କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶେଷରେ ଆତ୍ମସମର୍ପଣ କରିଛନ୍ତି ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ନେତା ଶୁକ୍ରୁ। ସେ କନ୍ଧମାଳ ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେ ତାଙ୍କ ଏକେ-୪୭ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଶୁକ୍ରୁଙ୍କୁ ଧରାଇ ଦେବା ପାଇଁ ୫୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର। ଶୁକ୍ରୁ ସହିତ ଆଉ ୪ ଜଣ ନକ୍ସଲ ମଧ୍ୟ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ରେ ବେଶ୍ ସକ୍ରିୟ ଥିଲେ ନକ୍ସଲ ନେତା ଶୁକ୍ରୁ। ଏଇଟ୍ଥ କମ୍ପାନୀ ନାଁରେ ନୂଆ ସଂଗଠନ ଚଳାଇଥିଲେ ଶୁକ୍ରୁ। ଆତ୍ମସମର୍ପଣ ପାଇଁ ତାଙ୍କୁ ଆହ୍ବାନ ଦେଇଥିଲା ଓଡ଼ିଶା ପୁଲିସ ।

ସାଥୀ ନକ୍ସଲ ଅନ୍ୱେଷ ଓରଫ ରେଣୁଙ୍କୁ ହତ୍ୟା କରି ଗତ ମାସରେ ଚର୍ଚ୍ଚାରେ ଥିଲେ ଶୁକ୍ରୁ। ଅନ୍ୱେଷ ଆତ୍ମସମର୍ପଣ କରିବାକୁ ଚାହୁଁଥିବା ବେଳେ ଶୁକ୍ରୁ ଓ ତା’ ସାଥୀମାନେ ମିଶି ତାଙ୍କୁ ମାରି ପୋତି ଦେଇଥିଲେ ବୋଲି ପୁଲିସ୍ କହିଥିଲା। ଶୁକ୍ରୁ ଆତ୍ମସମର୍ପଣ କରିଥିବା ବେଳେ ଶିଲା ସମେତ ୬ ଜଣ ନକ୍ସଲଙ୍କୁ ଧରିବା ପାଇଁ କମ୍ବିଂ ଅପରେସନ୍ କରୁଛନ୍ତି ସୁରକ୍ଷା କର୍ମୀ। କନ୍ଧମାଳ-ଗଞ୍ଜାମ-ଗଜପତି ସୀମାନ୍ତରେ ଜୋରଦାର୍ କମ୍ବିଂ ଚାଲିଛି।















