ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ମାଲକାନଗିରି ଜିଲ୍ଲାରେ ଚାଲିଥିବା ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ତଥା ବିଶେଷ ସଂଶୋଧନ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ଓ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ମାଥିଲି ବ୍ଲକ ଗସ୍ତ କରି ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ସ୍ଥିତି ପରଖିଛନ୍ତି । ଏହି କ୍ଷେତ୍ର ପରିଦର୍ଶନ ସମୟରେ ବିଭିନ୍ନ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଚାଲିଥିବା ଅନଲାଇନ୍ ଦସ୍ତାବିଜ ଅପଲୋଡିଂ କାର୍ଯ୍ୟର ପ୍ରଗତି ସମ୍ପର୍କରେ ଏକ ବିସ୍ତୃତ ସମୀକ୍ଷା କରାଯାଇଥିଲା ।

ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମାନଙ୍କ ଦ୍ୱାରା ସମସ୍ତ ଅଭିଯୋଗ ଓ ଆବେଦନର ଶୁଣାଣି ପ୍ରକ୍ରିୟା ସଫଳତାର ସହ ଶେଷ ହୋଇସାରିଛି । ତେଣୁ ଏହା ପରେ ଯେଉଁ ସବୁ ଦସ୍ତାବିଜଗୁଡ଼ିକ ଅପଲୋଡ୍ ନହୋଇ ବାକି ରହିଛି, ସେଗୁଡ଼ିକୁ କୌଣସି ବିଳମ୍ବ ନକରି ତୁରନ୍ତ ଡିଜିଟାଲ୍ ପୋର୍ଟାଲରେ ଅପଲୋଡ୍ କରିବାକୁ ଜିଲ୍ଲାପାଳ ସମସ୍ତ ବିଏଲଓ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି ସଂଶୋଧନ ପ୍ରକ୍ରିୟାରେ ଯେପରି କୌଣସି ଯୋଗ୍ୟ ଭୋଟର ବାଦ୍ ନପଡ଼ନ୍ତି ଏବଂ ତାଲିକା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ରହେ, ସେଥିପ୍ରତି ସତର୍କ ରହିବାକୁ ସେ କହିଛନ୍ତି ।
ସମୀକ୍ଷା ବୈଠକ ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ ଏକ ସ୍ୱଚ୍ଛ, ନିର୍ଭୁଲ ଏବଂ ସଠିକ ଭୋଟର ତାଲିକା ପ୍ରସ୍ତୁତ କରିବା ଆମ ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ କୌଣସି ପ୍ରକାରର ଶିଥିଳତା କିମ୍ବା ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଏଇଆରଓ ମାନଙ୍କ ପକ୍ଷରୁ ଆଇନଗତ ଶୁଣାଣି ପ୍ରକ୍ରିୟା ସରିଥିବାରୁ, ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ସୀମିତ ସମୟ ସୀମା ମଧ୍ୟରେ ସମସ୍ତ ବାକି ଥିବା କାଗଜପତ୍ର ଅପଲୋଡ୍ କରି ଏହି ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ପ୍ରକ୍ରିୟାକୁ ଶୀଘ୍ର ସମ୍ପୂର୍ଣ୍ଣ କରନ୍ତୁ ।















