ହିଞ୍ଜିଳିକାଟୁ (ଓଡ଼ିଶା ତାଜାନ୍ୟୁଜ) (ନିପ୍ର) :- ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଚୋରି,ଜୁଆ ଆଡ୍ଡା ଓ ବନ୍ଧୁକ ଜବତ ଘଟଣାରୁ ଅସାମାଜିକ ଓ ଅପରାଧୀ ଗୋଷ୍ଠୀ ସକ୍ରିୟ ଥିବା ଜଣା ପଡିଛି। ଶୁକ୍ରବାର ରାତିରେ ହିଞ୍ଜିଳି ଥାନା ୫୯ ନଂ ଜାତୀୟ ରାଜପଥ ଖଣ୍ଡରା ଛକ ନିକଟରେ ସମ୍ପୃକ୍ତ ଗ୍ରାମର ଜଣେ ଫୁଲ ଚାଷୀଙ୍କ ତଣ୍ଟିକୁ ଜଣେ ଅଜଣା ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।
ରକ୍ତାକ୍ତ ଆକ୍ରମଣର ଶିକାର ହୋଇଥିବା ଫୁଲ ଚାଷୀ ଜଣକ ହେଲେ ଖଣ୍ଡରା ଗ୍ରାମ ନୂଆଁ ସାହି ବାସିନ୍ଦା ଉଦ୍ଧବ ପାଢ଼ୀ (୫୦)। ଘଟଣା ପରେ ଗୁରୁତର ଆହତ ଉଦ୍ଧବ ନିଜେ ବାଇକ ଚଳାଇ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଲୋକଙ୍କ ଆଗମନକୁ ଆଶଙ୍କା କରି ଦୁବୃର୍ତ୍ତ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଛି। ଘଟଣାରୁ ପ୍ରକାଶ ଚାଷୀ ଉଦ୍ଧବ ନିଜ କ୍ଷେତରେ ବିଭିନ୍ନ ପ୍ରକାରର ଫୁଲ ଚାଷ କରି ସେଗୁଡ଼ିକୁ ହିଞ୍ଜିଳିକାଟୁ,
ଆସିକା ଓ ଅନ୍ୟାନ୍ୟ ଅଞ୍ଚଳର ବିଭିନ୍ନ ଫୁଲ ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି। ସବୁଦିନ ପରି ଆସିକାରୁ କାମ ସାରି ଶୁକ୍ରବାର ରାତି ପ୍ରାୟ ୯ ଘଣ୍ଟା ସମୟରେ ଉଦ୍ଧବ ଘର ଅଭିମୁଖେ ଫେରୁଥିବା ବେଳେ ଖଣ୍ଡରା ଛକର ଏକ ନିକାଞ୍ଚନ ସ୍ଥାନରେ ତାଙ୍କ ବାଇକକୁ ଜଣେ ଅଜଣା ଦୁର୍ବୃତ୍ତ ଅଟକାଇ ଥିଲା। ପରେ ସେ ଧରିଥିବା ଏକ ଧାରୁଆ ଅସ୍ତ୍ରରେ ଉଦ୍ଧବଙ୍କ ତଣ୍ଟିକୁ ବାରମ୍ବାର ଆକ୍ରମଣ କରିଥିଲା। ପରେ ଲୋକ ଯାତାୟାତକୁ ଆଶଙ୍କା କରି ଆକ୍ରମଣକାରୀ ଦୁର୍ବୁତ୍ତ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା।
ଗୁରୁତର ଆହତ ଉଦ୍ଧବ ରକ୍ତାକ୍ତ ଅବସ୍ଥାରେ ବାଇକ ଧରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।ତାଙ୍କ ତଣ୍ଟିର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ କରୁଛି।ଦୁର୍ବୃତ୍ତ ଜଣକ ଉଦ୍ଧବଙ୍କୁ ଆକ୍ରମଣ କରିଥିଲା ବେଳେ ତାଙ୍କ ପାଖରେ ଥିବା ମୋବାଇଲ ଓ ଅନ୍ୟାନ୍ୟ ଜରୁରୀ ଜିନିଷ ପତ୍ର ସୁରକ୍ଷିତ ଥିବା ଜଣାପଡିଛି।















