ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ବେଣ୍ଟ ଠାରେ ଠାବ କରାଯାଇଥିବା ନରକଙ୍କାଳ କୁ ଓସ୍ତପଡା କାଳିଆର ବୋଲି କହି ପୁଲିସ ଅନ୍ଧାରରେ ବାଡ଼ି ବୁଲାଇ କପୋଳକଳ୍ପିତ ତଥ୍ୟ ପ୍ରଦାନ କରି ନିଜେ କାଠଗଡାକୁ ଟାଣି ହୋଇଯାଇଛି ।
ପ୍ରକୃତ ମୃତକ ଦିବ୍ୟପ୍ରକାଶ ନ୍ୟାୟ ପାଇବ କିପରି, ଏହାହିଁ ବିରାଟ ପ୍ରଶ୍ନବାଚୀ l
ଟାଙ୍ଗୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ବେଣ୍ଟ ଗ୍ରାମ ନିକଟରୁ ଠାବ କରାଯାଇଥିବା ଏକ ନର କଙ୍କାଳକୁ ନେଇ ଶିର ନାସ୍ତି ଶିର ପୀଡା ଭଳି ଏହା ଓସ୍ତପଡା କାଳିଆର ବୋଲି ତା’ ପିତାମାତାଙ୍କ ମନାକରିବା ସତ୍ୱେ ପୁଲିସ ଅନ୍ଧାର ଘରେ ବାଡ଼ି ବୁଲାଇ କପୋଳ କଳ୍ପିତ ତଥ୍ୟ ପ୍ରଦାନ କରି ନିଜେ କାଠଗଡା଼କୁ ଟାଣି ହୋଇଗଲା ପରି ସ୍ପଷ୍ଟ ହେବାରେ ଲାଗିଛି । କାଳିଆର ବାପା ପାଣୁ ସାହୁ ଥାନାରେ ଏଥିନେଇ କୌଣସି ଅଭିଯୋଗ କରି ନଥିବା ଓ ଘଟଣା ସ୍ଥଳକୁ ଯାଇ ଏହା ତାଙ୍କର ପୁଅର ବୟସ ଦୃଷ୍ଟିରୁ ନର କଙ୍କାଳ ଟି ତାଙ୍କ ପୁଅର ନୁହେଁ ବୋଲି କହିବା ସତ୍ୱେ ସେ ଦାବିଦାର ବୋଲି କହିବା ପଛରେ କାହାକୁ ସୁରକ୍ଷା ଦେବା ପାଇଁ ପୁଲିସ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଥିବା ସନ୍ଦେହ କରାଯାଉଛି ।

ଜଣେ ସରଳ ନିରୀହ ବୟସ୍କ ଚାଷୀର ସରଳତାର ସଯୋଗ ନେଇ ପାଣୁ ସାହୁ ଓ ତାଙ୍କ ସ୍ତ୍ରୀ ଗଣ୍ଡେଇଙ୍କ ଠାରୁ ରକ୍ତ ନମୁନା ନେଇ ଡ଼ିଏନଏ ପରୀକ୍ଷା କରିବାର କୌଣସି ଆବଶ୍ୟକତା ନଥିବା ବେଳେ ଏହାକୁ ହେରଫେର କରାଯିବାକୁ ନେଇ ସନ୍ଦେହ ଦୃଢ଼ୀଭୂତ ହେଉଛି । ଅପରପକ୍ଷେ ବେଣ୍ଟ ସ୍ଥିତ ଶ୍ରୀରାଗମ ଚିଙ୍ଗୁଡ଼ି କାରଖାନାରେ କାର୍ଯ୍ୟରତ ଯାଜପୁର ଗୋପାଳପୁରର ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ୨୨/୨୩ ବର୍ଷର ପୁଅ ଦିବ୍ୟପ୍ରକାଶଙ୍କର ବୋଲି ତାଙ୍କ ପରିବାର ଚିହ୍ନଟ କରିଥିବା ଓ ଏକ ମୋବାଇଲ ଚୋରି ଘଟଣାରେ ବଚସାକୁ କେନ୍ଦ୍ର କରି ତାକୁ ହତ୍ୟା କରାଯାଇଥିବା ଅଭିଯୋଗକୁ ଚାନ୍ଦପୁର ଥାନାଧିକାରୀ ଫେରାଇଦେବା ଘଟଣା ତଦନ୍ତ ପରିସରକୁ ଏଯାବତ ଆସିନାହିଁ ।

