ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରଣପୁର ମହୋତ୍ସବ ‘ଅର୍ଜୁନ’ର ଚତୁର୍ଥ ଦିବସ ସଡ଼କ ସୁରକ୍ଷା ସଚେତନତା, ସାହିତ୍ୟିକ ଚର୍ଚ୍ଚା ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଲ୍ଲାସମୟ ଭାବେ ପାଳିତ ହୋଇଯାଇଛି । ସକାଳେ ପଞ୍ଚୁଦୋଳ ପଡିଆଠାରୁ ରଣପୁର ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ସଡ଼କ ସୁରକ୍ଷା ସଚେତନ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ଶୋଭାଯାତ୍ରାର ଉଦଘାଟନ କରିବା ସହ ପଦଯାତ୍ରାରେ ସାମିଲ ହୋଇ ସଡ଼କ ସୁରକ୍ଷା ସନ୍ଦେଶ ପ୍ରଚାର କରିଥିଲେ।
ଏହି ଅବସରରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ଓ ବିଡ଼ିଓ ମନୋଜ କୁମାର ମଧ୍ୟ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ଦେଇଥିଲେ । ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲ, କଲେଜ ଓ ବହୁ ସଂଖ୍ୟକ ସାଧାରଣ ଲୋକ ସାମିଲ ହୋଇଥିଲେ । ଚତୁର୍ଥ ଦିବସକୁ ଭକ୍ତ କବି ଭକ୍ତଚରଣ ଦାସଙ୍କ ସ୍ମୃତିରେ ସମର୍ପିତ କରାଯାଇଥିଲା।
ଏହି ଅବସରରେ ରଣପୁର ମହୋତ୍ସବ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁକୂଲ୍ୟରେ ଏକ ବିଶାଳ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା। ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏଥିରେ ରଣପୁର ସହ ଆଖପାଖ ଅଞ୍ଚଳରୁ ପ୍ରାୟ ୯୦ ଜଣ କବି–କବୟତ୍ରୀ ଯୋଗ ଦେଇ କବିତା ପାଠ କରିଥିଲେ।
କବିତା ପାଠ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସଚିବ ସଞ୍ଜୟ କୁମାର ଛୁଆଳସିଂହ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ପ୍ରଫେସର ପୂର୍ଣଚନ୍ଦ୍ର ମଲ୍ଲିକ ଓ ‘ମଧୁର ଭାରତୀ’ ସମ୍ପାଦିକା ଜୟନ୍ତୀ ପଢିଆରୀ ଯୋଗ ଦେଇଥିଲେ।
କବିତା ପାଠ କରିଥିବା କବି–କବୟତ୍ରୀମାନଙ୍କୁ ଉତ୍ତରୀୟ, ପ୍ରମାଣପତ୍ର ଓ ମେଡାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ‘ରଣଶ୍ରୀ’ ପୁସ୍ତକ ସହ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନାଙ୍କ ଲିଖିତ ‘ବିବିଧ ବର୍ଣ୍ଣା’ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ରାଜକିଶୋର ପଟ୍ଟନାୟକ,
ପ୍ରଶାନ୍ତ କୁମାର ମିଶ୍ର, ଶୁଭେନ୍ଦୁ ସିଂଦେଓ, ନବକିଶୋର ସାମନ୍ତରାୟ, ସୁନୀଲ ଦାସ, ସତ୍ୟ ନାରାୟଣ ମହାପାତ୍ର, ସୁଶୀଲ କୁମାର ରଣା, ଜ୍ୟୋତି ରଞ୍ଜନ ଦାଶ, ଶିବ ପ୍ରସାଦ ମିଶ୍ର, ଶକ୍ତି ପ୍ରସାଦ ଆଚାର୍ଯ୍ୟ, ଅଜୟ ପ୍ରଧାନ, ମାନସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
