ଅବହେଳା ନା ଅପରାଧୀଙ୍କୁ ପୋଲିସ ଜାଣିଶୁଣି ସୁଯୋଗ ଦେଲା
– ଏନଏଚଆରସିର ତଦନ୍ତ ଆରମ୍ଭ; ବରିଷ୍ଠ ଅଧିକାରୀ ଛାନିଆ
– ଆଇଆଇସିଙ୍କୁ ଅନୁମତି ଦେଲେ କିନ୍ତୁ ନିଜେ ଆସିନଥିଲେ ଡିସିପି
– ସାମାନ୍ୟ ଘଟଣାରେ ଫୋର୍ସ ମୁତୟନ; ବାଲିଅନ୍ତା ବେଳକୁ ବିଳମ୍ବ
– ଭିଡିଓ ଦେଖି ଗିରଫଦାରୀ; କାରଣ ଖୋଜୁନି କ୍ରାଇମବ୍ରାଞ୍ଚ
– ସନ୍ଦେହରେ ମାମଲାରୁ ଦୂରେଇ ରହିଥିବା ଓମପ୍ରକାଶ
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବାଲିଅନ୍ତା ଭିଡହିଂସା ଘଟଣାରେ ଏନଏଚଆରସି ତଦନ୍ତ ଆରମ୍ଭ କରିଛି । ପର୍ଯ୍ୟାୟକ୍ରମେ ଭୁବନେଶ୍ୱର କମିଶନରେଟ ପୋଲିସର ଛୋଟ ଠୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କ ବୟାନ ରେକର୍ଡ କରାଯିବ । ଏତେବଡ ଘଟଣାରେ ପୋଲିସର ଅବହେଳାକୁ ହିଁ ପ୍ରଥମେ ଦାୟୀ କରାଯାଉଛି । ଯେହେତୁ ସହର ଉପକଣ୍ଠ କମିଶନରେଟ ଇଲାକାରେ ପୋଲିସ ବିଳମ୍ବରେ ପହଞ୍ôଚବା ସବୁଠାରୁ ବଡ ପ୍ରଶ୍ନ । ଘଣ୍ଟାଏ କି ଅଧ ଘଣ୍ଟ। । ନୁହେଁ; ଦୀର୍ଘ ୪ରୁ ୫ ଘଣ୍ଟା ଧରି ରାମଚନ୍ଦ୍ରପୁର କାଜ ନିକଟରେ ଅମାନବୀୟ ହିଂସାକାଣ୍ଡ ଚାଲିଥିଲା । ତଥାପି ପୋଲିସ ସେଠାରେ ପହଞ୍ôଚନପାରିବା ବିଷୟକୁ ସହଜରେ ଗ୍ରହଣ କରିହେଉନାହିଁ ।
ପୋଲିସ ଜାଣିଶୁଣି ବିଳମ୍ବରେ ସେଠାକୁ ଯାଇ ହତ୍ୟାକାରୀଙ୍କୁ ସୁଯୋଗ ଦେଇଥିବା ଅଭିଯୋଗ ସାମ୍ନାକୁ ଆସୁଛି । ଯାହାକୁ ନେଇ ଏବେ ବଡବଡିଆ ପୋଲିସ ଅଧିକାରୀଙ୍କ ଭିତରେ ଛକନା ପଶିଛି । ମେ’ ୭ ତାରିଖ ପୂର୍ବାହ୍ନ ୧୦ଟାରେ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଦୁର୍ଘଟଣା ପରବର୍ତ୍ତୀ ହିଂସାକାଣ୍ଡ ଘଟିଥିଲା । ଦୁର୍ଘଟଣାରେ ଆହତ ଦୁଇ ଯୁବତୀଙ୍କ ସହିତ ବଚସା ଉଗ୍ରରୂପ ନେଇଥିବା କୁହାଯାଉଛି । ଧିରେ ଧିରେ ସେଠାରେ ଭିଡ ବଢିଥିଲା । ପରେ ସୌମ୍ୟଙ୍କୁ ରାସ୍ତାରୁ ଘୋଷାଡି ନେଇ ବିଲ ଭିତରେ ସଂଘବଦ୍ଧ ଆକ୍ରମଣ କରାଗଲା । ହାତଗୋଡ ବାନ୍ଧି ଯିଏ ଯେମିତି ଚାହିଁଲା ପିଟିଲେ । ଶେଷରେ ସୌମ୍ୟଙ୍କୁ ହିଂସ୍ର ପଶୁଜନ୍ତୁ ଭଳି ବାଉଁଶ/ବହ୍ଲାରେ ବାନ୍ଧିଦେଇ ମାରିଲେ ।
