ରଣପୁର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ରଣପୁର ପୋଲିସ ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନରେ ଆଉ ଏକ ସଫଳତା ହାସଲ କରିଛି । ସୋମବାର ପୂର୍ବାହ୍ନ ପ୍ରାୟ ୧୧.୧୦ ଘଟିକାରେ ଚଣ୍ଡେଶ୍ୱର ମନ୍ଦିର ନିକଟରେ ପେଟ୍ରୋଲିଂ ସମୟରେ ଏସ୍.ଆଇ. ହାସିନା ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଏକ ସନ୍ଦେହଜନକ ମୋଟରସାଇକେଲ ଆରୋହୀଙ୍କୁ ଅଟକାଇ ଯାଞ୍ଚ କରିଥିଲା ।
ତଲାସୀ ବେଳେ ତାଙ୍କ ନିକଟରୁ ୫.୫ ଗ୍ରାମ ବ୍ରାଉନ ସୁଗାର (ହେରୋଇନ୍) ଜବତ କରାଯାଇଥିଲା । ଗିରଫ ଅଭିଯୁକ୍ତ ହେଲେ କଦମସାହି ଗ୍ରାମର ସ୍ୱପ୍ନେଶ୍ୱର ବେହେରା @ ମନୋଜ ବେହେରା (୨୨) । ଏନ୍.ଡି.ପି.ଏସ୍. ଆଇନର ଧାରା–୫୦ ଅନୁଯାୟୀ ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ଦେହ ତଲାସୀ କରାଯାଇ ମାଦକ ଦ୍ରବ୍ୟ ଜବତ କରାଯାଇଥିଲା ।
ପୋଲିସ ଅଭିଯୁକ୍ତଙ୍କ ନିକଟରୁ ବ୍ରାଉନ ସୁଗାର ସହ ଏକ ମୋଟରସାଇକେଲ (OD 25 4285), ଏକ ମୋବାଇଲ ଫୋନ ଏବଂ ₹୧,୧୦,୩୫୦ ନଗଦ ଟଙ୍କା ମଧ୍ୟ ଜବତ କରିଛି । ଘଟଣାସ୍ଥଳରେ ସମସ୍ତ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତଙ୍କ ବିରୋଧରେ ଏନ୍.ଡି.ପି.ଏସ୍. ଆଇନ,
୧୯୮୫ର ଧାରା ୨୧(ବି) ଅନୁଯାୟୀ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଜବତ ମାଦକ ଦ୍ରବ୍ୟର ଉତ୍ସ ଏବଂ ଏହା ସହ ଜଡିତ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି । ରଣପୁର ପୋଲିସ ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିବା ସହ ସାଧାରଣ ଲୋକଙ୍କୁ ଏଭଳି ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇ ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରିଛି ।














