No Result
View All Result
ଲଣ୍ଡନ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ) ପକ୍ଷରୁ ସପ୍ତମ ଉତ୍କଳ ଦିବସ ଏଠାରେ ନିକଟରେ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ଉତ୍ସବ ସ୍ଥଳ ଲଣ୍ଡନର ଫ୍ରେମାଣ୍ଟଲ ମାର୍ଗ ସ୍ଥିତ ଇଲଫୋର୍ଡ କାଉଣ୍ଟି ଉଚ୍ଚ ବିଦ୍ୟାଳୟର ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିଲା। ସମଗ୍ର ପରିବେଶ ଉତ୍ସବ ମୁଖର ହୋଇ ଉଠିଥିଲା। ପ୍ରେକ୍ଷାଳୟକୁ ଏକ ମିନି ଓଡ଼ିଶା ଭାବରେ ଉପସ୍ଥାପନ କରିବାର ଦୃଶ୍ୟ ବେଶ୍ ମର୍ମସ୍ପର୍ଶୀ ଥିଲା।

ଓଡ଼ିଶା ଓ ଓଡ଼ିଆତ୍ୱର ପ୍ରତିଭା, ପାରଦର୍ଶିତା ତଥା ପ୍ରତିପତ୍ତିର ଭବ୍ୟ ପ୍ରଦର୍ଶନ ଏଠାରେ ଘଟିଥିଲା। ଓଡ଼ିଶାର ଉତ୍କୃଷ୍ଟ କଳା ଉନ୍ନତ ସଂସ୍କୃତି , ଉତ୍ତୁଙ୍ଗ ଐତିହ୍ୟ, ମହାନ ପରମ୍ପରା, ଗର୍ବିତ ଭାଷା ଏବଂ ମାନବୀୟ ମୁଲ୍ୟବୋଧର ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରାଯିବାର ଏହି ମହୋତ୍ସବ ଏକ ପ୍ରକୃଷ୍ଟ କ୍ଷେତ୍ର ଥିଲା।
ଉତ୍କଳ ଦିବସ ପାଳନରେ ସାମିଲ ହେବା ପାଇଁ ଲଣ୍ଡନ ଏବଂ ୟୁରୋପର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସଂଖ୍ଯାରେ ଓସୁକର ସଦସ୍ୟ ,ଶୁଭେଚ୍ଛୁ ଏବଂ ପ୍ରବାସୀ ଓଡ଼ିଆ ନେତୃବୃନ୍ଦ ଏଠାକୁ ଆସିଥିବା ଲକ୍ଷ୍ୟ କରାଯାଇଥିଲା।

ସ୍ୱାଗତ ଭାଷଣ ପ୍ରଦାନ କରି କୋର ଗ୍ରୁପର ବରିଷ୍ଠ ସଦସ୍ୟ ସୁମନ୍ତ ମାନସିଂହ, ଉତ୍କଳ ଦିବସ ପାଳନ ଲଣ୍ଡନରେ ଅବସ୍ଥାପିତ ଓଡ଼ିଆ ସମ୍ପ୍ରଦାୟର ସମ୍ମିଳିତ ନେତୃତ୍ୱ, ସାମୁହିକ ବିକାଶ ଏବଂ ସଂଗଠିତ ଅସ୍ମିତାର ସ୍ଵାକ୍ଷର ବହନ କରୁଥିବା ଦର୍ଶାଇଥିଲେ। “ମାତୃଭୂମି ମାତୃଭାଷାରେ ମମତା ଯା’ ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ” ,ପଦ୍ୟାବଳିକୁ ଆବୃତ୍ତି କରି ଶ୍ରୀ ମାନସିଂହ ଓଡ଼ିଆ ପରିଚିତିର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ।

