
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ହିଞ୍ଜିଳିକାଟୁ ବ୍ଳକ ବୁରୁପଡ଼ା ଗ୍ରାମର ଗ୍ରାମଦେବତୀ ସାହିରେ ଥିବା ବ୍ୟବହାର ଉପଯୋଗୀ ଉସ୍ତ ବନ୍ଧ ପୋଖରୀର ପୁନରୁଦ୍ଧାର ପାଇଁ ପ୍ରଶାସନିକ ଅବହେଳା ନେଇ ଶୁକ୍ରବାର ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଦୀର୍ଘ ବର୍ଷେ ଧରି ବ୍ଲକ ଓ ପଞ୍ଚାୟତ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲା ପରେ ମଧ୍ଯ ଅଭିଯୋଗରେ କୌଣସି ସମାଧାନର ରାସ୍ତା ବାହାରିଲା ନାହିଁ କିମ୍ୱା ଲୋକଙ୍କ ସମସ୍ୟା ପ୍ରତି କେହି ବି କର୍ଣ୍ଣପାତ କରିନଥିଲେ । ଶେଷରେ ଅବହେଳିତ ଗ୍ରାମବାସୀ ନ୍ୟାର୍ଯ୍ୟ ଦାବି ହାସଲ ଲାଗି ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ ।

ସୂଚନା ଅନୁଯାୟୀ ବୁରୁପଡ଼ା ଗ୍ରାମ ଦେବତୀ ସାହି ନିକଟରେ ଥିବା ଉସ୍ତବନ୍ଧ ପୋଖରୀଟି ପୁର୍ବରୁ ବ୍ଯବହାର ଉପଯୋଗୀ ହୋଇଥିଲେ ମଧ୍ଯ ଦୀର୍ଘ ଏକ ବର୍ଷ ଧରି ପଙ୍କ, ଦଳ ଓ ଘାସ ଆବର୍ଜ୍ଜନାରେ ଭର୍ତ୍ତି ହୋଇ ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା । ଫଳରେ ପରିବେଶ ପ୍ରଦୂଷଣ ଏବଂ ସ୍ୱାସ୍ଥ୍ୟ ପ୍ରତି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଭଳି ଦୁର୍ବିସହ ଜୀବନ ଅତିବାହିତ କରିବା ପରେ ଏହାର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ବୁରୁପଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ଇ.ଶଙ୍କର ରାଓ ଓ ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ସମସ୍ୟା ସମାଧାନ କରିବା ବଦଳରେ ଦିନ ପରେ ଦିନ ବିତି ଯାଇଥିଲା ।

ଗ୍ରାମବାସୀଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଶାସନ ଗ୍ରାମ ପଞ୍ଚାୟତ ଉନ୍ନୟନ ପାଣ୍ଠି ବିନିଯୋଗ କରି ଉସ୍ତ ବନ୍ଧ ପୋଖରୀର ପୁନରୁଦ୍ଧାର କରି ପାରିଥାନ୍ତା । ସମସ୍ୟାର ସମାଧାନ ବି ହୋଇ ପାରିଥାନ୍ତା । କିନ୍ତୁ ଲୋକଙ୍କ ଆଵଶ୍ୟକତାକୁ ଅଣଦେଖା କରିବା ସହ ପ୍ରଶାସନର ଚରମ ଅବହେଳା ଯୋଗୁଁ ଉତ୍ତ୍ୟକ୍ତ ଲୋକେ ରାଜରାସ୍ତା ଅବରୋଧ କରିଥିଲେ । ପୁଲିସ ବ୍ୟାରିକେଡ଼,ଟାୟାର, ବାଉଁଶ ଓ ପ୍ଲାଷ୍ଟିକ ବାକ୍ସ ପକାଇ ବୁରୁପଡ଼ା – ଶେରଗଡ ରାସ୍ତା ଅବରୋଧ କରି ମହିଳା ଓ ପୁରୁଷ ମାନେ ତଳେ ବସି ପ୍ରତିବାଦ କରିଥିଲେ ।















