ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ହିଞ୍ଜିଳିକାଟୁ ପୌରାଞ୍ଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବୃନ୍ଦାଵନ ବିଦ୍ୟାପୀଠରେ ୧୯୮୩-୮୪ ମସିହାରେ ଅଧ୍ୟୟନ କରିଥିବା ଦଶମ ଶ୍ରେଣୀ( କନିଷ୍ଠ ଓ ବରିଷ୍ଠ ବର୍ଗ) ଛାତ୍ରଙ୍କ ସମବେତରେ ରବିବାର ଖରିଡା ସ୍ଥିତ ମା କରେଇଶୁଣୀ ପୀଠ ପରିସରରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି। ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଇଂ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତା କରିଥିଲେ ।

ପୁରାତନ ଛାତ୍ର ଗୋଷ୍ଠୀ ଅବସରପ୍ରାପ୍ତ ବର୍ଷିୟାନ୍ ଶିକ୍ଷକ ପ୍ରଭାକର ପଟ୍ଟନାୟକଙ୍କୁ ସାକ୍ଷାତ କରି ପୁଷ୍ପଗୁଛ ପ୍ରଦାନ କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ବନ୍ଧୁ ମିଳନ କାର୍ଯ୍ଯକ୍ରମର ଆୟୋଜକ ମଣ୍ଡଳୀ ଏକ ଭବ୍ୟ ପରିବେଶରେ ସହପାଠୀଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସହପାଠୀ ମାନେ ପୁରୁଣା ସ୍ମୃତି ଚାରଣ କରିବା ସହ ନିଜ ନିଜ କର୍ତ୍ତବ୍ୟ ଓ ଅନୁଭୂତି ପ୍ରକାଶ କରିଥିଲେ । ରାଜ୍ୟ ଓ ରାଜ୍ୟ ବାହାରର ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଥିବା ବନ୍ଧୁ ଏହି ଅବସରରେ କିଛି ଦିବଂଗତ ବନ୍ଧୁଙ୍କ ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରିଥିଲେ।

ଅଧ୍ୟୟନ ସମାପନ କରି ଦୀର୍ଘ ୪୨ ବର୍ଷ ପରେ ପରସ୍ପର ସହିତ ଯୋଗାଯୋଗ, ସାକ୍ଷାତ,ନିଆରା ଅନୁଭୂତି ଓ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଏକ ସ୍ୱତନ୍ତ୍ର ଆକର୍ଷଣ ପାଲଟି ଥିଲା । ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ, ନାଚ ଗୀତ ସହ ହାସ୍ୟରୋଳ ପରିବେଶରେ ମଜ୍ଜି ରହି ବନ୍ଧୁ ମିଳନ କାର୍ଯ୍ଯକ୍ରମକୁ ବେଶ୍ ଉପଭୋଗ କରିଥିଲେ । ପରସ୍ପର ସହ ଆମୋଦ ପ୍ରମୋଦ କରି ଅଭୁଲା ମୁହୂର୍ତ୍ତରୁ ବିଦାୟ ନେଇଥିଲେ ।