ଏହି ହତ୍ୟାକାଣ୍ଡ ସହିତ ଏକାଧିକ ବ୍ୟକ୍ତି ଓ ଜଣେ ଅଭ୍ୟାସଗତ ଅସାମାଜିକ ବ୍ୟକ୍ତି ଜଡିତ ଥିବା ଯାହାଙ୍କ ପରାମର୍ଶ କ୍ରମେ ମର ଶରୀର କୁ ବିକୃତ କରିବା ପାଇଁ ତା ଉପରେ ରାସାୟନିକ ପଦାର୍ଥ ଢାଳି ଦିଆଯାଇଛି । ଏତଦ ବ୍ୟତୀତ ଏହି କାରଖାନାରେ ଦୃଢ ନିରାପତ୍ତା ବ୍ୟବସ୍ଥା ଓ ଅନେକ ଜାଗାରେ ସିସି କାମେରା ଲଗାଯାଇଛି । ସେସବୁକୁ ତୁରନ୍ତ ପୁଲିସ ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ ଏହି କାରଖାନାକୁ ସୁରକ୍ଷା ଦେବା ନିମିତ୍ତ ପ୍ରଭାବଶାଳୀ ରାଜନେତା ଓ ତାଙ୍କର ଚାମଚା ମାନେ ବିପୁଳ ଆର୍ଥିକ ଫାଇଦା ହାସଲ କରୁଥିବା ବେଳେ ପୁଲିସ ତଦନ୍ତ ବାଟବଣା ହେବାରେ ଲାଗିଛି । ଦିବ୍ୟପ୍ରକାଶ ଏଠାରେ ପ୍ରାୟ ୪/୫ ମାସ ହେଲା କାମ କରୁଥିଲେ ।

ପ୍ରତିଦିନ ସେ ଘରକୁ ଫୋନ କରନ୍ତି । କିନ୍ତୁ ଗତ 9 ତାରିଖ ଠାରୁ ତାଙ୍କର କୌଣସି ଫୋନ ତାଙ୍କ ପରିବାର ନପାଇବା ପରେ ପରିବାର ଲୋକେ ଦୁଶ୍ଚିନ୍ତାରେ ପଡ଼ି ତାଙ୍କୁ ଏଠାକୁ ଆଣିଥିବା ଠିକାଦାର ଓ କାରଖାନା ମ୍ୟାନେଜରଙ୍କୁ ଫୋନ କରି କୌଣସି ସନ୍ତୋଷ ଜନକ ଉତ୍ତର ପାଇଲେ ନାହିଁ । ତାଙ୍କ ନିଜ ଗାଁ ବନ୍ୟା ଘେରରେ ଥିବା ହେତୁ ସେମାନେ ଆସିବା ସମ୍ଭବ ହୋଇପାରିଲା ନାହିଁ । ତେଣୁ ତାଙ୍କ ପରିବାର ଲୋକେ ଗତ ୨୦ ତାରିଖରେ ଆସି ବେଣ୍ଟରେ ପହଂଚି ପୁଅ ନିଖୋଜ ଖବର ଶୁଣିଲେ ।

