ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଖୋର୍ଦ୍ଧାରୋଡ୍ ପକ୍ଷରୁ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡ଼ା ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ଛାତ୍ର,ଛାତ୍ରୀ ମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା ଏବଂ ଶାରୀରିକ ସୁସ୍ଥତାର ବିକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ।ଏହି ଅବସରରେ ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ତଥା ବିଦ୍ୟାଳୟ ପରିଚାଳନା କମିଟିର ମନୋନୀତ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର,ଛାତ୍ରୀ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, କ୍ରୀଡ଼ା ଜୀବନରେ ଚରିତ୍ର ଗଠନ,

ଦଳଗତ କାର୍ଯ୍ୟ ଏବଂ ନେତୃତ୍ୱ ଗୁଣ ବିକାଶରେ ସହାୟକ ହୋଇଥାଏ। ଛାତ୍ର,ଛାତ୍ରୀ ମାନଙ୍କୁ ସମର୍ପଣ ଓ ସଚ୍ଚୋଟତାର ସହ ଉଭୟ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବାକୁ ପ୍ରେରଣା ଦେଇଥିଲେ।ଜଟଣୀ ଷଣ୍ଢପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡକ୍ଟର ଶ୍ରାବଣୀ କୁମାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏକ ସନ୍ତୁଳିତ ଜୀବନଶୈଳୀ ଗ୍ରହଣ କରିବାକୁ ଛାତ୍ର,ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI)ଜଟଣୀ ବଜାର ଶାଖାର ପ୍ରବନ୍ଧକ ଶ୍ରୀ କ୍ଷିତିଜ ବୈଭବ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।
ତାଙ୍କର ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ଗରିମାମୟ କରିଥିବା ସହ ଛାତ୍ର,ଛାତ୍ରୀ ମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିଥିଲା କାର୍ଯ୍ୟକ୍ରମଟି ଛାତ୍ର,ଛାତ୍ରୀଙ୍କ ଦ୍ୱାରା ଆନୁଷ୍ଠାନିକ ମାର୍ଚ୍ଚପାଷ୍ଟ, ପତାକା ଉତ୍ତୋଳନ ଏବଂ ଶପଥ ଗ୍ରହଣ ସମାରୋହ ସହ ଆରମ୍ଭ ହୋଇଥିଲା । ଏହାପରେ ବିଭିନ୍ନ ବୟସ ଗୋଷ୍ଠୀର ଛାତ୍ର,ଛାତ୍ରୀଙ୍କ ମଧ୍ୟରେ ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟ, ଦଳଗତ ଖେଳ ଏବଂ ବିଭିନ୍ନ ମଜାଦାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନୀରଜ ପିଙ୍ଗୁଆ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ସେ କହିଥିଲେ ଯେ, ବିଦ୍ୟାଳୟ ସର୍ବଦା ଛାତ୍ର,ଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ। ଉତ୍ସବର ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ସଫଳ ଆୟୋଜନ ପାଇଁ ଅଭିଭାବକ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।














