ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ (୫୩)ଙ୍କର ରବିବାର ରାତିରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । କିଡ୍ନିଜନିତ ରୋଗରେ ପୀଡ଼ିତ ହୋଇ ସେ ଗତକିଛି ଦିନ ହେଲା ଚିକିତ୍ସାଧୀନ ଥିଲେ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ବେଲଘର ଥାନା ଗୁମା ଗ୍ରାମରେ ଜନ୍ମିତ କରେନ୍ଦ୍ର ବାଲିଗୁଡ଼ାରୁ ବିଜେପିରୁ ୨୦୦୪ ଓ ୨୦୦୯ ରେ ଦୁଇ ଥର ବିଧାୟକ ଭାବେ ଭାବେ ନିର୍ବାଚିତ ହୋଇଥିଲେ ।

ଆଦିମ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟର ସେ ଥିଲେ ପ୍ରଥମ ଗ୍ରାଜୁଏଟ୍। ଏହାଛଡ଼ା ୭ଟି ଆଦିମ ଜନଜାତି ଭାଷାରେ ଗବେଷଣା କରି ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ | ଓଡ଼ିଆ ଲିପିରେ କୁଇଭାଷାରେ ‘ପିଲାଙ୍କ ରାମାୟଣ’, ‘ଡ. ଆମ୍ବେଦକରଙ୍କ ଜୀବନୀ ଓ ଇତିହାସ’ ଓ ‘କୁଇ ଭାଷା ଅଭିଧାନ’ ଭଳି ୩ଟି ପୁସ୍ତକ ସେ ରଚନା କରିଛନ୍ତି। ଜଣେ ଦକ୍ଷ ସଂଗଠକ ଭାବେ ତାଙ୍କର ପରିଚୟ ରହିଥିଲା । କରେନ୍ଦ୍ରଙ୍କ ଏହି ଅକାଳ ବିୟୋଗ ଖବର ଶୁଣିବା କ୍ଷଣି ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାତିରେ ହିଁ ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥଲେ।