ଏହି ସମୟରେ ଘଟଣାସ୍ଥଳ ଲୋକାରଣ୍ୟ ହୋଇପଡିଥିଲା । ରାସ୍ତାରେ ଯାଉଥିବା ଅଜଣା ପଥଚାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ସବୁ ଦେଖୁଥାନ୍ତି । ପ୍ରତ୍ୟେକ୍ଷଦର୍ଶୀମାନେ ନିଜ ଫୋନରେ ସବୁ ଦୃଶ୍ୟ ରେକର୍ଡ କରିବା ସହ ୧୧୨କୁ ଫୋନ କରି ଜଣାଇଥିଲେ ମଧ୍ୟ ପୋଲିସ ଶୀଘ୍ର ଆସିପାରିନଥିଲା । ଆଶ୍ଚର୍ଯ୍ୟର ବିଷୟ, ପ୍ରାୟ ୧ ଘଣ୍ଟା ପରେ ବାଲିଅନ୍ତା ଥାନା ପିସିଆର ସେଠାରେ ପହଞ୍ôଚଥିଲା । କିନ୍ତୁ ସେତେବେଳକୁ ସୌମ୍ୟଙ୍କୁ ମାଡମାରି ଦରମରା କରିସାରିଥିଲେ ଲୋକେ । ପିସିଆର କର୍ମଚାରୀ ଚାହିଁଥିଲେ ସୌମ୍ୟଙ୍କୁ ଉଦ୍ଧାର କରିପାରିଥାନ୍ତେ । କିନ୍ତୁ ପ୍ରବଳ ଭିଡର ଆଳ ଦେଖାଇ ଦର୍ଶକ ସାଜିଥିଲେ ।
ପ୍ରାୟ ଅଧ ଘଣ୍ଟା ପରେ ଥାନାର ଜଣେ ଏସଆଇ କିଛି କର୍ମଚାରୀଙ୍କୁ ଧରି ପହଞ୍ôଚଥିଲେ । ଠିକ ସେହି ସମୟରେ ବାଲିଅନ୍ତା ଥାନା ଅଧିକାରୀ ଡିସିପି ଜଗମୋହନ ମୀନାଙ୍କ ଅଧ୍ୟକ୍ଷତାରେ ଚାଲିଥିବା କ୍ରାଇମ ମିଟିଂରେ ବସିଥିଲେ । ଦିନ ପ୍ରାୟ ୧ଟା ବେଳକୁ ଟିଭିରେ ଦେଖି ଥାନା ଅଧିକାରୀ ମିଟିଂ ଅଧାରୁ ଛାଡି ଘଟଣାସ୍ଥଳକୁ ଆସିଥିଲେ । ମାତ୍ର ସେତେବେଳକୁ ସୌମ୍ୟଙ୍କ ମୃତ୍ୟୁ ଘଟିସାରିଥିଲା । ଔପଚାରିକ ଭାବେ ମେଡିକାଲ ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏତେସବୁ ଘଟିଯିବା ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ôଚବା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଯେଉଁଠି ଭୁବନେଶ୍ୱରରେ ଭିଡ ସମ୍ଭାଳିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରାଫିକ ଥାନା ରହିଛି । ନିତିଦିନିଆ ଭିଆଇପିଙ୍କ କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଉଛି । କ୍ରମାଗତ ଅପରାଧୀକ କାର୍ଯ୍ୟକଳାପ ବଢିବାରୁ ଭୁବନେଶ୍ୱରରେ ସ୍ୱତନ୍ତ୍ର ପୋଲିସ ଟିମ ମଧ୍ୟ ଗଠନ ହୋଇଛି । ସାମାନ୍ୟ କେଉଁଠି ଗଣ୍ଡଗୋଳ କିମ୍ବା ଦୁର୍ଘଟଣା ଘଟିଲେ ପୋଲିସ ସଂଗେ ସଂଗେ ଫୋର୍ସ ଧରି ପହଞ୍ôଚଯାଉଛି । ହେଲେ ବାଲିଅନ୍ତା ଭିଡହିଂସା ଘଟଣାକୁ ପୋଲିସ କିଭଳି ହାଲୁକା ଭାବେ ନେଲା ତାହା ଏବେ ସନ୍ଦେହଘେରରେ । ଯଦି ଦେଖାଯାଏ ସହରର ଆଇନଶୃଙ୍ଖଳା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ମାସିକ କ୍ରାଇମ ମିଟିଂ ବା ଅପରାଧ ସମୀକ୍ଷା ବୈଠକ ହୋଇଥାଏ ।
