No Result
View All Result

ଫୁଲବାଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସ୍ୱତନ୍ତ୍ର ପରିଚୟ ସଂଶୋଧନ/ସମୀକ୍ଷା (SIR) ପ୍ରକ୍ରିୟାକୁ ତୀବ୍ର ବିରୋଧ କରିବା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି କନ୍ଧମାଳ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। କନ୍ଧମାଳ ଜିଲ୍ଲା କଂଗ୍ରେସର ଶୀର୍ଷ ନେତୃବୃନ୍ଦ ଓ କର୍ମୀମାନଙ୍କ ପ୍ରତ୍ୟକ୍ଷ ଭାଗିଦାରୀ ଯୋଗୁଁ ଏହି ବନ୍ଦ ଆନ୍ଦୋଳନ ବ୍ୟାପକ ସଫଳତା ହାସଲ କରିଛି। ସକାଳ ୬ଘଂଟିକା ସମୟରୁ ସନ୍ଧ୍ୟା ୬ଘଂଟିକା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ବ୍ୟବସାୟିକ ପ୍ରତିଷ୍ଠାନ ଓ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିବା ଫଳରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।

ଏହି ବନ୍ଦ କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲାରେ ଅତି ଶୃଙ୍ଖଳିତ ଓ ପ୍ରଭାବଶାଳୀ ଢଙ୍ଗରେ ପରିଚାଳିତ କରାଯାଇଥିଲା। କନ୍ଧମାଳ ଜ଼ିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡାଙ୍କ ସଭାପତିତ୍ୱରେ ଏହି ୧୨ଘଣ୍ଟିଆ ବନ୍ଦ ପାଳନ ଅବସରରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (INTUC)ର ଜିଲ୍ଲା ସଭାପତି ଘନ କୁମାର ଶବର, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଏବଂ ପୂର୍ବତନ OBC ସେଲର ଜିଲ୍ଲା ସଭାପତି ସୂର୍ଯ୍ୟକାନ୍ତ ଦାସ, ବାଲିଗୁଡା ବିଧାୟକ ପ୍ରାଥୀ ଉପେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ନେତା ଏହି ସଫଳ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
କନ୍ଧମାଳ କଂଗ୍ରେସର କର୍ମୀମାନେ ମୋଟରସାଇକେଲ ଶୋଭା
ଯାତ୍ରା ମାଧ୍ୟମରେ ସାରା ଫୁଲବାଣୀ ନଗର ପରିକ୍ରମା କରି ବନ୍ଦର ସନ୍ଦେଶ ପହଞ୍ଚାଇଥିଲେ। ଫୁଲବାଣୀ ସହରର ପ୍ରମୁଖ ମାଦିକୁନ୍ଦା ଛକ, ପେଞ୍ଜିସାହି, ମୁଖ୍ୟବଜାର ଏବଂ ବସଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ କଡ଼ା ପିକେଟିଂ କରିଥିଲେ। ସ୍ଥାନୀୟ ବ୍ୟବସାୟୀ, ଦୋକାନୀ ଓ ଜନସାଧାରଣଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଦୋକାନବଜାର ବନ୍ଦ ରଖିବାକୁ କଂଗ୍ରେସ ନେତୃବୃନ୍ଦ ଆହ୍ୱାନ ଜଣାଇଥିଲେ। ନେତାମାନଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ବ୍ୟବସାୟୀମାନେ ସ୍ୱତଃପ୍ରବୃତ୍ତ ଭାବେ ନିଜ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିଥିଲେ।
ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି ଘନ କୁମାର ଶବର ଏଂବ ପୂର୍ବତନ ବିଧାୟକ ତଥା ସମାଜ ବାଦୀ ପାର୍ଟିର ରାଜ୍ୟ ଉପସଭାପତି ଦେବେନ୍ଦ୍ର କହଁର SIR ପ୍ରକ୍ରିୟା ନାମରେ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ଚାଲିଛି । ସାଧାରଣ ନାଗରିକ ଓ ଶ୍ରମିକ ଶ୍ରେଣୀର ମୌଳିକ ନିର୍ବାଚନୀ ଅଧିକାରକୁ ଛଡ଼ାଇ ନେବାକୁ ଚେଷ୍ଟା କରାଯାଉଛି । ଏହି ବିବାଦୀୟ ନିଷ୍ପତ୍ତି ପଛରେ ନିର୍ବାଚନ କମିଶନରଙ୍କ ପକ୍ଷପାତମୂଳକ ଆଚରଣ ସ୍ପଷ୍ଟ ବାରି ହୋଇପଡ଼ୁଛି। ତେଣୁ ନିର୍ବାଚନ କମିଶନର ଜ୍ଞାନେଶ କୁମାର ନିଜ ପଦବୀରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ।
ଯଦି ଏହି ଜନବିରୋଧୀ SIR ପ୍ରକ୍ରିୟାକୁ ତୁରନ୍ତ ବାତିଲ କରାନଯାଏ, ତେବେ ଶ୍ରମିକ ଓ ସାଧାରଣ ଜନତାଙ୍କୁ ନେଇ କନ୍ଧମାଳ ଜିଲ୍ଲାରେ ଆଗାମୀ ଦିନରେ ଅଧିକ ତୀବ୍ର ଓ ବ୍ୟାପକ ଗଣଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ନିଜ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏହି ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ ଏବଂ ପୂର୍ବତନ OBC ସେଲ୍ ସଭାପତି ସୂର୍ଯ୍ୟକାନ୍ତ ଦାସ ମଧ୍ୟ ନିଜର ବକ୍ତବ୍ୟ ରଖି କେନ୍ଦ୍ର ଓ ନିର୍ବାଚନ କମିଶନଙ୍କ ନୀତିକୁ କଡ଼ା ସମାଲୋଚନା କରିଥିଲେ ।
କନ୍ଧମାଳ କଂଗ୍ରେସର ଶହ ଶହ ନେତା ଓ କର୍ମୀ ଏକଜୁଟ ହୋଇ ସଂଘବଦ୍ଧ ଭାବେ କାର୍ଯ୍ୟ କରିଥିବାରୁ ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଦାବି ପୂରଣ ନହେବା ଯାଏଁ ଏହି ସଂଗ୍ରାମ ଜାରି ରହିବ ବୋଲି ନେତୃବୃନ୍ଦ ଚେତାବନୀ ଦେଇଛନ୍ତି। ବନ୍ଦର ପ୍ରଭାବ ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଘରୋଇ ଓ ସରକାରୀ ବସ୍, ଟ୍ରକ୍ ଏବଂ ଅନ୍ୟାନ୍ୟ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।



No Result
View All Result