No Result
View All Result

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ର ରାଜ୍ୟର ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଦୀର୍ଘ ୧୪ ବର୍ଷ ଧରି ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ କଳା ଶିକ୍ଷା ନିର୍ଦ୍ଦେଶକ ଓ ଶାରୀରିକ ଶିକ୍ଷା ନିର୍ଦ୍ଦେଶକ (ପିଇଟି)ମାନଙ୍କର ନିୟମିତକରଣ ପାଇଁ ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି । ଏନେଇ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ପ୍ରାୟ ୧୨୦୦ ଜଣ ସ୍ଵଳ୍ପକାଳୀନ/ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କର ଗମ୍ଭୀର ସମସ୍ୟା ପ୍ରତି ଜରୁରୀ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀ ମହାପାତ୍ର ଏହି ଶିକ୍ଷକମାନଙ୍କ ପାଇଁ ଖୁବ ଶୀଘ୍ର ଏକ ବ୍ୟାପକ ଚାକିରି ନୀତି ପ୍ରସ୍ତୁତ କରାଯିବା ସହ ସେମାନଙ୍କର ନିୟମିତକରଣ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ମାନବିକ ସମସ୍ୟାକୁ ସହାନୁଭୂତିର ସହ ବିଚାର କରିବେ ବୋଲି ଆଶ୍ୱାସନା ଦେଇଥିବା ଜଣାଯାଇଛି ।

ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତ ଚୁକ୍ତିଭିତ୍ତିକ/ସ୍ଵଳ୍ପକାଳୀନ କଳା ଶିକ୍ଷା ନିର୍ଦ୍ଦେଶକ, ସଙ୍ଗୀତ ,ଦୃଶ୍ୟ କଳା ଏବଂ ଶାରୀରିକ ଶିକ୍ଷା ନିର୍ଦ୍ଦେଶକ (ପିଇଟି)ମାନଙ୍କର ସେବା ସର୍ତ୍ତ ସମ୍ପର୍କିତ ସମସ୍ୟା ଦୀର୍ଘଦିନ ଧରି ଅମୀମାଂସିତ ରହିଛି। ଏହି ନିର୍ଦ୍ଦେଶକମାନେ ବହୁ ବର୍ଷ ଧରି ନିଷ୍ଠାର ସହ ସେବା ଯୋଗାଇ ଆସିବା ସହ ସଙ୍ଗୀତ, ଦୃଶ୍ୟ କଳା, ସ୍ୱାସ୍ଥ୍ୟ ଓ ଶାରୀରିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଆସୁଛନ୍ତି। କାର୍ଯ୍ୟଭିତ୍ତିକ ଶିକ୍ଷାର କାର୍ଯ୍ୟକାରିତା, ଶାରୀରିକ ସୁସ୍ଥତା ବୃଦ୍ଧି, କଳାତ୍ମକ ପ୍ରତିଭାର ପରିସ୍ଫୁଟନ, ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ବିକାଶ ଦିଗରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ଜାତୀୟ ଶିକ୍ଷା ନୀତି (ଏନ୍ଇପି)–୨୦୨୦ ଅନୁଯାୟୀ କଳା ଶିକ୍ଷା, ସଙ୍ଗୀତ ଶିକ୍ଷା ଓ ଶାରୀରିକ ଶିକ୍ଷାକୁ ବିଦ୍ୟାଳୟ ପାଠ୍ୟକ୍ରମର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସ୍ୱୀକାର କରାଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି। ଏହି ବିଷୟଗୁଡ଼ିକୁ ଶିକ୍ଷାର ମୁଖ୍ୟଧାରାରେ ସାମିଲ କରିବାକୁ ମଧ୍ୟ କୁହା ଯାଇଛି। ଏହା ସହିତ ଉପଯୁକ୍ତ ମାନବ ସମ୍ବଳ ବିନିଯୋଗ ମାଧ୍ୟମରେ ବିଦ୍ୟାଳୟ ଶିକ୍ଷାକୁ ଆହୁରି ଅଧିକ ଉପାଦେୟ କରିବାର ଆବଶ୍ୟକତା ଉପରେବି ଜୋର ଦିଆଯାଇଛି। ତେବେ ଏହି ଶିକ୍ଷକମାନେ ଦୀର୍ଘଦିନ ଧରି ସେବା ଯୋଗାଇ ଆସୁଥିଲେ ମଧ୍ୟ ନିୟମିତ ସେବା ସୁବିଧା, ନିର୍ଦ୍ଧାରିତ ସେବା ଢାଞ୍ଚା, ପଦୋନ୍ନତିର ସୁଯୋଗ, ଚାକିରୀ ସୁରକ୍ଷା ଏବଂ ଅନ୍ୟାନ୍ୟ ବୈଧ ଅଧିକାରରୁ ବଞ୍ଚିତ ରହିଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ଦୀର୍ଘକାଳୀନ ସୂତ୍ରରେ ଜାରି ରହିବା ଫଳରେ ଶତାଧିକ ଯୋଗ୍ୟ ଶିକ୍ଷକ ଓ ସେମାନଙ୍କ ପରିବାର ବର୍ଗ ଗୁରୁତର ଆର୍ଥିକ ଓ ସାମାଜିକ ଅନିଶ୍ଚିତତାର ଶୀକାର ହୋଇଆସୁଛନ୍ତି ବୋଲି ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିମ୍ନଲିଖିତ ଦାବୀ ଗୁଡିକ ଉପସ୍ଥାପନ କରିଛନ୍ତି। ସେମଧ୍ୟରେ ସରକାରୀ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ/ ସାମୟିକ କଳା ଶିକ୍ଷା ନିର୍ଦ୍ଦେଶକ ଓ ପିଇଟିମାନଙ୍କ ନିୟମିତକରଣ ପାଇଁ ଏକ ବ୍ୟାପକ ସରକାରୀ ନୀତି ପ୍ରସ୍ତୁତ କରାଯିବା, କଳା ଶିକ୍ଷା ଓ ଶାରୀରିକ ଶିକ୍ଷା ନିର୍ଦ୍ଦେଶକମାନଙ୍କ ପାଇଁ ସ୍ପଷ୍ଟ ନିଯୁକ୍ତି ନିୟମ, ସେବା ସର୍ତ୍ତ, ବରିଷ୍ଠତା ଓ ପଦୋନ୍ନତି ସୁଯୋଗ ସହ ଏକ ପୃଥକ ବୈଧାନିକ ସେବା କ୍ୟାଡର ଗଠନ କରାଯିବା,ସରକାରୀ ନିୟମ ଅନୁଯାୟୀ ବେତନ ସୁରକ୍ଷା, ବେତନ ବୃଦ୍ଧି, ଛୁଟି, ପେନ୍ସନ୍ ଏବଂ ଅନ୍ୟାନ୍ୟ ଅନୁମୋଦିତ ସେବା ଓ ସୁଯୋଗ ଉପଲବ୍ଧ କରାଯିବା,ଏହି ନିର୍ଦ୍ଦେଶକମାନେ ଅତୀତରେ ପ୍ରଦାନ କରିଥିବା ସେବାକୁ ବରିଷ୍ଠତା ଓ ସେବାର ନିରନ୍ତରତା ଭାବେ ଗ୍ରହଣ କରାଯିବା, ପ୍ରସ୍ତାବିତ ନୀତିକୁ ଏନ୍ଇପି–୨୦୨୦ର ଦୃଷ୍ଟିକୋଣ ଓ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ସୁପାରିଶ ଭିତ୍ତିରେ ହିଁ ପ୍ରସ୍ତୁତ କରାଯିବା ଆଦି ନ୍ୟାଯ୍ୟ ଦାବୀ ମାନ ଅନ୍ତର୍ଭୁକ୍ତ କରାଯାଇଛି ।
ଏହି ଦାବୀ ଗୁଡିକ କେବଳ ଚାକିରୀକୁ ନିୟମିତ କରିବା ପାଇଁ ନୁହେଁ; ଏହା ରାଜ୍ୟର ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ଉତ୍ଥାନ ଓ ଛାତ୍ରଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶ ପାଇଁ ଅଭିପ୍ରେତ ବୋଲି ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସୁଚାଇଥିଲେ। ତେଣୁ ଦୀର୍ଘ ୧୪ ବର୍ଷ ଧରି ସେବା ଦେଇ ଆସୁଥିବା ଏହି ଶିକ୍ଷକମାନଙ୍କର ସମସ୍ୟାକୁ ମାନବିକ ଦୃଷ୍ଟିକୋଣରୁ ବିଚାରକୁ ନେଇ ସରକାର ଯଥା ଶୀଘ୍ର ଏକ ସ୍ଥାୟୀ ଓ ସମ୍ମାନଜନକ ସମାଧାନ ସୂତ୍ର ବାହାର କରିବାକୁ ସିଲଭର ଗାନ୍ଧୀ ଶ୍ରୀ ମାଝୀଙ୍କୁ ନିବେଦନ କରିଥିଲେ । ଶ୍ରୀ ମହାପାତ୍ରଙ୍କର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତକାର ସମୟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ବାବୁ ସିଂହ, ପ୍ରସିଦ୍ଧ ହାସ୍ୟ ଅଭିନେତା ହରି ମହାପାତ୍ର ଏବଂ ଓଲିଉଡ ତାରକା ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result