– ଚଳିତ ବର୍ଷ ଈଶା ଗ୍ରାମୋତ୍ସବମ୍ରେ 10ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 40,000 ରୁ ଅଧିକ ଗ୍ରାମର ପ୍ରାୟ 80,000ରୁ ଅଧିକ ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।
– ଏହି ଟୁର୍ଣ୍ଣାମେଣ୍ଟ ଏକ ବହୁସ୍ତରୀୟ ଢାଞ୍ଚା ଅନୁସରଣ କରିବ, ଯେଉଁଥିରେ କ୍ଲଷ୍ଟର-ସ୍ତରୀୟ ମ୍ୟାଚ୍, ଡିଭିଜନାଲ୍ ରାଉଣ୍ଡ ଏବଂ ଗ୍ରାଣ୍ଡ ଫିନାଲେ ସାମିଲ ରହିବ।
– ଓଡ଼ିଶାରେ, ଜୁଲାଇ 18 ରୁ ଅଗଷ୍ଟ 2 ପର୍ଯ୍ୟନ୍ତ କ୍ଲଷ୍ଟର-ମ୍ୟାଚ୍ ଅନୁଷ୍ଠିତ ହେବ, ଏହା ପରେ ଅଗଷ୍ଟର ପ୍ରଥମ ଏବଂ ଦ୍ୱିତୀୟ ସପ୍ତାହ ମଧ୍ୟରେ ଡିଭିଜନାଲ୍ ରାଉଣ୍ଡ ଅନୁଷ୍ଠିତ ହେବ।
ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ଭାରତର ସବୁଠାରୁ ବଡ଼ ଗ୍ରାମୀଣ କ୍ରୀଡ଼ା ମହୋତ୍ସବ ‘ଈଶା ଗ୍ରାମୋତ୍ସବମ୍’, ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପ୍ରତିଯୋଗୀଙ୍କ ଅଂଶଗ୍ରହଣ ସହିତ ପୁଣି ଥରେ ଓଡ଼ିଶାକୁ ଫେରୁଛି। ଖେଳାଳି, ରେଫରି, କୋଚ୍, ସାଂସ୍କୃତିକ କଳାକାର ଏବଂ ମଜାଦାର ଖେଳରେ ଭାଗ ନେଉଥିବା ପ୍ରତିଯୋଗୀ ମାନଙ୍କୁ ମିଶାଇ ପ୍ରାୟ 7,000 ଲୋକଙ୍କ ଅଂଶଗ୍ରହଣ ଆଶା କରାଯାଉଛି, ଯାହା ଗତ ବର୍ଷର 3,500 ଅଂଶଗ୍ରହଣକାରୀଙ୍କ ତୁଳନାରେ ପ୍ରାୟ ଦୁଇଗୁଣ । 700ରୁ ଅଧିକ ଦଳ ଗଠନ କରି 5,600ରୁ ଅଧିକ ଖେଳାଳି ରାଜ୍ୟବ୍ୟାପୀ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଆଶା କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ସାତୋଟି କ୍ଲଷ୍ଟର – କଟକ, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, ବଲାଙ୍ଗୀର, ଢେଙ୍କାନାଳ, ସୁନ୍ଦରଗଡ଼ରେ ଆୟୋଜିତ ହେଉଛି – ଯେଉଁଥିରେ କି ସମଗ୍ର ରାଜ୍ୟରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରୁଛନ୍ତି ।

