No Result
View All Result

କୋଣାର୍କ (ଓଡିଶା ତାଜା ନ୍ୟୂଜ ) ନି.ପ୍ର କୋଣାର୍କ :- ପୁରୀ ବେଳାମାର୍ଗ ପାର୍ଶ୍ବରେ ପୁରୀଠାରୁ ୨୭ କିଲୋମିଟର ଏବଂ କୋଣାର୍କଠାରୁ ୯ କିଲୋମିଟର ଦୂରରେ ରହିଛି ମା’ରାମଚଣ୍ଡୀଙ୍କ ପବିତ୍ର ପୀଠ ଶାକ୍ତ ଉପାସନା ପରମ୍ପରାରେ ଓଡ଼ିଶାର ପ୍ରମୁଖ ଶକ୍ତିପୀଠଙ୍କ ମଧ୍ୟରେ ମା’ରାମଚଣ୍ଡୀଙ୍କ ପୀଠ ଅନ୍ୟତମ ମା’ରାମଚଣ୍ଡୀ ହେଉଛନ୍ତି ଅର୍କକ୍ଷେତ୍ର କୋଣାର୍କର ଅଧିଷ୍ଠାତ୍ରୀ ଦେବୀ। ପ୍ରାଚୀନ ସୂର୍ଯ୍ୟକ୍ଷେତ୍ରର ରକ୍ଷାକର୍ଷା ଦେବୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ରାମଚଣ୍ଡୀ ଶ୍ରେଷ୍ଠ ପବିତ୍ର ମହୋଦଧି ଓ ପୁଣ୍ୟତୋୟା କୁଶଭଦ୍ରା ନଦୀର ସଂଗମ ସ୍ଥଳରେ ଏବଂ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ମଧ୍ୟରେ ରହିଛି ମା’ଙ୍କ ପୀଠ ଓଡ଼ିଶାର କୋଣ-ଅନୁକୋଣରୁ ବର୍ଷସାରା ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ମା’ ରାମଚଣ୍ଡୀଙ୍କ ଅବସ୍ଥିତି ଓ ମାହାତ୍ମ୍ୟ ସଂପର୍କରେ ମାଦଳାପାଞ୍ଜି, ସାରଳା ମହାଭାରତ, ପୁରୁଷୋତ୍ତମ ମାହାତ୍ମ୍ୟ ସହ ବିଭିନ୍ନ ଐତିହାସିକ ବିବରଣୀରୁ ସୂଚନା ମିଳେ। କବି ନୀଳକଣ୍ଠ ଦାଶ ବିଦ୍ୟାର୍ଥୀମାନଙ୍କୁ ବହୁ କଣ୍ଟକିତ ପଥ ଅତିକ୍ରମ କରାଇ ପାଦରେ ଚାଲି ଚାଲି ରାମଚଣ୍ଡୀ ପୀଠରେ ପହଞ୍ଚି ରାତ୍ରିଯାପନ ବେଳେ ଲେଖିଥିବା କବିତା ଏବେ ବି ଜନମାନସରେ ଜୀବିତ ରହିଛି ।

ସାରଳା ମହାଭାରତର ବର୍ଣ୍ଣନା ଅନୁଯାୟୀ, ସୀତାଙ୍କ ସନ୍ଧାନରେ ବାହାରି ରାମଚନ୍ଦ୍ର କୋଣାର୍କଠାରେ ସମୁଦ୍ରରେ ଲଙ୍କାକୁ ସେତୁବନ୍ଧ ବାନ୍ଧିବାର କଳ୍ପନା କରି ଏକ ଶୁଭଶିଳା ସ୍ଥାପନ କରିଥିଲେ। ଏହି ଶୁଭଶିଳାକୁ ସେ ଦେବୀ ମନ୍ତ୍ରରେ ପୂଜାର୍ଚ୍ଚନା କରିଥିଲେ। କିନ୍ତୁ ପରେ ବିଭୀଷଣଙ୍କ ପରାମର୍ଶକ୍ରମେ ସେ କୋଣାର୍କଠାରୁ ସେତୁବନ୍ଧ ନ ବାନ୍ଧି ଦାକ୍ଷିଣାତ୍ୟର ରାମେଶ୍ବରଠାରୁ ଲଙ୍କାକୁ ସେତୁବନ୍ଧ ବାନ୍ଧିଥିଲେ । ମା’ଙ୍କ ମନ୍ଦିର ଅତି ପ୍ରାଚୀନ କୁଶଭଦ୍ରା ନଦୀ ଓ ବଙ୍ଗୋପସାଗର ସଂଗମସ୍ଥଳରେ ଥିବା ଏହି ମନ୍ଦିରଟି