ସେହି ମିଟିଂ ଅଧାରୁ ଡିସିପିଙ୍କ ଅନୁମତି ନେଇ ଥାନା ଅଧିକାରୀ ଘଟଣାସ୍ଥଳକୁ ଆସିଥିଲେ; ଅଥଚ ଡିସିପି ଜାଣିବା ପରେ ମଧ୍ୟ ଚୁପ ରହିଥିଲେ । ଏପରିକି କୌଣସି ଏସିପି ପାହ୍ୟାର ଅଧିକାରୀଙ୍କୁ ଘଟଣା ସ୍ଥଳକୁ ପଠାଯାଇନଥିଲା । ସମସ୍ତେ ଅପରାହ୍ନ ଯାଏ କ୍ରାଇମ ମିଟିଂରେ ବସିରହିଥିଲେ । ଖୋଦ ରାଜଧାନୀର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କମିଶନର ମଧ୍ୟ ବିଳମ୍ବରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହି ସମସ୍ତ ବିଷୟକୁ ତଜର୍ମା କଲେ ଭିଡହିଂସା ଘଟଣାରେ ପୋଲିସର ଅବହେଳା ନୁହେଁ ସୌମ୍ୟଙ୍କୁ ହତ୍ୟା ପାଇଁ ଜାଣିଶୁଣି ସୁଯୋଗ ସୃଷ୍ଟି କରାଯାଇଥିବା ଭଳି ମନେ ହେଉଛି ।
କେଉଁ ଅଦୃଶ୍ୟ ଶକ୍ତିର ଚାପରେ ପୋଲିସ ଏଭଳି କରିଛି ତାହା ତଦନ୍ତ ସାପେକ୍ଷ । ଅନ୍ୟପଟେ, ତଦନ୍ତ ପ୍ରକ୍ରିୟାରେ ମଧ୍ୟ ପୋଲିସ ଓ କ୍ରାଇମବ୍ରାଞ୍ଚର ବହୁତ ଦାୟିତ୍ୱହୀନତା ସାମ୍ନାକୁ ଆସିଛି । ମୁଖ୍ୟ ପ୍ରତ୍ୟେକ୍ଷଦର୍ଶୀ ଓମପ୍ରକାଶ ଓ ଦୁଇ ଯୁବତୀଙ୍କୁ ଏଯାବତ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । କେବଳ ମାଡ ମାରିଥିବା ଲୋକଙ୍କୁ ଭିଡିଓରୁ ଚିହ୍ନଟ କରି ଗିରଫ କରାଯାଉଛି । ଦୁଇ ଯୁବତୀଙ୍କ ଏତଲାରେ କେବଳ ସୌମ୍ୟଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଯଦିଓ ଓମପ୍ରକାଶ ବାଇକ ଧକ୍କା କରିବାରୁ ବିବାଦ ଉପୁଜିଥିଲା । ଏହି ଘଟଣାରେ ଓମପ୍ରକାଶ ନା ଆହତ ହୋଇଛନ୍ତି ନା ଘଟଣା ପରଠୁ ଆଉ ସାମ୍ନାକୁ ଆସୁଛନ୍ତି ।
ପାଲଟା କୁନାଲ ସମେତ ଅନ୍ୟ କିଛି ଯୁବକଙ୍କୁ ସେଠାକୁ ଫୋନ କରି ଡାକିଥିଲେ । ସେହିଭଳି ଦୁଇ ଯୁବତୀଙ୍କ ବୟାନରେ ତାଳମେଳ ରହୁନାହିଁ । ଘଟଣା ପୂର୍ବରୁ ଫିଡ୍ସ ମାରିବା ପରେ ସୌମ୍ୟ ବାଉଳାଚାଉଳା ହେବା ନେଇ ଓମପ୍ରକାଶ ଦେଇଥିବା ବୟାନ କେତେଦୂର ସତ୍ୟ ତାହା ତଦନ୍ତ ପରେ ଜଣାପଡିବ । ମୁଖ୍ୟ କଥା ହେଲା, ଓମପ୍ରକାଶ ଚାହିଁଥିଲେ ପାଲଟା ଏତଲା ଦେଇପାରିଥାନ୍ତେ କିନ୍ତୁ ସେଭଳି କିଛି ପଦକ୍ଷେପ ନେଇନାହାନ୍ତି । ଓମପ୍ରକାଶ ମାମଲାରୁ ନିଜକୁ ଦୂରେଇ ରଖିବା ବିଷୟ ସୌମ୍ୟଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ।













