No Result
View All Result
ନୟାଗଡ଼ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟର କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୭୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଏହି ଉତ୍ସବରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଅନାଦି ଚରଣ ମହାନ୍ତି ମୁଖ୍ଯ ଅତିଥି ଭାବେ ଯୋଗଦେଇ କୁନିକୁନି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ଯେକ ଛାତ୍ରଛାତ୍ରୀ ବିଜ୍ଞାନ ଅନୁସନ୍ଧିତ୍ସୁ ହେବା ପାଇଁ ପରାମର୍ଶ ଦେଇଥିଲେ । ବିଜ୍ଞାନ ମେଳାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ବିଜ୍ଞାନ ମେଳା ପ୍ରକଳ୍ପ ଗୁଡିକୁ ମୂଲ୍ଯାୟନ କରିବା ପାଇଁ ବିଚାରକ ତଥା ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଅଧ୍ଯାପକ ଶରତ ଚନ୍ଦ୍ର ନାୟକ, ପ୍ରୋଡିଜି ଇନଷ୍ଟିଚ୍ୟୁସନ ର ଚେୟାରମ୍ୟାନ କୀର୍ତ୍ତିପଙ୍କଜ ଷଡଙ୍ଗୀ ଓ ବିଜ୍ଞାନ ଶିକ୍ଷକ ବିଶ୍ବଜିତ୍ ଷଡଙ୍ଗୀ ଯୋଗଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ଯାୟନ କରିଥିଲେ ।

କିଶୋର ବର୍ଗରେ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର,ଭାପୁର ର ସାଇ ସ୍ବରୂପ ନାୟକ ପ୍ରଥମ ହୋଇଥିଲା ବେଳେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ର ଆଶୀଷ ସାହୁ ଦ୍ବିତୀୟ ଓ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଭାପୁର ର ରୋହନ ସାହୁ ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବାଲ୍ ବର୍ଗରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ବିଶ୍ବଜିତ୍ ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ମାଳିସାହି ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ର ପ୍ରତୀକ୍ଷା ପ୍ରିୟଦର୍ଶିନୀ ଦ୍ବିତୀୟ ଓ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର, ଧୁଆଁମଡାର ସୀମା ପ୍ରଧାନ ୩ୟ ସ୍ଥାନ ଅଧିକାର କରିଛନ୍ତି ।

ଶିଶୁ ବର୍ଗରେ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର, ଖଳିସାହିର ସୁପ୍ରଭା ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ରୌନକ ପାତ୍ର ଦ୍ବିତୀୟ ଓ ଖମାରସାହି ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିରର ସମ୍ଭାବନା ପରିଡା ୩ୟ ସ୍ଥାନ ଅଧିକାର କରିଛନ୍ତି।ଉପଶିଶୁ ବର୍ଗରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସୁଶ୍ରୀ ଇପସିତା ସାଥୁଆ ପ୍ରଥମ ହୋଇଥିଲା ବେଳେ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର,ଭାପୁର ର ପ୍ରିୟଙ୍କା ପ୍ରିୟଦର୍ଶିନୀ ଦଳବେହେରା ଦ୍ବିତୀୟ ଓ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ର ଦେବସ୍ମିତା ନାୟକ ୩ୟ ସ୍ଥାନ ଅଧିକାର କରିଛନ୍ତି ।

ଏହି ପ୍ରକଳ୍ପ ଗୁଡିକ ରାଜ୍ଯ ସ୍ତରୀୟ ବିଜ୍ଞାନ ମେଳାରେ ଭାଗନେବା ପାଇଁ ଚୟନ ହୋଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସଂସ୍ଥାନ ଜିଲ୍ଲା କାର୍ଯ୍ଯକର୍ତ୍ତା ଅବିନାଶ ସାହୁ, ପ୍ରସନ୍ନ କୁମାର ସ୍ବାଇଁ, ନଗେଶ କୁମାର ଖଣ୍ଡା,ବାଳକୃଷ୍ଣ ଷଡଙ୍ଗୀ,ପ୍ରଶାନ୍ତ କୁମାର ମାନସିଂହ ଉପସ୍ଥିତ ଥିଲାବେଳେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସମସ୍ତ ଗୁରୁଜୀ ଗୁରୁମା ମାନେ ଅକ୍ଳାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ପରିଶେଷରେ ଜିଲ୍ଲା ସଂଯୋଜକ ମନୋରଂଜନ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ ।

No Result
View All Result