କାଳକ୍ରମେ ମୁହାଣମୁହଁର ଗତିପଥ ପରିବର୍ତ୍ତନରେ ପୋତି ହୋଇ ପଡ଼ିଥିଲା। ପରବର୍ତ୍ତୀ ସମୟରେ ୧୯୮୨ ମସିହାରେ ପ୍ରାଚୀର ନିର୍ମାଣ ଉଦ୍ଦେଶ୍ୟରେ ଖନନବେଳେ ରାମେଶ୍ବରଙ୍କ ଶିବଲିଙ୍ଗ, କାର୍ତ୍ତିକେଶ୍ଵର, ପାର୍ବତୀ ଓ ୪ଟି ବୃଷଭ ମୂର୍ତ୍ତି ବାଲିସ୍ତୂପ ତଳୁ ମିଳିଥିଲା। ଚାରି ଦଶନ୍ଧି ତଳୁ ରାମେଶ୍ବରଙ୍କ ମନ୍ଦିର ନିର୍ମାଣ କରାଯାଇ ତାଙ୍କୁ ପୂଜାର୍ଚ୍ଚନା କରାଯାଉଛି।
କାର୍ତ୍ତିକେଶ୍ଵରଙ୍କ ମୂର୍ତ୍ତି ପରବର୍ତ୍ତୀ ଅବସ୍ଥାରେ ଚୋରି ହୋଇ ଯାଇଥିବା ସେବାୟତମାନଙ୍କଠାରୁ ସୂଚନା ମିଳେ । ମା’ ରାମଚଣ୍ଡୀ ହେଉଛନ୍ତି ଦଶଭୁଜା ମହିଷାମର୍ଦ୍ଦିନୀ ଦୁର୍ଗା ପୂର୍ବକାଳରେ ମା’ଙ୍କ ପୀଠ ଏକ ପ୍ରସିଦ୍ଧ ତନ୍ତ୍ରପୀଠ ରୂପେ ଖ୍ୟାତିଲାଭ କରିଥିବା କେତେକ ମତ ଦିଅନ୍ତି । ମା’ଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଏ । ଭୋର ୪ଟାରେ ପହୁଡ଼ ହୁଏ । ମା’ଙ୍କୁ ସୁବାସିତ ଜଳରେ ସ୍ନାନ କରାଯିବା ପରେ ସକାଳ ୬ଟାରେ ବଲ୍ଲଭ ଭୋଗ ଓ ପିଠା ଲାଗି କରାଯାଏ । ଏହି ସମୟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରୁହେ ମଧ୍ୟାହ୍ନ ଅନ୍ନଭୋଗରେ ଖେଚୁଡି, ଅନ୍ନ, ଡାଲି, ମାଛଭଜା, ମାଛ ପୋଡ଼ାବଳି, ମାଛ ତରକାରି, ଏଣ୍ଡୁରି ପିଠା, ଖଟା ଓ କ୍ଷୀରି ଭୋଗ ଲାଗିହୁଏ। ଏହା ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପହୁଡ଼ ପଡେ ଅପରାହ୍ନ ୨ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପୁଣି ଦର୍ଶନ ହୁଏ । ରାତ୍ରଭୋଗରେ ଦହିପଖାଳ, ପଣା, କାକରା ଆଦି ଭୋଗ ଲାଗିଥାଏ ।
ରାତ୍ରଭୋଗ ଶେଷରେ କଂସାପାତ୍ରରେ ପଇଡ଼ ପାଣିକୁ ମଦ୍ୟ ରୂପେ ମା’ଙ୍କୁ ସମର୍ପଣ କରାଯାଏ। ରାତି ୧୧ଟାରେ ବଡ଼ସିଂହାର ଧୂପ ଓ ଆଳତି ପରେ ପହୁଡ଼ ପଡ଼େ । ସକାଳ ମଙ୍ଗଳ ଆଳତି ଓ ରାତିରେ ବଡସିଂହାର ଧୂପ ଆଳତିକୁ ମିଶାଇ ମା’ଙ୍କ ନିକଟରେ ମୋଟ ୫ ଥର ଆଳତି ହୋଇଥାଏ । ଆଶ୍ୱିନ ମାସର ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋଳପୂଜା ଅନୁଷ୍ଠିତ ହୁଏ । ଏହି ସମୟରେ ଷୋଡ଼ଶ ଦିନବ୍ୟାପୀ ଦୁଇବେଳା ଚଣ୍ଡୀପାଠ ସହିତ ଷୋଡ଼ଶ ଉପଚାରରେ ପୂଜାନୀତି ସଂପନ୍ନ କରାଯାଏ । ମହାଷ୍ଟମୀ ରାତି ୩ଟାରେ ପାଞ୍ଚପା’ ଗୁଆ ଘିଅ ସହିତ ୧୦୮ ବେଲପତ୍ର ହୋମାଗ୍ନିରେ ପୋଡ଼ା ହେବା ପରେ ସ୍ଥାନୀୟ ଜମିଦାର ପ୍ରଦତ୍ତ ଏକ ମେଣ୍ଢାକୁ ବଳି ପକାଇ ତା’ର ରକ୍ତକୁ ମା’ଙ୍କୁ ସମର୍ପଣ କରାଯିବାର ପ୍ରଥା ପୂର୍ବେ ପ୍ରଚଳିତ ଥିଲା ।
ପୂର୍ବେ ଷୋଳପୂଜା ସମୟରେ ପ୍ରତ୍ୟହ ବହୁ ସଂଖ୍ୟାରେ ଛେଳି, ମେଣ୍ଢା, ବୋଦାଙ୍କୁ ଏଠାରେ ବଳି ଦିଆଯାଉଥିଲା । କିଛିବର୍ଷ ତଳୁ ଏହାକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ପୌଷମାସ କୃଷ୍ଣପକ୍ଷ ଷଷ୍ଠୀ ତିଥିରେ ଓଢ଼ଣୀ ଷଷ୍ଠୀ, ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଅଷ୍ଟପ୍ରହର ନାମଯଜ୍ଞ ହୁଏ । ଚୈତ୍ରମାସ କୃଷ୍ଣ ପ୍ରତିପଦାଠାରୁ ରାମନବମୀ ପର୍ଯ୍ୟନ୍ତ ନବଦିନାତ୍ମକ ଚଣ୍ଡୀପାଠ କରାଯାଏ। ଏହାକୁ ବାସନ୍ତୀକ ପୂଜା ବା ନବପତ୍ରିକା ପୂଜା କୁହାଯାଏ । ମା’ରାମଚଣ୍ଡୀଙ୍କ ପୀଠର ଏକ ନିଆରା ପର୍ବ ହେଉଛି ହାଣ୍ଡିଭଙ୍ଗା ଯାତ ବୈଶାଖ ମାସର ଶେଷ ଗୁରୁବାର ଏହି ଯାତ ଅନୁଷ୍ଠିତ ହୋଇଥାଏ । ନିକଟସ୍ଥ ଖାଲକଟାପାଟଣା ଓ ଟିକନା ଗ୍ରାମର କୂଳବଧୂମାନେ ବ୍ରତ ପାଳନ କରନ୍ତି ।
ଏହିଦିନ ନୂତନ ବସ୍ତ୍ର ପରିଧାନପୂର୍ବକ ମା’ଙ୍କ ମନ୍ଦିର ବେଢ଼ା ପରିସରରେ ନୂଆ ମାଟିହାଣ୍ଡିରେ ଖେଚୁଡ଼ି ପ୍ରସ୍ତୁତ କରି ଅନତି ଦୂରରେ ଥିବା ହାଣ୍ଡିଭଙ୍ଗା ବନ୍ତରେ ହାଣ୍ଡିକୁ କଚାଡ଼ି ଭାଙ୍ଗିଥାନ୍ତି । ହାଣ୍ଡି ଭାଙ୍ଗିବା ପରେ ଏକମୁହାଁ ହୋଇ ଗତିକରି ୫୦୦ ମିଟର ଦୂରରେ ଥିବା ହାତଧୂଆ ଝରଣାରେ ହାତ ଧୋଇ ଘରକୁ ଫେରିଥାଆନ୍ତି । ବାଘ-ବାଘୁଣୀଙ୍କ ଉଦ୍ଦେଶ୍ୟରେ ଦୁଇ ବାଟୁଳା ଖେଚୁଡ଼ି ହାଣ୍ଡିଭଙ୍ଗା ବନ୍ତରେ ପ୍ରଦାନ କରାଯାଇଥାଏ । ହାଣ୍ଡିଭଙ୍ଗା ବଜ୍ରରେ ଯେଉଁ ମହିଳାଙ୍କର ହାଣ୍ଡି ନ ଭାଙ୍ଗିଲା, ତାଙ୍କ ପରିବାରରେ ବର୍ଷସାରା କୌଣସି ନା କୌଣସି ଅମଙ୍ଗଳ ଲାଗି ରୁହେ ବୋଲି ବିଶ୍ଵାସ ରହିଛି ।


No Result
View All Result