ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଶ୍ରୀମନ୍ଦିରରେ ଭାଦ୍ରବ ମାସ ଶୁକ୍ଳପକ୍ଷ ବୁଧବାର ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ଧୂପ ଛେକ ଆସିବା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।ମଧ୍ୟାହ୍ନ ଧୂପ ଉଠିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଅଙ୍କନ କରିଥିଲେ । ତିନି ବାଡ଼ରେ ବନ୍ଦାପନା ପରେ କଳସ ବରୁଣ ପୂଜା ସମ୍ପନ୍ନ ହୋଇଥିଲା । ପତିମହାପାତ୍ର ଓ ମୁଦିରସ୍ତ ଥାଇ ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣ ଘରେ ଭୋଗ ଶେଷ ପରେ କୃଷ୍ଣ (ବାମନ)ଙ୍କୁ ଭିତର ସିଂହାସନକୁ ବିଜେ କରାଇଥିଲେ । ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡିପ୍ରସାଦ ଲାଗି କରିବା ପରେ କୃଷ୍ଣଙ୍କୁ ସର୍ବତ୍ର ଭଦମଣ୍ଡଳ ଉପରେ ବିଜେ କରାଇଥିଲେ ।