ମହିଳାମାନଙ୍କ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧା, ବାରିପଦା, ସୁନ୍ଦରଗଡ଼, ରାଉରକେଲା, ରାଜଗାଙ୍ଗପୁର ଏବଂ ରାଇକାକାଛାର ଠାରେ ଥ୍ରୋବଲ୍ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରାୟ 580 ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ। ଚଳିତ ବର୍ଷର କାର୍ଯ୍ୟସୂଚୀ ବିଷୟରେ ଅଧିକ ସୂଚନା ପ୍ରଦାନ କରିବା ପାଇଁ ଆଜି ଭୁବନେଶ୍ୱରଠାରେ ‘ଈଶା ଆଉଟ୍ରିଚ୍’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସଦଗୁରୁଙ୍କ ଦ୍ୱାରା ପରିକଳ୍ପିତ ଈଶା ଗ୍ରାମୋତ୍ସବମ୍ର ଲକ୍ଷ୍ୟ ହେଉଛି ଗ୍ରାମୀଣ ଭାରତର ଉତ୍ସାହକୁ ପୁନର୍ଜୀବିତ କରିବା ସହିତ ସମୁଦାୟ, ପରମ୍ପରା ଏବଂ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା ।
ବୃତ୍ତିଗତ କ୍ରୀଡ଼ା ଇଭେଣ୍ଟ୍ଠାରୁ ଭିନ୍ନ, ଗ୍ରାମୋତ୍ସବମ୍ କେବଳ ସାଧାରଣ ଗ୍ରାମୀଣ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁଥିରେ ଚାଷୀ, ମତ୍ସ୍ୟଜୀବୀଙ୍କ ଠାରୁ ଆରମ୍ଭ କରି ଦିନମଜୁରିଆ, କାରିଗର ଏବଂ ଗୃହିଣୀମାନେ ସାମିଲ ଅଛନ୍ତି, ଯାହା ସେମାନଙ୍କୁ ନିଜର ନିତିଦିନିଆ ଜୀବନରୁ ଟିକେ ଦୂରେଇ ରହି କ୍ରୀଡ଼ା ଓ ସଂସ୍କୃତିର ଏକତ୍ରୀକରଣ ଶକ୍ତିକୁ ଅନୁଭବ କରିବାର ଏକ ସୁଯୋଗ ପ୍ରଦାନ କରିଥାଏ । ଈଶା ଗ୍ରାମୋତ୍ସବମ୍ର 18ତମ ସଂସ୍କରଣରେ 10ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 40,000ରୁ ଅଧିକ ଗ୍ରାମରୁ 80,000ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଏକାଠି କରାଯିବ ବୋଲି ଆଶା କରାଯାଉଛି ।
‘ଖେଲୋ ଇଣ୍ଡିଆ’ ଦ୍ୱାରା ସ୍ୱୀକୃତିପ୍ରାପ୍ତ, ଚଳିତ ବର୍ଷର ଏହି ଟୁର୍ନାମେଣ୍ଟରେ ସମଗ୍ର ଦେଶରୁ ପ୍ରାୟ 15,000 ମହିଳା ପ୍ରତିଯୋଗୀଙ୍କୁ ମିଶାଇ 7,000 ରୁ ଅଧିକ ଦଳ ଭାଗ ନେବେ ଏବଂ ଏଥିରେ ମୋଟ ₹1 କୋଟିର ପୁରସ୍କାର ରାଶି ପ୍ରଦାନ କରାଯିବ । ଈଶା ଆଉଟ୍ରିଚ୍ ଦ୍ୱାରା ଏହାର ‘ଆକ୍ସନ ଫର୍ ରୁରାଲ୍ ରିଜୁଭେନେସନ୍’ ଅଭିଯାନ ଅଧୀନରେ ଆୟୋଜିତ, ଏହି ଟୁର୍ଣ୍ଣାମେଣ୍ଟ ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ମହାରାଷ୍ଟ୍ର, ହରିୟାଣା, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ହେବ ।

