No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ପୋଲିସ ପକ୍ଷରୁ ଟାଉନ ଥାନା କନଫରେନ୍ସ ହଲରେ ଏକ ବିଶେଷ ସଚେତନତା ସଭା ଆୟୋଜିତ ହୋଇଥିଲା l ଏଥିରେ ପୁରୀ ଏସ ପି ପ୍ରତୀକ ସିଂ ଅଧକ୍ଷତା କରିଥିଲେ । ଅପ୍ରାପ୍ତବୟସ୍କ ଶିଶୁମାନେ ଯେଉଁମାନେ ପୂର୍ବରୁ କିଛି ଅପରାଧରେ ଜଡିତ ହୋଇଥିଲେ ଓ ଆଇନଗତ ଶାସନ ପାଇଥିଲେ, କିନ୍ତୁ ବର୍ତ୍ତମାନ ସଠିକ୍ ପଥରେ ଫେରି ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି, ସେମାନଙ୍କୁ ଡାକି ଆଲୋଚନା ହୋଇଥିଲା । ସେମାନଙ୍କ ସହିତ ସାକ୍ଷାତ ଆଲୋଚନା କରି ସେମାନଙ୍କ ଜୀବନରେ ହୋଇଥିବା ପରିବର୍ତ୍ତନ, ପାଠପଢା ଓ ସମାଜରେ ସୁପଥରେ ଚାଲିବା ପାଇଁ ସଂକଳ୍ପ କରାଇଥିଲେ ଓ ସଙ୍କଳ୍ପକୁ ସ୍ୱାଗତ କଲେ ।.

ସେ ସଭାରେ ସମସ୍ତ ଶିଶୁଙ୍କ ଅଭିଭାବକମାନଙ୍କୁ ମଧ୍ୟ ଡାକି ସଚେତନ କଲେ ଯେ ସେମାନେ ନିଜ ସନ୍ତାନଙ୍କ ଆଚରଣ ଉପରେ ନିରନ୍ତର ନଜର ରଖନ୍ତୁ ଓ ସେମାନଙ୍କୁ ଶିକ୍ଷା, କ୍ରୀଡ଼ା ଓ ଭଲ କାର୍ଯ୍ୟରେ ଅଗ୍ରସର କରାନ୍ତୁ । ଏସ ପି କହିଲେ – “ଶିଶୁମାନେ ଆମ ସମାଜର ଭବିଷ୍ୟତ୍ । କେବେ କେବେ ଭୁଲ ସଙ୍ଗ ଓ ପରିସ୍ଥିତି ସେମାନଙ୍କୁ ଅପରାଧ ପଥରେ ନେଇଯାଏ । ଯଦି ସମୟରେ ଠିକ ମର୍ଗଦର୍ଶନ ଓ ସମର୍ଥନ ମିଳେ, ସେମାନେ ନିଶ୍ଚୟ ନୂତନ ଜୀବନ ଗଢ଼ିପାରିବେ।”ସଭାରେ ଅତିରିକ୍ତ ଏସ୍ପି ସୌମ୍ୟରଂଜନ ମଲ୍ଲିକ, କୁମ୍ଭାରପଡା ଥାନା ଅଧିକାରୀ ସୁଶାନ୍ତ ସାହୁ,
ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାଶ, ତାଳବଣିଆ ଥାନା ଅଧିକାରୀ ଗୀତାଞ୍ଜଳି ନାୟକ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ସେମାନେ ଜୁଭେନାଇଲ୍ ଶିଶୁମାନଙ୍କ ପୁନର୍ଜୀବନ, ଶିକ୍ଷା ସହାୟତା ସୁଯୋଗ ସମ୍ପର୍କରେ ଆଲୋଚନା କଲେ । ପୁରୀ ଏସ୍ପି ସମସ୍ତ ଶିଶୁମନଙ୍କୁ ଭବିଷ୍ୟତ ଗଡ଼ିବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ସେମାନଙ୍କ ପାଇଁ ଆଗାମୀ ଦିନରେ କ୍ୟାରିଅର କଉନସେଲିଂ, ମୋଟିଭେସନାଲ୍ ଶିବିର ଓ ଶିକ୍ଷା ସହାୟତା କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରସ୍ତାବ ରଖିଥିଲେ । ସେ ଅଭିଭାବକମାନଙ୍କୁ ନିୟମିତ ଭାବରେ ପୋଲିସ ସହିତ ସମ୍ପର୍କ ରଖିବାକୁ ଅନୁରୋଧ କଲେ ଯାହାଦ୍ୱାରା ସେମାନଙ୍କ ସନ୍ତାନଙ୍କ ସୁଭବିଷ୍ୟତ ନିଶ୍ଚିତ ହେବ । ପୁରୀ ପୋଲିସ ପକ୍ଷରୁ ଏହି ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଚାଲିବ ।

No Result
View All Result