ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଝାମି ପଞ୍ଚାୟତର କତାପେଟାଗୁଡା ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ବହୁବାର ଦାବି ଓ ଅନୁରୋଧ ରହି ଆସିଥିଲା. ତଥାପି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପରିଶେଷରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ନିଜ ନିଜର ଶ୍ରମ ଦାନ କରି ରାସ୍ତା ନିର୍ମାଣ କରିଥିବା ସୂଚନା ମିଳିଛି l

ଗ୍ରାମବାସୀମାନେ କହିଛନ୍ତି ଯେଉଁ ରାସ୍ତା ପୂର୍ବରୁ ଥିଲା ସେହି ରାସ୍ତାରେ ଯିବା ଆସିବା କେବଳ ଖରାଦିନେ ହିଁ ହେଉଥିଲା. ବର୍ଷା ଦିନେ ବିଲକୁଲ୍ ଯାତାୟାତ ହେଉ ନ ଥିଲା । ଗ୍ରାମବାସୀମାନେ ରାସ୍ତା ସମସ୍ୟା ପାଇଁ ପ୍ରଶାସନକୁ ଜଣାଇଥିଲେ । କେବଳ ପ୍ରତିଶ୍ରୁତି ମିଳିଲା, କାମ ହେଲାନି।
ପାରଳାଖେମୁଣ୍ଡି ଠାରୁ ନାମନଗଡ଼ ପର୍ଯ୍ୟନ୍ତ ଥିବା ମୁଖ୍ୟ ରାସ୍ତା ଠାରୁ ଗାଁ ପର୍ଯ୍ୟନ୍ତ ଏହି ଦୀର୍ଘ ୨ କିମି ରାସ୍ତା ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ବର୍ଷାଦିନେ ଗ୍ରାମକୁ ଦୁଇଚକିଆ ଯାନଟିଏ ବି ଯିବା କଷ୍ଟକର ହେଉଥିଲା. ଏହି ଗ୍ରାମରେ ୨୪ଗୋଟି ଘର ରହିଛି. ଏଥିରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଲୋକ ରୁହନ୍ତି । ପରିଶେଷରେ ଗ୍ରାମବାସୀମାନେ ଚାନ୍ଦା ଆଦାୟ କରି ନିଜେ ଶ୍ରମ ଦାନ କରି ରାସ୍ତା ନିର୍ମାଣ କଲେ l













