ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) :- ଗଞ୍ଜାମ ଜିଲ୍ଲାରେ ପୁଣି ଘଟିଛି ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ। ହିଞ୍ଜିଳି ଥାନା କେ. ଖରିଡା ଗ୍ରାମରେ ଘଟିଥିବା ଏହି ବିଭତ୍ସ ହତ୍ୟାକାଣ୍ଡ ସମସ୍ତ ବର୍ବରତାର ସୀମା ଅତିକ୍ରମ କରିଛି। ପ୍ରେମରେ ପ୍ରତାରଣା ଓ ନ୍ୟାୟ ପାଇବା ଆଶାରେ ଜଣେ ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ପ୍ରେମିକର ଭାଇ ଘର ବାରଣ୍ଡାରେ ଟାଙ୍ଗିଆରେ ଅତି ନିର୍ଦ୍ଦୟ ଓ ଅମାନୁଷିକ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି। ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଲା ମୃତ ମହିଳା ଜଣକ ଚାରି ମାସର ଗର୍ଭବତୀ ଥିବା ଜଣାପଡ଼ିଛି।

ଖବର ପାଇ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇ ତଦନ୍ତକୁ ଜୋରଦାର କରିଛି। ମୃତ ମହିଳା ଜଣକ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁ ଗାଁର ପୂଜା ସ୍ଵାଇଁ (୨୧)। ସେ କେ. ଖରିଡା ଗ୍ରାମର ଚିଣ୍ଟୁ ଗୌଡଙ୍କୁ ଗତ ଦୁଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ମୃତା ପୂଜାଙ୍କ ଏକ ତିନି ବର୍ଷର କନ୍ୟା ସନ୍ତାନ ଥିବା ବେଳେ ସେ ଗର୍ଭବତୀ ଥିବା ଜଣାପଡ଼ିଛି। ପ୍ରେମିକ ଚିଣ୍ଟୁଙ୍କ ଭାଇ ଲିଟୁ ପୂଜାଙ୍କୁ ଅମାନୁଷିକ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ପୁଲିସ ଠାରୁ ନ୍ୟାୟ ପାଇବା ଆଶା ରଖି ଘର ସମ୍ମୁଖରେ ଧାରଣା ଦେଇଥିବା ବେଳେ ଜଘନ୍ୟ ହତ୍ୟାକାଣ୍ଡର ଶିକାର ହୋଇଥିବା ଜଣାପଡ଼ିଛି। ଏନେଇ ହିଞ୍ଜିଳି ଥାନା କେସ ନଂ – ୨୯୭/୨୬ ରେ ଏକ ମାମଲା ରୁଜ୍ଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସନ୍ତୋଷ କୁମାର ଜେନା ଓ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ତତ୍ୱାବଧାନରେ ହତ୍ଯାକାଣ୍ଡର ଖୋଳତାଡ଼ ଜାରି ରଖିଛନ୍ତି। ସୂଚନା ମୁତାବକ ଗତ ଦୁଇ ବର୍ଷ ତଳେ ପୂଜା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଜରିଆରେ କେ. ଖରିଡା ଗ୍ରାମର ଚିଣ୍ଟୁ ଗୌଡକୁ ଭଲ ପାଇଥିଲେ।
















