ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଚଳିତ ବର୍ଷ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛପାଯାଇଥିବା ସମସ୍ତ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ଲୋକଲୋଚନକୁ ଆସିଛି । ଏହା ଫଳରେ ରାଜ୍ୟର ଛାତ୍ର, ଶିକ୍ଷକ, ଅଭିଭାବକ ଓ ଶିକ୍ଷାପ୍ରେମୀ ଜନଗଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଲ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ୍ (ଏଆଇଡିଏସଓ) ପକ୍ଷରୁ ମଧ୍ୟ ଏହାକୁ ଦୃଢ଼ ବିରୋଧ କରାଯିବା ସହ ସଂଗଠନର ରାଜ୍ୟ ସଭାପତି ସୋମନାଥ ବେହେରା ଓ ସଂପାଦକ ସିଦ୍ଧାର୍ଥ ରଥ ଏକ ପ୍ରେସ ବିବୃତ୍ତିରେ ରାଜ୍ୟର ଲକ୍ଷ ଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସଂପର୍କରେ ଗଣଶିକ୍ଷା ମନ୍ତ୍ରୀ ପ୍ରଦାନ କରିଥିବା ଅତ୍ୟନ୍ତ ଖାମଖିଆଲି ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ଓ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
















