ମାଲକାନଗିରି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ମାଲକାନଗିରି ଜିଲ୍ଲାରେ ସନ୍ତରଣ ଏବଂ ବୁଡ଼ିଯିବା ସମୟରେ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ୧୦ମ ବ୍ୟାଚ୍ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମାଲକାନଗିରି ବନଖଣ୍ଡ ଅଧିକାରୀ ସାଇ କିରଣ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଏବଂ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଜଳ ଦୁର୍ଘଟଣାରୁ ନିଜକୁ ଏବଂ ଅନ୍ୟକୁ ରକ୍ଷା କରିବା ପାଇଁ ପହଁରା ଶିଖିବା ଏକ ଅତ୍ୟନ୍ତ ଜରୁରୀ ଜୀବନ କୌଶଳ। ଅନେକ ସମୟରେ ପହଁରା ଜାଣି ନଥିବାରୁ ଅକାଳରେ ବହୁ ମୂଲ୍ୟବାନ ଜୀବନ ଚାଲିଯାଏ। ଏହି ପ୍ରଶିକ୍ଷଣ ଯୁବପିଢ଼ିଙ୍କୁ କେବଳ ଆତ୍ମବିଶ୍ୱାସ ଦେବ ନାହିଁ, ବରଂ ବିପଦ ସମୟରେ ଜଣେ ଜଣେ ଲାଇଫ୍ ସେଭର୍ ବା ଜୀବନ ରକ୍ଷକ ଭାବେ କାର୍ଯ୍ୟ କରିବାକୁ ସକ୍ଷମ କରିବ । ଜିଲ୍ଲା ପ୍ରଶାସନର ଏହି ପ୍ରୟାସ ଆଗାମୀ ଦିନରେ ଜଳଜନିତ ଦୁର୍ଘଟଣା ହ୍ରାସ କରିବାରେ ସହାୟକ ହେବ ।
ସେହିପରି ବନଖଣ୍ଡ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରି କହିଛନ୍ତି, ମାଲକାନଗିରି ଭଳି ଜଳାଶୟ ଘେରା ଅଞ୍ଚଳରେ ଏହି ପ୍ରକାର ପ୍ରଶିକ୍ଷଣର ପ୍ରାସଙ୍ଗିକତା ଅଧିକ । ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ବନ୍ୟା ପରିସ୍ଥିତିରେ ଏହି ତାଲିମ ଅମୂଲ୍ୟ ଜୀବନ ବଞ୍ଚାଇବାରେ ସହାୟକ ହେବ। କେବଳ ପହଁରା ନୁହେଁ, ବରଂ ବୁଡ଼ି ଯାଉଥିବା ବ୍ୟକ୍ତିକୁ କିଭଳି ବୈଜ୍ଞାନିକ ପଦ୍ଧତିରେ ଉଦ୍ଧାର କରାଯାଇପାରିବ, ସେହି କୌଶଳ ପ୍ରତ୍ୟେକ ନାଗରିକ ଜାଣିବା ଉଚିତ୍ ।
ସୂଚନାଯୋଗ୍ୟ ଯେ, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋଟ ୧୦ଟି ବ୍ୟାଚ୍ରେ ୩୦୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ପ୍ରତି ବ୍ୟାଚ୍ରେ ୩୦ ଜଣ ପ୍ରଶିକ୍ଷାର୍ଥୀ ସାମିଲ ହୋଇ ଜଳରେ ଜୀବନ ରକ୍ଷା କରିବାର ବିଭିନ୍ନ ପ୍ରାୟୋଗିକ କୌଶଳ ଶିକ୍ଷା କରିଛନ୍ତି। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରିବାରେ ବରିଷ୍ଠ ରାଜସ୍ୱ ସହାୟକ କୁନା ନାୟକ ପ୍ରମୁଖ ସହଯୋଗ କରିଥିଲେ ।














