ଗଣମାଧ୍ୟମ ର ସମାଲୋଚନାକୁ ସ୍ୱୀକାର କଲେ ବାଚସ୍ପତି
ରଣପୁର ବ୍ଲକ୍ (ଓଡିଶା ତାଜା ନ୍ୟୁଜ) (ନି. ପ୍ର) ଚାନ୍ଦପୁର :- ରଣପୁର ବ୍ଲକ୍, ଚାନ୍ଦପୁରରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ବିଧାନସଭାର ସମ୍ମାନନୀୟା ବାଚସ୍ପତି ସୁରମା ପାଢ଼ୀଙ୍କ ଭୂମିକା ଗତ କିଛି ଦିନ ଧରି ଚର୍ଚ୍ଚା ଓ ସମାଲୋଚନାର କେନ୍ଦ୍ରବିନ୍ଦୁ ହୋଇଥିଲା । ଏକ ସାମ୍ବିଧାନିକ ଓ ନିରପେକ୍ଷ ପଦବୀରେ ଅସୀନ ଥିବା ବ୍ୟକ୍ତି ଭାବେ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଭାଗୀଦାରୀକୁ ଗଣମାଧ୍ୟମ ସହ ବୁଦ୍ଧିଜୀବୀ ମହଲ ଉଚିତ ମନେ କରିନଥିଲେ ।
ପରେ ଗଣମାଧ୍ୟମ ଓ ରାଜ୍ୟ ର ବୁଦ୍ଧିଜୀବୀ ମହଲ ନାପସନ୍ଦ କରିବା ପରେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କର ଚୈତନ୍ୟ ଉଦୟ ହୋଇଥିବା ଜଣାପଡିଛି । ଏହି ସମାଲୋଚନା ପରେ ଚାନ୍ଦପୁରରେ ଆୟୋଜିତ ସଭା ସ୍ଥଳରେ ଦଳୀୟ ବ୍ୟାନର ଉପରେ ଧଳା ପରଦା ଢାକି ଦିଆଯାଇଥିବା ଦୃଶ୍ୟ ଏକ ନୂତନ ସନ୍ଦେଶ ଦେଇଛି । ଯଦିଓ ଏହା ସମାଲୋଚନାର ପୂର୍ଣ୍ଣ ଉତ୍ତର ନୁହେଁ, ତଥାପି ସାର୍ବଜନୀନ ମତାମତ ଓ ଗଣମାଧ୍ୟମର ଆବାଜକୁ ଗୁରୁତ୍ୱ ଦେଇ ବିଳମ୍ବରେ ହେଲେ ମଧ୍ୟ ନିଜ ଭୂମିକାରେ ସଂଯମ ପ୍ରଦର୍ଶନ କରିବାକୁ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି ।
ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା କେବଳ ସମ୍ବାଦ ପରିବେଷଣରେ ସୀମିତ ନୁହେଁ, ବରଂ ସାର୍ବଜନୀନ ଜୀବନରେ ନିରପେକ୍ଷତା, ମର୍ଯ୍ୟାଦା ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା କରିବାରେ ମଧ୍ୟ ତାହାର ଗୁରୁତ୍ୱ ଅସୀମ । ସେହି ଦୃଷ୍ଟିରୁ ବାଚସ୍ପତିଙ୍କ ଏହି ପଦକ୍ଷେପ ଦେଖାଉଛି ଯେ, ସମାଲୋଚନାକୁ ସବୁବେଳେ ବିରୋଧ ଭାବେ ନୁହେଁ, ବରଂ ସଂଶୋଧନର ଅବସର ଭାବେ ଗ୍ରହଣ କରାଯିବା ଆବଶ୍ୟକ । ଜନମତକୁ ସମ୍ମାନ ଦେଇ ନିଆଯାଇଥିବା ଏପରି ପଦକ୍ଷେପ ଭବିଷ୍ୟତରେ ସାମ୍ବିଧାନିକ ପଦବୀର ଗରିମା ରକ୍ଷା ପାଇଁ ଏକ ସକାରାତ୍ମକ ଉଦାହରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।















