କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- କଟକ ସଦର ମହକୁମା ଅନ୍ତର୍ଗତ ମହିଧର ପଡ଼ା ଜଳ ସେଚନ ବିଭାଗ ଅଧିନ ଗୁଆଳି ମାଇନର କେନାଲଟି ମରାମତି ଅଭାବରୁ ଏହା ଦିନକୁ ଦିନ ଶୋଚନୀୟ ହୋଇପଡ଼ି ଥିବାରୁ ଏହା ଲୋକମାନଙ୍କ ପାଇଁ ଏବେ ମୃତ୍ୟୁ ଯନ୍ତାରେ ପରିଣତ ହୋଇଛି । ଏହି ରାସ୍ତାର ଅବସ୍ଥା କହିଲେ ନସରେ ଏହା ପାଣି କାଦୁଅରେ ସରସର ହୋଇପଡିଛି । ଏହି କେନାଲ ରାସ୍ତାଟି ଭୁବନେଶ୍ବର ପ୍ରାଚୀ ଡିଭିଜନ – ପ୍ରତାପ ନଗରୀ ଜଳ ସମ୍ପଦ ଉପନିର୍ବାହୀ ଅଧିକାରୀ ଓ ମହିଧରପଡା ଜଳସେଚନ ସେକ୍ସନ ଅଫିସ ଅଧିନରେ ଗୁଆଳି ମାଇନର କେନାଲ ଅବସ୍ଥିତ ।

ଏହି ମାଇନର କେନାଲଟି ତ୍ରିନାଥ ବଜାର-ଓଲଟପୁର ମାଇନର କେନାଲ ଜଗନ୍ନାଥପୁର ଠାରୁ ବାହାରି ଗୁଆଳି ଗ୍ରାମକୁ ଯାଇଅଛି । ପ୍ରାୟ ୧ କି.ମି ରୁ ଉର୍ଦ୍ଧ୍ବ ହେବ ଏହି ମାଇନର କେନାଲ । ଏହି କେନାଲ ବନ୍ଧ ରାସ୍ତା ଦେଇ ଗୁଆଳି,ମହାନ୍ତିପାଟଣା ଓ ଜଗନ୍ନାଥପୁର ଗ୍ରାମର ଶହ ଶହ ଲୋକ, ସ୍କୁଲ ଛାତ୍ର ଛାତ୍ରୀମାନେ ଦୈନନ୍ଦିନ ଯାତାୟାତ କରିଥାନ୍ତି । ଦୁଇ ବର୍ଷ ତଳେ ଏହି ବନ୍ଧ ରାସ୍ତାଟି ପିଚୁ କାର୍ଯ୍ୟ କରାଯାଇଥିଲେ ମଧ୍ୟ ସେହି କାର୍ଯ୍ୟ ଠିକାଦାର ଠିକ୍ ଭାବେ କରି ନଥିବାରୁ ବା ଯନ୍ତ୍ରୀ ମାନେ କାର୍ଯ୍ୟ ସମୟରେ ଉପସ୍ଥିତ ରହି ଠିକ୍ ତଦାରଖ କରିନଥିବାରୁ ରାସ୍ତା ଉପରୁ ବ୍ଲାକ ମେଟାଲ ତାଡି ହୋଇ ଖାଲ ଖମା ସୃଷ୍ଟି ହୋଇଛି ।
ଫଳରେ ଯାତାୟାତରେ ଘୋର ବାଧା ସୃଷ୍ଟି ହେଉଛି । ତୁରନ୍ତ ଏହି ରାସ୍ତା ମରାମତି ପାଇଁ ଗୁଆଳି ଗ୍ରାମର ସୁରେନ୍ଦ୍ର ଛୋଟରାୟ,ହୃଷୀକେଶ ଛୋଟରାୟ,ଘନଶ୍ୟାମ ପାତ୍ର,ଧୀରେନ୍ଦ୍ର ଛୋଟରାୟ, ସୁନିଲ ଘଡେ଼ଇ, ଚନ୍ଦନ ଭଗତ,ଜଗନ୍ନାଥପୁର ଗ୍ରାମର ବଙ୍ଗାଳୀ ଚରଣ ପରିଜା,ହେମନ୍ତ ମଲ୍ଲିକ ,ବାବୁଲି ଭୋଇ,ମହାନ୍ତିପାଟଣା ଗ୍ରାମର ରବିନ୍ଦ୍ର ସାହୁ, ଚଗଲି ଆଚାର୍ଯ୍ୟ ପ୍ରମୁଖ ବହୁ ଜନସାଧାରଣ ଦାବି କରିଛନ୍ତି । ବିଭାଗୀୟ ପକ୍ଷରୁ ଯଦି ଏହି ରାସ୍ତାକୁ ତୁରନ୍ତ ମରାମତି କରାନଯାଏ ତେବେ ସ୍ଥାନୀୟ ଜନସାଧାରଣମାନଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି ।