ଚଳିତ ବର୍ଷର ସଂସ୍କରଣରେ ପୁରୁଷମାନଙ୍କ ପାଇଁ ଭଲିବଲ୍ ଏବଂ ମହିଳାମାନଙ୍କ ପାଇଁ ଥ୍ରୋବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କେବଳ ସେହି ଗ୍ରାମୀଣ ଖେଳାଳିମାନଙ୍କ ପାଇଁ ଉନ୍ମୁକ୍ତ, ଯେଉଁମାନେ ଜାତୀୟ କିମ୍ବା ଆନ୍ତର୍ଜାତୀୟ ସ୍ତରରେ ନିଜ ରାଜ୍ୟ କିମ୍ବା ଭାରତର ପ୍ରତିନିଧିତ୍ୱ କରିନାହାନ୍ତି । ସମସ୍ତ ଖେଳାଳି ଏକା ଗ୍ରାମ ପଞ୍ଚାୟତର ହୋଇଥିବା ଅନିର୍ବାର୍ଯ୍ୟ । ଭଲିବଲ୍ ଖେଳାଳିମାନଙ୍କ ବୟସ ଅନ୍ତତଃ ପକ୍ଷେ 14 ବର୍ଷ ହୋଇଥିବା ଆବଶ୍ୟକ, ସେହିପରି ଥ୍ରୋବଲ୍ ଖେଳାଳିମାନଙ୍କ ବୟସ ଅତିକମରେ 13ବର୍ଷ ହୋଇଥିବା ଆବଶ୍ୟକ । ମହିଳା ଥ୍ରୋବଲ୍ ବିଭାଗରେ, ପ୍ରତ୍ୟେକ ଦଳରେ 21ବର୍ଷରୁ କମ୍ ବୟସର ସର୍ବାଧିକ ତିନି ଜଣ ଖେଳାଳି ସାମିଲ୍ ହୋଇପାରିବେ ।
ଏହି ଟୁର୍ଣ୍ଣାମେଣ୍ଟ ଏକ ବହୁ-ସ୍ତରୀୟ ଢାଞ୍ଚା ଅନୁସରଣ କରିବ, ଯେଉଁଥିରେ କ୍ଲଷ୍ଟର-ସ୍ତରୀୟ ମ୍ୟାଚ୍, ଡିଭିଜନାଲ୍ ରାଉଣ୍ଡ, ସେମିଫାଇନାଲ୍ ଏବଂ ଗ୍ରାଣ୍ଡ ଫିନାଲେ ସାମିଲ୍ ରହିବ । ଅଂଶଗ୍ରହଣ କରୁଥିବା ସମସ୍ତ ରାଜ୍ୟରେ ଜୁଲାଇର ଦ୍ୱିତୀୟ ସପ୍ତାହରୁ କ୍ଲଷ୍ଟର-ସ୍ତରୀୟ ମ୍ୟାଚ୍ ଗୁଡ଼ିକ ଆରମ୍ଭ ହେବ । ଓଡ଼ିଶାରେ, ଏଗୁଡ଼ିକ ଜୁଲାଇ 18 ରୁ ଅଗଷ୍ଟ 2 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଏହା ପରେ ଅଗଷ୍ଟର ପ୍ରଥମ ଏବଂ ଦ୍ୱିତୀୟ ସପ୍ତାହ ମଧ୍ୟରେ ଡିଭିଜନାଲ୍ ରାଉଣ୍ଡ ଅନୁଷ୍ଠିତ ହେବ । ବିଜୟୀ ଦଳଗୁଡ଼ିକ ଗ୍ରାଣ୍ଡ ଫିନାଲେ ପାଇଁ ଯୋଗ୍ୟତା ଅର୍ଜନ କରି ଆଗକୁ ବଢ଼ିବେ, ଯାହା ସେପ୍ଟେମ୍ବର 4 ରୁ 6 ପର୍ଯ୍ୟନ୍ତ କୋଏମ୍ବାଟୁର୍ ସ୍ଥିତ ଈଶା ଯୋଗ କେନ୍ଦ୍ରରେ ପ୍ରସିଦ୍ଧ ଆଦିଯୋଗୀଙ୍କ ସମ୍ମୁଖରେ ଅନୁଷ୍ଠିତ ହେବ ।
