ରଣପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୨ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁରେନ୍ଦ୍ରନାଥ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଶିକ୍ଷା ବିକାଶ ସମିତିର ସହ ଜିଲ୍ଲା ପ୍ରମୁଖ କେଶବ ଚନ୍ଦ୍ର ରାଉତରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଏବଂ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନେ ମା ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।
ବିଦ୍ୟାଳୟର ସମ୍ପାଦକ ପ୍ରଫୁଲ୍ଲ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପକ୍ଷରୁ ଅତିଥିମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଭଗବାନ ମହାପାତ୍ର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଏହି ଅବସରରେ ଇଂ. ଦେବାଶିଷ ପଟ୍ଟନାୟକ କହିଥିଲେ ଯେ, ବାର୍ଷିକ ଉତ୍ସବ ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଏକ ଉତ୍ତମ ମାଧ୍ୟମ ।
ମୁଖ୍ୟବକ୍ତା କେଶବ ଚନ୍ଦ୍ର ରାଉତରାୟ ନିଜ ବକ୍ତବ୍ୟରେ କହିଥିଲେ ଯେ, ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ଓ ପ୍ରତିଭା ପରିପ୍ରକାଶ ପାଇଁ ବିଦ୍ୟାଳୟ ଏକ ପ୍ରମୁଖ ମଞ୍ଚ ଅଟେ । ଶିକ୍ଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ । ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ନିଜ ନିଜ ବକ୍ତବ୍ୟରେ ଶିକ୍ଷାର ଗୁରୁତ୍ୱ ଓ ସଂସ୍କୃତିର ସୁରକ୍ଷା ଉପରେ ମତବ୍ୟକ୍ତ କରିଥିଲେ ।
ଛାତ୍ରୀ ରଶ୍ମିତା ମହାପାତ୍ର ମଞ୍ଚ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସହ-ସମ୍ପାଦକ ବିକ୍ରମ କେଶରୀ ମତଗଜ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।














