ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବନମାଳିପୁର ଗ୍ରାମସ୍ଥିତ ଶ୍ରୀ ଶ୍ରୀସୋମନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଗୁରୁଦିବସ ଅବସରରେ ‘ମୋ ମାଟି ଭାପୁର’ ଆନୁକୂଲ୍ୟରେ ଆୟୋଜିତ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଗୁରୁସାକ୍ଷାତ ପରଂବ୍ରହ୍ମ କାର୍ଯ୍ୟକ୍ରମର ସଭାପତି ଶିକ୍ଷକ ରବୀନ୍ଦ୍ରନାଥ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ କାଦମ୍ବିନୀ ପତ୍ରିକା ସମ୍ପାଦିକା ଡ. ଇତି ସାମନ୍ତ ଓ ସମ୍ମାନିତ ଅତିଥିଭାବେ ଅଧ୍ୟାପିକା ପ୍ରତିଭା ମହାରଥା, ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡା. ଦାସ ବାରେନ୍ଦ୍ର ମନୋହର,

ଶିକ୍ଷାବିତ ପ୍ରଫୁଲ୍ଲ ମହାନ୍ତି, ଅବସରପ୍ରାପ୍ତ ଅଧ୍ୟାପକ ଡ. ପବିତ୍ର ସୁବୁଦ୍ଧି, ବରିଷ୍ଠ ଜିଲା ପରିଷଦ ସଦସ୍ୟ ରାମେଶ୍ବର ଶତପଥୀ ପ୍ରମୁଖ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୃତିରେ ଫୁଲ, ଚନ୍ଦନ, ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ! ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ର ଓ ଯୁବ ସମାଜର ପଥ ପ୍ରଦର୍ଶକ ହୁଅନ୍ତୁ ଓ ଉତ୍କଳୀୟ ପରମ୍ପରାରେ ଗୁରୁ ଶିଷ୍ୟଙ୍କର ମହତ୍ତ୍ବ ସମ୍ପର୍କରେ ବିଷୟରେ ଅତିଥିମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅଂଶୁମାନ ଜେନା ମଞ୍ଚରେ ସଂଯୋଜନା କରିଥିଲେ । ଖଣ୍ଡପଡ଼ା -ଭାପୁର ନିର୍ବାଚନ ମଣ୍ଡଳୀ ଅଧୀନ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ, ଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାବିତମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏ ଅବସରରେ ଖଣ୍ଡପଡ଼ା ଓ ଭାପୁର ଅଞ୍ଚଳରେ କାର୍ଯ୍ୟରତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ମୋ ମାଟି ଭାପୁର ଅନୁଷ୍ଠାନର ସଭାପତି ବେଣୁଧର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l














