No Result
View All Result
ସମ୍ବଲପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରବିବାର ସନ୍ଧ୍ୟାରେ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ଭକ୍ତି ସଙ୍ଗୀତର ସ୍ୱରରେ ଭକ୍ତିମୟ ପରିବେଶରେ ଭରିଯାଇଥିଲା । ସହସ୍ରାଧିକ ଭକ୍ତମାନେ ମା’ ସମଲେଶ୍ୱରୀଙ୍କ ଭଜନ ର ଲୟରେ ମଗ୍ନ ହୋଇଥିଲେ । ମନ୍ଦିର ପ୍ରାଙ୍ଗଣରେ ଭଜନ ପରିବେଷଣ ଭକ୍ତି ଓ ଆସ୍ଥାର ଅଲୌକିକ ମାହୋଲ ସୃଷ୍ଟି କରିଥିଲା । ଏହି ଭଜନ ସନ୍ଧ୍ୟାର ଆୟୋଜନ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ଓ କଳାକାର ମାନଙ୍କ ପକ୍ଷରୁ କରାଯାଇଥିଲା। ଟ୍ରଷ୍ଟ ବୋର୍ଡର ସଭାପତି ଶ୍ରୀ ସଞ୍ଜୟ ବାବୁ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏହି ସମୟରେ ପ୍ରଫୁଲ୍ଲ ହୋତା, ଦେବ କୁମାର ଅଜମେରୀଆ, ଶ୍ୟାମ ସୁନ୍ଦର ଧର, ରତନ ପୂଜାରି, ଶଙ୍କର ପ୍ରଧାନ, ରାମ ଚନ୍ଦ୍ର ପ୍ରଧାନ ଓ ସୁଶୀଲ ଦାଶ ପ୍ରମୁଖ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଭଜନ ସନ୍ଧ୍ୟାରେ ସମ୍ବଲପୁରର ପ୍ରସିଦ୍ଧ କଳାକାରମାନେ ମା’ଙ୍କ ମହିମାଗାନ କରିଥିଲେ। ମା ଗୋ ମମତା ମୟୀ ମା , ମତେ ମହନି ଲାଗିଛେ ରେ ମାର ମହନି ଲାଗିଛେ , ରହି ରହି ବଜଉଛେ ଲୋ ସଜନି ଶୂଳ ଭରଣୀ ଭଳି ଅନେକ ଭକ୍ତି ଗୀତ ଉପସ୍ଥିତ ଭକ୍ତ ମାନଙ୍କୁ ବିମୋହିତ କରିଥିଲା ସୁମଧୁର କଣ୍ଠରେ କଣ୍ଠଶିଳ୍ପୀ ଶ୍ରୀନୁ ଦାସ, ସମୀର ଦାସ, ସ୍ମୃତିକା ମିଶ୍ର, ଶୁଭଲକ୍ଷ୍ମୀ ବେହେରା, ପ୍ରଣତି ଚକ୍ରବର୍ତ୍ତୀ, ପଲ୍ଲବୀ ରାୟ, ଧନୁଶ୍ରୀ ସିଂହ, ନୂପୁର ମଲ୍ଲିକ, ସିଲ୍କି ବହିଦାର, ସୁମନ୍ ମେହେର ଓ କ୍ଷୀର ବାଗ ପ୍ରମୁଖ ଭଜନ ପରିବେଷଣ କରିଥିଲେ।

ସଙ୍ଗୀତ ଏବଂ ବାଦ୍ୟ ଯନ୍ତ୍ର ରେ ଦେବାଶିଷ ପାଢ଼ୀ, ଭାଗିରଥୀ ସିଂଦେଓ, କ୍ଷିତିଶ ଚନ୍ଦ୍ର ବାଗ, ଦିବାକର ମହାନନ୍ଦ, କୃଷ୍ଣ ଚନ୍ଦ୍ର ବାଗ ଓ ସୁରେନ୍ଦ୍ର ଶତପଥୀ ସହଯୋଗ କରିଥିଲେ । ଦେବାଶିଷ ପାଢ଼ୀ ଏହି ଭଜନ ସନ୍ଧ୍ୟା କୁ ସଂଯୋଜନା କରିଥିବା ବେଳେ ତ୍ରିଲୋଚନ ତ୍ରିପାଠୀ ଆଜିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରତିମାସର ଦ୍ୱିତୀୟ ଓ ଚତୁର୍ଥ ରବିବାର ସନ୍ଧ୍ୟାରେ ଏହିପରି ‘ଭଜନ ସନ୍ଧ୍ୟା’ ନିୟମିତ ଭାବରେ ଆୟୋଜନ କରାଯାଉଛି। ସ୍ଥାନୀୟ କଳାକାର ଓ ଶିଳ୍ପୀମାନଙ୍କ ସହଭାଗିତାରେ ଏହି ପ୍ରୟାସ ସମ୍ବଲପୁରର ସାଂସ୍କୃତିକ ପରମ୍ପରାକୁ ଆଗକୁ ବଢ଼ାଇବ ବୋଲି ଭକ୍ତମାନେ ଆଶା ବ୍ୟକ୍ତ କରିଛନ୍ତି।

ଉପସ୍ଥିତ ଭକ୍ତମାନେ କହିଥିଲେ, “ଏପରି ଆୟୋଜନମାନେ ମନ୍ଦିର ପ୍ରାଙ୍ଗଣରେ ଭକ୍ତିମୟ ପରିବେଶକୁ ଅଧିକ ସୁଦୃଢ଼ କରିବା ସହିତ ଯୁବପିଢ଼ୀଙ୍କୁ ଭଜନ ଓ ଭକ୍ତି ପ୍ରତି ଆକର୍ଷିତ କରିବ । ଏହା ମା ଙ୍କ ମହିମା ପ୍ରଚାର ରେ ମଧ୍ୟ ସହାୟକ ହେବ ।” ମା ଙ୍କ ପୀଠ ସମ୍ବଲପୁର ର ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପ୍ରାଣକେନ୍ଦ୍ର ଏବଂ ଆଗାମୀ ଦିନରେ ଏ ଦିଗରେ ଟ୍ରଷ୍ଟ ବୋର୍ଡ ଆହୁରି ଅନେକ ପଦକ୍ଷେପ ନେବାକୁ ଯୋଜନା କରିଛି ବୋଲି ସଭାପତି ଶ୍ରୀ ସଞ୍ଜୟ ବାବୁ କହିଛନ୍ତି ।

No Result
View All Result