର୍ଜନ ସମୟରେ ଜଳଜନିତ ଦୁର୍ଘଟଣାର ମୁକାବିଲା ଏବଂ ଆୟୋଜକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଗ୍ନି ସୁରକ୍ଷା ସଚେତନତା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

୨୦୨୬ ମସିହାରେ ସାରା ରାଜ୍ୟରେ ୧,୫୧୫ଟି ଦୁର୍ଗାପୂଜା ମେଢ଼ ଚିହ୍ନଟ ହୋଇଥିବାବେଳେ, ୫,୦୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଓ ବିଭିନ୍ନ ଅଗ୍ନିଶମ ଉପକରଣକୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ପୂଜାମଣ୍ଡପଗୁଡ଼ିକରେ ଅଗ୍ନି ସୁରକ୍ଷା ସୁନିଶ୍ଚିତ କରିବା ସହିତ ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ପୂଜାମଣ୍ଡପରେ ଅଧିକ ଜନସମାଗମ ହେଉଥିବା ସ୍ଥାନରେ ଶ୍ରଦ୍ଧାଳୁଙ୍କୁ ସହାୟତା ପ୍ରଦାନ, ଭିଡ଼ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଏବଂ ଆବଶ୍ୟକ ସ୍ଥଳେ ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ନିୟୋଜିତ ରହିବେ। ଏହାଦ୍ୱାରା ପାର୍ବଣରେ ଯୋଗଦେଉଥିବା ଜନସାଧାରଣଙ୍କୁ ସୁରକ୍ଷିତ ପରିବେଶ ଯୋଗାଇଦେବା ସହିତ ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ସହାୟତା ପ୍ରଦାନ କରାଯାଇପାରିବ।

ସେହିପରି, ମା’ଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଜଳଜନିତ ଦୁର୍ଘଟଣାକୁ ରୋକିବା ଏବଂ ଜଳରେ ବୁଡ଼ିଯିବା ଭଳି ଘଟଣାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ଓ ଆବଶ୍ୟକ ଉପକରଣ ପ୍ରସ୍ତୁତ ରଖାଯାଇଛି। ବିସର୍ଜନ ସ୍ଥଳରେ ପ୍ରଶାସନର ନିର୍ଦ୍ଦେଶ ଓ ସୁରକ୍ଷା ନିୟମ ପାଳନ କରିବା ସହିତ ଜନସାଧାରଣଙ୍କୁ ଜଳାଶୟ ନିକଟରେ ସତର୍କ ରହିବାକୁ ଅନୁରୋଧ କରାଯାଉଛି । ଅଗ୍ନିକାଣ୍ଡର ଆଶଙ୍କା ହ୍ରାସ କରିବା ପାଇଁ ପୂଜା ଆୟୋଜକମାନେ ଅଗ୍ନି ନିର୍ବାପକ ଯନ୍ତ୍ର ଉପଲବ୍ଧ ରଖିବା, ବିଦ୍ୟୁତ୍ ସଂଯୋଗ ଓ ଆଲୋକସଜ୍ଜାର ସୁରକ୍ଷା ଯାଞ୍ଚ କରିବା, ଦାହ୍ୟ ସାମଗ୍ରୀର ବ୍ୟବହାରରେ ସତର୍କତା ଅବଲମ୍ବନ କରିବା ଏବଂ ଜରୁରୀକାଳୀନ ପ୍ରସ୍ଥାନ ପଥକୁ ଅବରୋଧମୁକ୍ତ ରଖିବା ଆବଶ୍ୟକ ।

ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, ପାର୍ବଣର ଆନନ୍ଦ ଉପଭୋଗ କରିବା ସହିତ ଅଗ୍ନି ସୁରକ୍ଷା ନିୟମ ପାଳନ କରନ୍ତୁ, ଭିଡ଼ ସ୍ଥାନରେ ସତର୍କ ରୁହନ୍ତୁ ଏବଂ ବିସର୍ଜନ ସମୟରେ ଜଳାଶୟ ନିକଟରେ ସୁରକ୍ଷା ନିୟମ ମାନନ୍ତୁ । କୌଣସି ଅଗ୍ନିକାଣ୍ଡ ବା ଜରୁରୀକାଳୀନ ପରିସ୍ଥିତି ଦେଖିଲେ ତୁରନ୍ତ ୧୧୨ ନମ୍ବରରେ ଯୋଗାଯୋଗ କରନ୍ତୁ ।