ଓସୁକର ନିର୍ଦ୍ଦେଶକ ବୃନ୍ଦ ଯଥା:- ଡଃ ବିଭୂତି ଭୂଷଣ ପଟ୍ଟନାୟକ, ପାର୍ଥ ସାରଥି ପଣ୍ଡା, ପ୍ରଭାତ ମିଶ୍ର, ଦୀପ୍ତି ମହାନ୍ତି ଏବଂ ଶ୍ରୀକାନ୍ତ କୁମାର ପାଢୀଙ୍କ ଦ୍ୱାରା ଜ୍ଞାନ, ଏକତା ଓ ପ୍ରଗତିର ପ୍ରତିବିମ୍ବ ସ୍ୱରୂପ ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ଆରମ୍ଭ ହୋଇଥିଲା। ଏହାପରେ ଓସୁକର ମହିଳା ସଦସ୍ୟାମାନଙ୍କ ଦ୍ୱାରା ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀର ଆବେଗ ଭରା ଗାୟନ ଖୁବ୍ ଭାବୋଦ୍ଦୀପକ ଥିଲା। ମହୋତ୍ସବର ମୁଖ୍ୟ ଆକର୍ଷଣ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ପ୍ରସ୍ତୁତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା।

ପ୍ରତିଭା ସମ୍ପନ୍ନ ପିଲାମାନଙ୍କ ଦ୍ୱାରା ପରିବେଷିତ ଆକର୍ଷକ ଓଡ଼ିଶୀ ନୃତ୍ୟ ଏବଂ ଓଡ଼ିଆ ଓ ବଙ୍ଗଳା କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ କଳା ଚାତୁର୍ଯ୍ୟ ବେଶ ଉଚ୍ଚକୋଟୀର ଥିଲା। ଓଲିଉଡର ତାରକା ଗାୟକ ଅସିତ ତ୍ରିପାଠୀଙ୍କର ସୁମଧୁର ଗାୟନ ଶ୍ରୋତାମାନଙ୍କୁ ଅଭିଭୂତ କରିଦେଇଥିଲା। ସମ୍ବଲପୁରୀ, ଓଡ଼ିଆ ଏବଂ ହିନ୍ଦୀର ଲୋକପ୍ରିୟ ସଙ୍ଗୀତ ଗୁଡ଼ିକୁ ଆଧାର କରି ସ୍ୱନାମଧନ୍ୟ ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟଙ୍କର ବୈଦ୍ୟୁତିକ ନୃତ୍ୟ ଏବଂ ଯାଦୁଭରା ସଙ୍ଗୀତ ପ୍ରସ୍ତୁତି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା।

ଉତ୍ସବ ସ୍ଥଳରେ ଖୋଲା ଯାଇଥିବା ଓଡ଼ିଶା ଏବଂ ଅନ୍ୟାନ୍ୟ ପ୍ରଦେଶର ଖାଦ୍ୟଷ୍ଟଲଗୁଡ଼ିକ ଅତିଥି ଓ ଅଭ୍ୟାଗତମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା। ବିଶେଷ କରି ଅଂଶଗ୍ରହଣକାରୀମାନେ ପାରମ୍ପରିକ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନର ସ୍ବାଦକୁ ମନଭରି ଉପଭୋଗ କରିଥିଲେ। ସ୍ଥାନୀୟ ଚିଲିକା ରେଷ୍ଟୁରାଣ୍ଟ ପକ୍ଷରୁ ସ୍ୱାଦିଷ୍ଟ ଓଡ଼ିଆ ଓ ଅନ୍ୟାନ୍ୟ ଖାଦ୍ୟ ପରସା ଯିବାର ବ୍ୟବସ୍ଥା କରାଯାଇଥିଲା।

ଉତ୍କଳ ଦିବସରେ ଆୟୋଜନରେ ପ୍ରାୟୋଜକ ଭାବରେ ୟୁ.କେ.ର ଆଇ ସିଆଇସିଆଇ ବ୍ୟାଙ୍କ , ଭାଟର ଲ୍ୟାଣ୍ଡ ଲିମିଟେଡ, ୟୁ.କେ.ର ଷ୍ଟେଟ ବ୍ୟାଙ୍କ, ପେମେଟ୍ରିକ୍ସ,ଆମାଡେୟସ ଓ ଫ୍ରିଡମ୍ ସର୍କଲ ପ୍ରମୁଖ ସହଯୋଗ କରିଥିଲେ। ଆୟୋଜକ ଟିମ ତରଫରୁ ଡଃ. ପ୍ରକାଶ ଦେ ଏବଂ ପ୍ରଭାତ ମିଶ୍ର ଉତ୍ସବର ବ୍ୟାପକ ସଫଳତା ପାଇଁ ଅଂଶଗ୍ରହଣକାରୀ, ସ୍ୱୟଂସେବକ, କଳାକାର ଏବଂ ପ୍ରାୟୋଜକ ମାନଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result