No Result
View All Result
ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ସକ୍ଷମ ଓଡ଼ିଶା ପୂର୍ବ ପକ୍ଷରୁ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ଏକ ବୃହତ୍ ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜିତ ହୋଇଛି । ଏହି ଶିବିରରେ ପ୍ରାୟ ୫୦୦ ଜଣ ଅଂଶଗ୍ରହଣ କରିଥିବାବେଳେ ୧୮୨ ଜଣ ଦିବ୍ୟାଙ୍ଗଜନଙ୍କୁ ବିଭିନ୍ନ ପ୍ରକାରର ସହାୟକ ଉପକରଣ ବଣ୍ଟନ କରାଯାଇଛି । ଏହି ଅବସରରେ ମୋଟରାଇଜଡ଼ ବ୍ୟାଟେରୀ ଚାଳିତ ଯାନ, ହ୍ୱିଲଚେୟାର, ଟ୍ରାଇସାଇକେଲ, କମୋଡ୍ ହ୍ୱିଲଚେୟାର, କ୍ରଚ୍, ସହାୟକ ବେଲ୍ଟ, ଭେଷ୍ଟ ଓ ହିୟାରିଂ ଏଡ୍ ଆଦି ଉପକରଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।

ଏହା ଦ୍ୱାରା ଦିବ୍ୟାଙ୍ଗଜନଙ୍କ ଗତିଶୀଳତା, ସ୍ୱାଧୀନତା, ଆତ୍ମନିର୍ଭରଶୀଳତା ଓ ସମ୍ମାନଜନକ ଜୀବନଯାପନରେ ସହାୟତା ମିଳିବ । ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସମାବେଶୀ ସମାଜ ଗଠନ ଓ ଦିବ୍ୟାଙ୍ଗଜନଙ୍କୁ ସଶକ୍ତ କରିବା ଦିଗରେ ସକ୍ଷମର ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ୍ ମଧୁମିତା ରଥ ଏକ ନ୍ୟାୟସଙ୍ଗତ ଓ ସୁସ୍ଥ ସମାଜ ଗଠନ ପାଇଁ ସାମୂହିକ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସକ୍ଷମର ଜାତୀୟ ଉପାଧ୍ୟକ୍ଷ କମଳାକାନ୍ତ ପାଣ୍ଡେ, ଜାତୀୟ ମହାସଚିବ ଉମେଶ ଅନ୍ଧାରେ, ଓଡ଼ିଶା ରାଜ୍ୟ ସଚିବ ମନସ୍ମିତା ଜେନା, ନୟାଗଡ଼ ଶାଖା ସଭାପତି ଅଖିଲ ମହାରଣା ଓ ଏସ୍ଭିଏନ୍ଆଇଆର୍ଟିଏଆର୍ ର ନିର୍ଦ୍ଦେଶକ ପି.ପି. ମହାନ୍ତିଙ୍କ ସମେତ ବହୁ ସ୍ୱେଚ୍ଛାସେବୀ, ସାମାଜିକ କର୍ମୀ ଓ ସମୁଦାୟର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ପ୍ରକୃତ ସଶକ୍ତିକରଣ କେବଳ ସହାୟତା ପ୍ରଦାନ କରିବା ନୁହେଁ – ଏହା ସୁଯୋଗ ସୃଷ୍ଟି କରିବା,

ଆତ୍ମବିଶ୍ୱାସ ପୁନଃସ୍ଥାପନ କରିବା ଏବଂ ପ୍ରତ୍ୟେକ ଦିବ୍ୟାଙ୍ଗଜନଙ୍କୁ ସମାଜରେ ଗର୍ବର ସହିତ ଠିଆ ହେବାକୁ ସକ୍ଷମ କରିବା ବୋଲି ସକ୍ଷମ ଓଡ଼ିଶା ପୂର୍ବ ପକ୍ଷରୁ ଦର୍ଶା ଯାଇଥିଲା । “ ସକ୍ଷମ ଭାରତ : ସମର୍ଥ ଭାରତ”ଗଠନର ବୃହତ ଲକ୍ଷ୍ୟକୁ ସାକାର କରିବା ଦିଗରେ ଓଡ଼ିଶାରେ ଦିବ୍ୟାଙ୍ଗଜନ ମାନଙ୍କର ସଶକ୍ତିକରଣ, ସ୍ୱାବଲମ୍ବନ ଓ ସମ୍ମାନଜନକ ଜୀବନ ଧାରଣକୁ ସୁନିଶ୍ଚିତ କରିବା ନେଇ ସକ୍ଷମ ଓଡ଼ିଶା ପୂର୍ବ ପକ୍ଷରୁ ଏଭଳି ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।


No Result
View All Result