ଭୁବନେଶ୍ଵର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ମାଷ୍ଟରକ୍ୟାଣ୍ଟିନ ଛକ ସ୍ଥିତ ଲୋୟର ପିଏମଜି ଠାରେ ଆମ ଆଦ୍ମୀ ପାର୍ଟି ତରଫରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ପାର୍ଟିର କାର୍ଯକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ ଏବଂ ଏମଏମଡ଼ିଆର ସଂଶୋଧନ ଆଇନ -2026 ବିରୁଦ୍ଧରେ ନିଜର ପ୍ରତିବାଦ ଜଣାଇଥିଲେ । ଏହି ସଭାକୁ ସମ୍ବୋଧିତ କରି ଓଡ଼ିଶା ସହ ପ୍ରଭାରୀ ଶ୍ରୀଯୁକ୍ତ ଅଜିତ ପାଲ ଓଡ଼ିଶାରେ ବିଜେପିର ଅରାଜକ ଶାସନ ତଥା ଷଡଯନ୍ତ୍ର ପୂର୍ବକ ଓଡ଼ିଶାର ଖଣି ଖାଦାନ କୁ ବେପାରୀଙ୍କୁ ବିକ୍ରି କରିବାର ଷଡଯନ୍ତ୍ର ବିରୁଦ୍ଧରେ ନିଜର ବକ୍ତବ୍ୟ ରଖିଥିଲେ।

ସେହିପରି ଭାବରେ ଓଡ଼ିଶା ସହ ପ୍ରଭାରୀ ଶ୍ରୀଯୁକ୍ତ ଦିନେଶ କୁମାର , ଶ୍ରୀଯୁକ୍ତ ନରେନ୍ଦ୍ର ସିଂହ ପ୍ରଧାନ ଏବଂ ଶ୍ରୀଯୁକ୍ତ ସୁନିଲ ଲୋହିଆ ଅରବିନ୍ଦ କେଜରିୱାଲଙ୍କ ଶାସନକୁ ବିଜେପି ସହିତ ତୁଳନା କରି ଓଡ଼ିଶାରେ ଆମ୍ ଆଦ୍ମୀ ପାର୍ଟି ର ଶାସନ ଆଣିବା ପାଇଁ ଆହ୍ୱାନ ଦେଇଥିଲେ। ଓଡ଼ିଶାରେ ସଙ୍ଗଠନ ଦାୟିତ୍ଵ ନେଇଥିବା ଏହି ସହ ପ୍ରଭାରିମାନେ ଆଗାମୀ ପଞ୍ଚାୟତ ଏବଂ ନଗର ପାଳିକା ନିର୍ବାଚନରେ ବିଜେପିର ଓଡ଼ିଶାର ଖଣି ଖାଦାନକୁ ଓଡ଼ିଶାବାସୀଙ୍କ ଠାରୁ ଲୁଟ କରିବା ଚକ୍ରାନ୍ତ ବିରୁଦ୍ଧରେ ଏକ ଜନଦେଶ ଦେବାପାଇଁ ନିବେଦନ କରିଥିଲେ।

ଆମ୍ ଆଦ୍ମୀ ପାର୍ଟି ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଓଡିଆ ଅସ୍ମିତା ଏବଂ ଡବଲ ଇଞ୍ଜିନ ସରକାରର ସ୍ଵପ୍ନ ଦେଖାଇ ଓଡ଼ିଶାର ଶାସନକୁ ଆସିଥିବା ବିଜେପିର ଓଡ଼ିଶା ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ସେ ଚିନ୍ତା ପ୍ରକଟ କରିଥିଲେ ଯେ କେନ୍ଦ୍ରର ବିଜେପି ସରକାର ଷଡଯନ୍ତ୍ର କରି ମାଇନ୍ସ ଏବଂ ମିନେରାଲସ ଡେଭେଲପମେଣ୍ଟ ଆକ୍ଟରେ ଆମେଣ୍ଡମେଣ୍ଟ ଆଣି ଓଡ଼ିଶା ଖଣି ଏବଂ ଖଣି ଥିବା ଜମିକୁ ନିଜ ଅକ୍ତିଆରକୁ ନେଇ ଯାଇଥିବାବେଳେ ଓଡ଼ିଶାର ବିଜେପି ସରକାର ତଥା ଓଡ଼ିଶାରୁ ନିର୍ବାଚିତ ବିଜେପି ସାଂସଦ ମାନେ କିପରି ଚୁପ ରହିଛନ୍ତି ?

