No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନିପ୍ର ) :- ମଧ୍ୟ ପ୍ରଦେଶର ଇନ୍ଦୋର (ମହୁ ଗାଁ) ଅବସ୍ଥିତ ମେଡିକ୍ୟାପ୍ସ ୟୁନିଭରସିଟି ଅଡିଟୋରିୟମରେ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦ ପକ୍ଷରୁ “ଚତୁର୍ଥ ଉତ୍କଳ ଦିବସ ସମାରୋହ ୨୦୨୬” ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ନୟାଗଡ଼ ମାଟିର ପୁଅ, ପ୍ରଖ୍ୟାତ ବ୍ୟଙ୍ଗ କବି ଓ ହାସ୍ୟ ଅଭିନେତା ରବୀନ୍ଦ୍ର ରାଉତଙ୍କୁ “ଓଡ଼ିଆ ଗୌରବ ସମ୍ମାନ ୨୦୨୬” ରେ ସମ୍ମାନିତ କରାଯାଇ ଓଡ଼ିଶାର ଗର୍ବ ବଢ଼ାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରବୀନ୍ଦ୍ର କୁମାର ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ଆନନ୍ଦ ଅଗ୍ରୱାଲ ଓ ସମ୍ମାନିତ ଅତିଥି ଭାବେ ଶ୍ରୀନିବାସ ମିଶ୍ର, ସୂର୍ଯ୍ୟକାନ୍ତ କେଲକର ଉପସ୍ଥିତ ଥିଲେ ।
ଅନୁଷ୍ଠାନର ସଭାପତି ଡ଼ଃ ଅଶୋକ ମହାନ୍ତି, ସମ୍ପାଦକ ଇଂ. ଶକ୍ତି ପ୍ରସାଦ ଷଡ଼ଙ୍ଗୀ, ବରିଷ୍ଠ ଉପଦେଷ୍ଟା ଡ଼ଃ ଦିଲ୍ଲୀପ ପଟ୍ଟନାୟକ ଓ ଅନ୍ୟାନ୍ୟ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସଭାପତି ଡ଼ଃ ଅଶୋକ ମହାନ୍ତି ତାଙ୍କ ବକ୍ତବ୍ୟରେ ଇନ୍ଦୋରରେ ଜଗନ୍ନାଥ ମନ୍ଦିର ନିର୍ମାଣର ସ୍ମୃତି ଉଲ୍ଲେଖ କରି ଓଡ଼ିଆ ସଂସ୍କୃତିକୁ ପ୍ରବାସରେ ମଧ୍ୟ ଜୀବନ୍ତ ରଖିବାର ଆହ୍ୱାନ ଜଣାଇଥିଲେ । “ଆମେ ଓଡ଼ିଆ-ଭାରି ବଢ଼ିଆ” ନାରାରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଯାଇଥିଲା । ଏହି ଅବସରରେ ପଣ୍ଡିତ ରାସ ବିହାରୀ ପଣ୍ଡାଙ୍କ ଦ୍ୱାରା ବୈଦିକ ମନ୍ତ୍ରୋଚ୍ଚାରଣ କରାଯାଇଥିଲା । ପ୍ରାୟ ଦେଢ଼ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ଭାଇଭଉଣୀମାନେ ଯୋଗଦେଇ ଓଡ଼ିଶୀ ନୃତ୍ୟ, କଥକ, ଦେଶଭକ୍ତିମୂଳକ ସଙ୍ଗୀତ ଓ ଆଧୁନିକ ନୃତ୍ୟ ଦ୍ୱାରା ସମାରୋହକୁ ରଙ୍ଗିନ କରିଥିଲେ ।
ରବୀନ୍ଦ୍ର ରାଉତଙ୍କ ବ୍ୟଙ୍ଗ ଓ ହାସ୍ୟ ଅଭିନୟ ଦର୍ଶକମାନଙ୍କର ମନୋରଞ୍ଜନ କରିଥିଲା । ଏହାସହ ସ୍ୱର୍ଗତ ଗାୟକ ହ୍ୟୁମାନ ସାଗରଙ୍କୁ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସମାରୋହର ଶେଷରେ ଶ୍ରେଷ୍ଠ ଓଡ଼ିଆ ଦମ୍ପତିଙ୍କୁ ସମ୍ମାନିତ କରାଯାଇଥିଲା । ଓଡ଼ିଶାର ପାରମ୍ପରିକ ଖାଦ୍ୟ ଯଥା ନୟାଗଡ଼ର ଛେନାପୋଡ଼ ଓ ବାରିପଦାର ମୁଢ଼ି ସମେତ ବିଭିନ୍ନ ପିଠାପଣା ଉପଭୋଗ କରି ସମସ୍ତେ ଆନନ୍ଦ ଉଠାଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଭିଜିତ ମଲ୍ଲିକ, ସୁଶାନ୍ତ କୁମାର ଦାଶ, ଦୁର୍ଗା ଶାହାଣୀ, ନିର୍ମଳ ମହାନ୍ତି ଓ ଅନ୍ୟାନ୍ୟ ସଭ୍ୟମାନଙ୍କ ମୂଲ୍ୟବାନ ସହଯୋଗ ରହିଥିଲା । ଶେଷରେ ସମ୍ପାଦକ ଇଂ. ଶକ୍ତି ପ୍ରସାଦ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।





No Result
View All Result