ସ୍ଥାନୀୟ ଲୋକେ ଏକ ନରକଙ୍କାଳ ଜଙ୍ଗଲ ପାଖରେ ପଡ଼ିଥିବା ଗତକାଲି କହିବା ପରେ ରାସାୟନିକ ସାମଗ୍ରୀ ପକାଇ ଶବଟିକୁ ବିକୃତ କରି ଦିଆଯାଇଥିଲେ ମଧ୍ୟ ବାପା ରାଜେନ୍ଦ୍ର, ମାଆ ମମତା ଓ ଖୁଡି ଅକ୍ଷୟବାଳା ପ୍ରମୁଖ ବେକରେ ଥିବା ମାଳି, ହାତରେ ଲଗାଇଥିବା ବ୍ରେସଲେଟ ଓ ଚଡିକୁ ଦେଖି ଏହା ଦିବ୍ୟପ୍ରକାଶଙ୍କ ଶବ ବୋଲି ଚିହ୍ନଟ କରିଥିଲେ । ଏହିସବୁ ଘଟଣା କୁ ବାପା ରାଜେଦ୍ର ଚାନ୍ଦପୁର ଥାନାରେ ଦାଖଲ କରିଥିବା ଅଭିଯୋଗ କୁ ଥାନା ବାବୁ ଫେରାଇଦେଇ କହିଲେ ଏକ ନିଖୋଜ ଅଭିଯୋଗ ଦିଅ । ତଦନୁସାରେ ରାଜେନ୍ଦ୍ର ୨୧ ତାରିଖରେ ନିଖୋଜ ଅଭିଯୋଗ ଦେଇଥିଲେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ତାଙ୍କ ସୂଚନା ଅନୁସାରେ ଦିବ୍ୟପ୍ରକାଶ ଅଗଷ୍ଟ 8 ତାରିଖ ଅପରାହ୍ନ ୧:୧୭ ସମୟରେ ଏକ ଫଟୋ ଉଠାଇଥିଲେ । ସେ ତାଙ୍କ ଡାହାଣ ହାତରେ ଯେଉଁ ବ୍ରେସଲେଟ ଲଗାଇଥିଲେ ସେଇଟି ଘଟଣା ସ୍ଥଳରେ ପଡ଼ିଥିବାର ସ୍ପଷ୍ଟ ଦେଖାଯାଉଥିବା ବେଳେ ସେ ସବୁ ତଥ୍ୟକୁ ଅଣଦେଖା କରାଯାଉଛି । ନୀୟମାନୁସାରେ ପୁଲିସ ଅଭିଯୋଗକାରୀଙ୍କ ଅଭିଯୋଗ ରଖି ତାହାକୁ ଷ୍ଟେସନ ଡ଼ାଇରୀ ଅବା ମାମଲା ରୁଜୁ କରି ତଦନ୍ତ କରିବା ଆବଶ୍ୟକ ହେଲେ ହେଁ ପୁଲିସ ର ମାମଲା ପଞ୍ଜିକୃତ ନକରି ଫେରେଇ ଦେବା ଆଇନ ସମ୍ମତ ନୁହେଁ । ତେଣୁ ପୁଲିସର ତଦନ୍ତ ପ୍ରକ୍ରିୟାରେ ରାଜେନ୍ଦ୍ର ଆଦୌ ଖୁସୀ ନଥିବା ଲକ୍ଷ୍ୟ କରାଯାଉଛି ।

ତାଙ୍କ ଖୁସୀ ପାଇଁ ତ ପୁଲିସ ତଦନ୍ତ କରିବ ନାହିଁ । ଡ଼ି ଏନ ଏ ପରୀକ୍ଷା ରିପୋର୍ଟ ହେରଫେର ହୋଇପାରେ ବୋଲି ରାଜେନ୍ଦ୍ର ସନ୍ଦେହ ପ୍ରକଟ କରିଛନ୍ତି ।ତାହା ଅବାସ୍ତବ ମନେହୁଏ । ଏଠାରେ ନର କଙ୍କାଳ ର ବୟସ କୁ ୨୨ ଓ ୪୦ ବର୍ଷ ର ପାର୍ଥକ୍ୟ ଦେଖାଦେଇଛି । ତାହାବି ପରୀକ୍ଷା କରି ପ୍ରକୃତ ବୟସ ବାହାର କରାଯାଇ ପାରିବ ତେବେ ଏଠାରେ ପ୍ରଶ୍ନ ଉଠୁଛି, କାଳିଆ ପରିବାର ତରଫରୁ କୌଣସି ଅଭିଯୋଗ ନାହିଁ, ଅଥଚ ଏହି ଶବକୁ ନେଇ ଉଭୟ ପକ୍ଷ ଦାବିଦାର ଥିବା କେଉଁ ଆଧାର ରେ କରାଗଲା, ତାହା ଶ୍ରୀରାଗମ ଚିଙ୍ଗୁଡ଼ି କାରଖାନାକୁ ତଦନ୍ତ ପରିସରରୁ ଦୂରେଇ ରଖିବା ପାଇଁ ସୁଚିନ୍ତିତ ଯୋଜନା ନୁହେ ତ ?














