No Result
View All Result
• ସାଲିଆ ସାହିର 44ଗୋଟି ପରିବାରକୁ ପ୍ରଦାନ କରାଗଲା ସୁଲଭ ଆବାସ ଗୃହ
• କୌଣସି ଯୋଗ୍ୟ ହିତାଧିକାରୀ ଆବାସ ଗୃହ ପାଇବାରୁ ବାଦ୍ ପଡିବେ ନାହିଁ – ମନ୍ତ୍ରୀ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ସ୍ଥାନାନ୍ତର ହେବେ 21 ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ସାଲିଆ ସାହି ବାମ ସମାନ୍ତରାଳ ରାସ୍ତାର 275 ପରିବାର । ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ସେମାନଙ୍କୁ ସୁଲଭ ଆବାସ ଯୋଜନାରେ ଲଟେରୀ ମାଧ୍ୟମରେ 44 ଗୋଟି ପରିବାରକୁ ଗୃହ ଆବଣ୍ଟନ କରାଯାଇଛି । ଏହି ପରିବାରଗୁଡିକୁ ଚନ୍ଦ୍ରଶେଖରପୁର ଅନ୍ତର୍ଗତ ବୁଦ୍ଧ ବିହାର ଆବାସ ପ୍ରକଳ୍ପକୁ ସ୍ଥାନାନ୍ତର କରିବା ପାଇଁ ବିଏମ୍ ସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।
ସ୍ଥାନାନ୍ତର ହେବାକୁ ଥିବା ପରିବାରଗୁଡିକର ପ୍ରାଥମିକ ସର୍ଭେ କରାଯାଇଥିଲା । ସେହି ସର୍ଭେ ଫଳାଫଳକୁ ଆଧାର କରି, 274 ଜଣ ହିତାଧିକାରୀଙ୍କୁ ଚନ୍ଦ୍ରଶେଖରପୁର (ବୁଦ୍ଧ ବିହାର) ରେ ଏଏଚ୍. ପି. ଘର ଆବଣ୍ଟନ ପାଇଁ ଅସ୍ଥାୟୀ ଭାବେ ଚୟନ କରାଯାଇଛି । ସେମାନଙ୍କ ସମସ୍ତ କାଗଜାତ ଯାଞ୍ଚ ପରେ ଗୃହ ପ୍ରଦାନ କରାଯିବ ବୋଲି ବିଏମ୍ ସି ପକ୍ଷରୁ କୁହାଯାଇଛି । ଉଚ୍ଛେଦ ଏବଂ ପୁନର୍ବାସ ନିୟମ ଅନୁଯାୟୀ, ସ୍ଥାନାନ୍ତର ସମୟରେ ପ୍ରଭାବିତ ପରିବାରଙ୍କୁ ମୌଳିକ ଜରୁରୀ ସହାୟତା ଯୋଗାଇଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ସେମାନଙ୍କର ପରିବହନ, 3 ଦିନ ପାଇଁ ଖାଦ୍ୟ ସୁବିଧା, ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ଏବଂ ଟିପିସିଓଡିଏଲ ଓ ୱାଟକୋ ପରି ସମ୍ପୃକ୍ତ ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରି ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ କରାଯାଇଅଛି ।
ଆବଣ୍ଟିତ ଗୋଟିଏ ଗୋଟିଏ ଗୃହର ଦାମ 6 ଲକ୍ଷ ଟଙ୍କା । ହିତାଧିକାରୀ ମାତ୍ର ଟ 1, 50, 000/-ଙ୍କା ଦେଇ ଏହି ଗୃହ ନେଇପାରିବେ । ଯେଉଁମାନେ ଏହି ଦେଢ ଲକ୍ଷ ଟଙ୍କା ଦେବାକୁ ଅସମର୍ଥ, ସେମାନେ ମାତ୍ର 15 ହଜାର ଟଙ୍କା ଦେଇ ଅବଶିଷ୍ଟ ଟଙ୍କା ବ୍ୟାଙ୍କରୁ ଋଣ କରି ପାରିବେ । ସେଥିପାଇଁ ବଛା ବଛା ବ୍ୟାଙ୍କ ସହିତ ଯୋଗାଯୋଗ କରି ବ୍ୟାଙ୍କ ଋଣ ନିମନ୍ତେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଋଣ ସହାୟତା ବ୍ୟବସ୍ଥାକୁ ସହଜ ଓ ସରଳ କରିବା ପାଇଁ ଏଚଡିଏଫ୍ ସି. ବ୍ୟାଙ୍କ ଏବଂ ବିଏମ୍ ସି ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍. ଓ. ୟୁ.) ଆଜି ସ୍ୱାକ୍ଷରିତ ହୋଇଛି 
ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ସ୍ଲମ ସେଟଲମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ମହାମାୟା ସ୍ୱାଇଁ, କର୍ପୋରେଟର ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ, ଏଚଡିଏଫ୍ ସି ବ୍ୟାଙ୍କର ବରିଷ୍ଠ ଉପସଭାପତି ତଥା ଜୋନାଲ ମୁଖ୍ୟ ଶ୍ରୀ ଅର୍ଜ୍ଜୁନାନନ୍ଦ ବାଗ୍ ଓ ବରିଷ୍ଠ ଉପସଭାପତି ତଥା କ୍ଲଷ୍ଟର ମୁଖ୍ୟ ଶ୍ରୀ ସୁଶାନ୍ତ କୁମାର ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ ସି ଓ ଏଚଡିଏଫର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାଗତ ଭାଷଣ ଅବସରରେ କମିଶନର ଶ୍ରୀ ଚଞ୍ଚଳ ରାଣା କହିଥିଲେ ଯେ, କୌଣସି ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ ପଡିବେ ନାହିଁ କି ଅଯୋଗ୍ୟ ହିତାଧିକାରୀଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ଗୃହ ପ୍ରଦାନ କରାଯିବ ନାହିଁ । ସମସ୍ତ ପ୍ରକାର ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯିବ ଏବଂ ଆବାସ ଗୃହ ପ୍ରଦାନ କରାଯିବ । ଲଟେରୀ ମାଧ୍ୟମରେ ଗୃହ ଆବଣ୍ଟନ କରିବା ଅର୍ଥ ହେଉଛି ଆବଣ୍ଟନରେ ସ୍ୱଚ୍ଛତା ରକ୍ଷା କରିବା । ଭୁବନେଶ୍ୱରରେ ନିଜ ନିଜର ସ୍ୱପ୍ନର ଘର ପାଇ ହିତାଧିକାରୀମାନେ ସୁଖ ଓ ଶାନ୍ତିରେ ନିଜ ଘରେ ରହୁଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ ।
ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ । ଯେଉଁମାନେ ଯୋଗ୍ୟ ହିତାଧିକାରୀ, ସେମାନେ କୌଣସି ପରିସ୍ଥିତିରେ ମଧ୍ୟ ବାଦ ପଡିବେ ନାହିଁ । ସମସ୍ତଙ୍କୁ ଘର ମିଳିବ । ସେଥିପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି । କେବଳ ସେତିକି ନୁହେଁ, ଅନେକ ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ପରିବାରଙ୍କର ମଧ୍ୟ ଭୁବନେଶ୍ୱରରେ ଘର ଖଣ୍ଡିଏ ନାହିଁ । ସେମାନଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । 14 ଲକ୍ଷରୁ ଆରମ୍ଭ କରି 50 ଲକ୍ଷ ଟଙ୍କା ମଧ୍ୟରେ ବିଭିନ୍ନ ଶ୍ରେଣୀର ଗୃହ ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କର ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କହିଛନ୍ତି । ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଖୁବ୍ ଶୀଘ୍ର ଲଟେରୀ ମାଧ୍ୟରେ ଗୃହ ପ୍ରଦାନ କରାଯିବ ।

No Result
View All Result