ପୁରୀ (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ନବଯୌବନ ଓ ନେତ୍ରୋତ୍ସବ ଦର୍ଶନ ପାଇଁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ଦର୍ଶନ ଦେଖି ଭକ୍ତ ହୋଇଛନ୍ତି ଧନ୍ଯ । ଅଣସର ତାଟି ଫିଟିବା ସହ ବିଭିନ୍ନ ନୀତିକାନ୍ତି ବଢିବା ପରେ ମହାପ୍ରଭୁଙ୍କ ଆଖିର ଦର୍ଶନ ପାଇଛନ୍ତି ଭକ୍ତ । ଝିପି ଝିପି ବର୍ଷା ଓ କୋହଲା ପାଗରେ ଭକ୍ତ ହୋଇଛନ୍ତି ଭାବ ବିହ୍ଵଳ । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ଶ୍ରୀମନ୍ଦିର ।

କାଳିଆର ଆଖି ଦର୍ଶନ ଦେଖି ଭକ୍ତ ଆଖିରୁ ଭାବାଧାରା ଲୁହ ଝରିଛି । ଭାବ ଭକ୍ତିର ସହ ସମର୍ପିତ ହୋଇ ଭକ୍ତ ଦର୍ଶନ କରିଛି କାଳିଆକୁ । ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପୂର୍ବରୁ ଅଣସର ତାଟିରେ ପୂଜିତ ପଟଦିଅଁମାନଙ୍କୁ ବିସର୍ଜନ କରି ଦିଆଯାଇଛି । ଭକ୍ତମାନେ ଶ୍ରୀବିଗ୍ରହଙ୍କୁ ଦାରୁବ୍ରହ୍ମ ରୂପରେ ଦର୍ଶନ କରିଛନ୍ତି । ଏହା ହେଉଛି ନବଯୌବନ ଦର୍ଶନ । ପରେ ହୁଏ ମହାପ୍ରଭୁଙ୍କ ନେତ୍ରୋତ୍ସବ ନୀତି । ଏହି ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ପୂର୍ବର ବନକଲାଗି କରାଯାଇ ଶ୍ରୀମୁଖ-ଶିଙ୍ଗାରୀ ଦତ୍ତ ମହାପାତ୍ର ସେବକ ମାନେ ଶ୍ରୀଜଗନ୍ନାଥାଦି ଦେବତାମାନଙ୍କର ନେତ୍ର ଅଙ୍କନ କରିଛନ୍ତି ।
ସେଥିରେ ନେତ୍ର ପିତୁଳା ବା ପୁଅଡୋଳା ବି ଅଙ୍କନ କରିଥିଲେ । କିନ୍ତୁ ତାହା ସଂପୂର୍ଣ୍ଣ ହୋଇ ନଥାଏ । ନେତ୍ରୋତ୍ସବ ଦିନ ଦତ୍ତ ମହାପାତ୍ର ସେବକ ତିନିଟି ରୂପା ପାତ୍ରରେ କଳା ପ୍ରସ୍ତୁତ କରି ଦେବା ପରେ, ପୂଜାପଣ୍ଡା ସେବକ ସେହି ନେତ୍ର ପିତୁଳା ଅଙ୍କନକୁ ସଂପୂର୍ଣ୍ଣ କରିବା ପାଇଁ ତିନି ଖଣ୍ଡି ତୁଳସୀ କାଠିରେ ଅଙ୍କନ କରିଥିଲେ । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ପାରିମାଣିକ ଦର୍ଶନ ଓ ସର୍ବ ସାଧାରଣ ଦର୍ଶନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ବ୍ଯବସ୍ଥା ଶୃଙ୍ଖଳିତ ଭାବେ କରାରାଇଥିଲା ।















