ବାଲିଗୁଡା (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ଝିପି ଝିପି ବର୍ଷା ରେ ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରଥମେ ମନ୍ଦିର ର ଦ୍ୱାର ଫିଟା ପରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯିବା ପରେ ମହାପ୍ରଭୁଙ୍କ ସକାଳଧୂପ ସମ୍ପନ୍ନ ସହ ଅପରାହ୍ନରେ ରଥ ନିକଟକୁ ଆଜ୍ଞାମାଳ ବିଜେ ହୋଇଥିଲା । ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରିବା ପରେ ରଥରେ ଦଉଡ଼ି ସଂଯୋଗ କରିଥିଲେ ।

ଅପରପକ୍ଷରେ ତିନି ରଥରେ ଶ୍ରୀବିଗ୍ରହଙ୍କ ରୁନ୍ଧା ଏବଂ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା l ମହାପ୍ରଭୁଙ୍କ ଏହି ଦିବ୍ୟ ରୂପକୁ ଦେଖିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଭକ୍ତ ଙ୍କ ଜନସମୁଦ୍ର ହୋଇଥିଲା । ଜୟ ଜଗନ୍ନାଥ, ହରିବୋଲ , ଜୟ ମା ସୁଭଦ୍ରା ଘଣ୍ଟ, ଘଣ୍ଟା, ମୃଦଙ୍ଗ ତାଳରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା । ବର୍ଷାକୁ ଖାତିର ନକରି ମହାପ୍ରଭୁଙ୍କ ଏହି ଯାତ୍ରା ଦେଖିବାକୁ ଶହ ଶହ ଭକ୍ତ ଙ୍କ ସମାଗମ କୁ ଦୃଷ୍ଟି ରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।














