ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି । ସରକାର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଥିବା ବେଳେ ଟିକାବାଲି ବ୍ଲକର ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ସରକାରୀ ମାନଦଣ୍ଡ ଅନୁସାରେ ବିଦ୍ୟାଳୟ ଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁତର ଭାବେ ବ୍ୟାହତ ହେଉଥିବା ବେଳେ ଆଗାମୀ ଦିନରେ ଏହା ଏକ ଭୟଙ୍କର ରୂପ ନେବାକୁ ଯାଉଛି ।

ପ୍ରାପ୍ତ ସୂଚନା ଅନୁସାରେ, ଟିକାବାଲି ବ୍ଲକରେ ମୋଟ ୭୮ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୧୦ ରୁ ଉର୍ଦ୍ଧ ଉଚ୍ଚ ବିଦ୍ୟାଳୟକୁ ମିଶାଇ ପାଖାପାଖି ୯୦ ଟି ବିଦ୍ୟାଳୟ ରହିଛି । ସରକାରଙ୍କ ଶିକ୍ଷକ-ଛାତ୍ର ଅନୁପାତ (ରେସିଓ) ଅନୁଯାୟୀ, ବର୍ତ୍ତମାନ ଏହି ବ୍ଲକରେ ଅତି କମରେ ୨୯ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଶିକ୍ଷକ ଅଭାବରୁ ଅନେକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ଭରସାରେ ଏକାଧିକ ଶ୍ରେଣୀ ଚାଲୁଥିବା ବେଳେ ପାଠପଢ଼ାର ମାନ ନିମ୍ନଗାମୀ ହେବାରେ ଲାଗିଛି । ଫଳରେ ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି ।

ପରିସ୍ଥିତି ସେତିକିରେ ସରିନାହିଁ, ଚଳିତ ଶିକ୍ଷା ବର୍ଷ ଶେଷ ହେବା ମାତ୍ରେ ଟିକାବାଲି ବ୍ଲକରୁ ପର୍ଯ୍ୟାୟ କ୍ରମେ ୧୩ ଜଣ ଅଭିଜ୍ଞ ଶିକ୍ଷକ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ଅବସର ପରେ ଶିକ୍ଷକ ଶୂନ୍ୟସ୍ଥାନ ସଂଖ୍ୟା ଆହୁରି ବଢ଼ିବା ସହ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ଅଚଳାବସ୍ଥା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଯଦି ତୁରନ୍ତ ନୂତନ ନିଯୁକ୍ତି ଦିଆନଯାଏ, ତେବେ ଆଗାମୀ ଶିକ୍ଷା ବର୍ଷରେ ସ୍କୁଲ ଗୁଡ଼ିକ କିଭଳି ଚାଲିବ, ସେନେଇ ଅଭିଭାବକ ମହଲରେ ଚିନ୍ତା ପ୍ରକାଶ ପାଇଛି ।