ଏହା ବ୍ୟତୀତ ଏହି ସଂଶୋଧନ ଦ୍ଵାରା ଓଡ଼ିଶାବାସୀଙ୍କୁ ହେବାକୁ ଥିବା ବକେୟା ପ୍ରାପ୍ୟ ବାବଦରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର କ୍ଷତି ଏବଂ ବାର୍ଷିକ ପ୍ରାୟ ୧୫ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି କୁ ନେଇ ସେ ବିଜେପି ସରକାରକୁ ତୀବ୍ର ନିନ୍ଦା କରିଥିଲେ। ଓଡ଼ିଶାର ଖଣି ଏବଂ ଜମିକୁ କୌଣସି ପରିସ୍ଥିତିରେ ଓଡ଼ିଶାବାସୀ ଛାଡ଼ିବେ ନାହିଁ ବୋଲି ସେ ଦୃଢ ମତ ପ୍ରକାଶ କରିଥିଲେ। ଏହି ପ୍ରତିବାଦ ସଭାରେ ଆମ୍ ଆଦ୍ମୀ ପାର୍ଟି ଓଡ଼ିଶାର ସମସ୍ତ ସଙ୍ଗଠନ ସମ୍ପାଦକ ଯଥା ସୌମ୍ୟ ରଞ୍ଜନ ସ୍ଵାଇଁ , ଭରତ ଦାସ , ସଂଦୀପ୍ତ ଦାସ , କଲ୍ୟାଣ ଆନନ୍ଦ, ଭବାନୀ ପ୍ରସାଦ ସାହୁ , ଜନ୍ମେଜୟ ସ୍ଵାଇଁ ,

ଶ୍ରୀକାନ୍ତ ପାଣି ଏବଂ ବିଷ୍ଣୁ ପ୍ରସାଦ ପଣ୍ଡା ସମ୍ବୋଧିତ କରିବା ସହିତ ଏହି ଲଢେଇକୁ ଜୋରଦାର କରିବାପାଇଁ ଏବଂ ବିଶ୍ୱାସଘାତକ ବିଜେପି ସରକାରକୁ ଶାସନରୁ ହଟାଇବା ପାଇଁ ଶପଥ ନେଇଥିଲେ। ଆମ୍ ଆଦ୍ମୀ ପାର୍ଟିର ସମସ୍ତ ଜିଲ୍ଲା ସଭାପତି ଏବଂ କ୍ରାନ୍ତିୟ ନେତୃତ୍ଵ ତଥା କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଏମଏମଡ଼ିଆର ଆକ୍ଟ -୨୦୨୬ ସଂଶୋଧନକୁ ବିରୋଧ କରି ବିଜେପି ସରକାରର କୁଶ ପୁତ୍ତଳିକା ଦାହ କରିବା ସହିତ ଆଗାମୀ ଦିନରେ ଏହି ଖଣି ଲୁଟ ଷଡଯନ୍ତ୍ରକୁ ଉଜାଗର କରିବା ପାଇଁ ତଥା ଏ ସମ୍ପର୍କରେ ଜନସଚେତନତା ପ୍ରସ୍ତୁତ କରିବା ପାଇଁ ପାର୍ଟି ତରଫରୁ “ଗାଁକୁ ଚାଲ” କାର୍ଯ୍ୟକ୍ରମ ନେବାପାଇଁ ଘୋଷଣା କରାଯାଇଥିଲା ।