ଏହି ପୁରସ୍କାର ରାଶି ମଧ୍ୟରେ ₹1 କୋଟିରୁ ଅଧିକ କ୍ଲଷ୍ଟର, ଡିଭିଜନାଲ୍ ଏବଂ ଗ୍ରାଣ୍ଡ ଫିନାଲେ ସ୍ତରରେ ନଗଦ ପୁରସ୍କାର ସାମିଲ୍ ରହିଛି। କ୍ଲଷ୍ଟର ସ୍ତରରେ, ବିଜୟୀ ଦଳ ₹10,000 ପାଇବେ, ରନର୍ସ-ଅପ୍ ଦଳ ₹7,000 ପାଇବେ, ସେହିପରି ତୃତୀୟ ଏବଂ ଚତୁର୍ଥ ସ୍ଥାନ ହାସଲ କରିଥିବା ଦଳଗୁଡ଼ିକ ଯଥାକ୍ରମେ ₹5,000 ଏବଂ ₹3,000 ପାଇବେ। କ୍ଲଷ୍ଟର ଗୁଡ଼ିକରେ ଯୋଗ୍ୟତା ଅର୍ଜନ କରୁଥିବା ଦଳଗୁଡ଼ିକ ଡିଭିଜନାଲ୍ ମ୍ୟାଚ୍ ଗୁଡ଼ିକ ପାଇଁ ଆଗକୁ ବଢ଼ିବେ । ଡିଭିଜନାଲ୍ ସ୍ତରରେ, ବିଜେତାମାନେ ₹15,000 ପାଇବେ, ରନର୍ସ-ଅପ୍ ଦଳ ₹10,000 ପାଇବେ, ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ ₹6,000 ଏବଂ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳ ₹4,000 ପାଇବେ ।
ଏହି ₹1 କୋଟିର ପୁରସ୍କାର ରାଶି ମଧ୍ୟରେ କ୍ଲଷ୍ଟର, ଡିଭିଜନାଲ୍ ଏବଂ ଗ୍ରାଣ୍ଡ ଫିନାଲେ ସ୍ତରରେ ନଗଦ ପୁରସ୍କାର ସାମିଲ୍ ରହିଛି । ଗ୍ରାଣ୍ଡ ଫିନାଲେରେ, ବିଜୟୀ ଭଲିବଲ୍ ଏବଂ ଥ୍ରୋବଲ୍ ଦଳ ପ୍ରତ୍ୟେକେ ₹5 ଲକ୍ଷ ପାଇବେ, ସେହିପରି ରନର୍ସ-ଅପ୍ ଦଳ ₹3 ଲକ୍ଷ ପାଇବେ । ତୃତୀୟ ଏବଂ ଚତୁର୍ଥ ସ୍ଥାନ ହାସଲ କରିଥିବା ଦଳଗୁଡ଼ିକ ଯଥାକ୍ରମେ ₹1 ଲକ୍ଷ ଏବଂ ₹50,000 ପାଇବେ । ପାରାଅଲିମ୍ପିକ୍ ବିଭାଗ ପାଇଁ ମଧ୍ୟ ସ୍ୱତନ୍ତ୍ର ପୁରସ୍କାର ରାଶି ସଂରକ୍ଷିତ କରାଯାଇଛି । ଈଶା ଗ୍ରାମୋତ୍ସବମ୍ର ଉଦ୍ଦେଶ୍ୟ ହେଉଛି ମିଳିତ କାର୍ଯ୍ୟକ୍ଷମତା ବା ଦଳଗତ ମନୋଭାବ, ସମାବେଶିତା ଏବଂ ତୃଣମୂଳ ସ୍ତରର ପ୍ରତିଭାକୁ ପ୍ରୋତ୍ସାହିତ କରି କ୍ରୀଡ଼ା ମାଧ୍ୟମରେ ଗ୍ରାମୀଣ ସମୁଦାୟ ଗୁଡ଼ିକୁ ସୁଦୃଢ଼ କରିବା । ବିଗତ ବର୍ଷଗୁଡ଼ିକ ମଧ୍ୟରେ, ଏହି ଟୁର୍ଣ୍ଣାମେଣ୍ଟ ମହିଳା ଏବଂ ପ୍ରଥମ ଥର ପାଇଁ ଭାଗ ନେଉଥିବା କ୍ରୀଡ଼ାବିତ୍ମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବା ସହିତ ନିଜର ପହଞ୍ଚକୁ ନିରନ୍ତର ଭାବେ ସମ୍ପ୍ରସାରିତ କରିଚାଲିଛି ।













