No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ଐତିହାସିକ କଟକ ସହରର ବିଡାନାସୀ ମୌଜା ଠାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ନୂତନ କୋଠା ଆମ ଜିଲ୍ଲାର ପ୍ରଶାସନିକ ବିକାଶରେ ଏକ ନୂତନ ଅଧ୍ୟାୟ ସଂଯୋଗ କରିବାକୁ ଯାଉଛି । ପ୍ରସ୍ତାବିତ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ପାଂଚ ମହଲା ବିଶିଷ୍ଟ ହେବ । ଏଥିପାଇଁ ମୋଟ ବ୍ୟୟ ଅଟକଳ ୯୪ କୋଟି ୪୬ ଲକ୍ଷ ୪୪ ହଜାର ଟଙ୍କା ରଖାଯାଇଛି ।
ଦୁଇ ବର୍ଷ ୬ ମାସ ମଧ୍ୟରେ ନୂତନ କାର୍ଯ୍ୟାଳୟର କାର୍ଯ୍ୟ ଶେଷ ହେବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି । ସମୁଦାୟ ୫ ଏକର ୭୦ ଡିସିମିଲ ଜମି ଉପରେ ନିର୍ମାଣ ହେବାକୁ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମନ୍ୱିତ କୋଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ କଟକ ସଦର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ରହିବ ।ପରବର୍ତୀ ପର୍ଯ୍ୟାୟରେ ଏଠାରେ ତହସିଲ କାର୍ଯ୍ୟାଳୟ, ଉପନିବନ୍ଧକଙ୍କ କାର୍ଯ୍ୟାଳୟ, ରାଜସ୍ୱ ପର୍ଷଦ ଓ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ମଧ୍ୟ ନିର୍ମାଣ କରାଯିବ ।
ଏଠାରେ ବିଭିନ୍ନ ବିଭାଗ, ଲାଇବ୍ରେରୀ, କନଫରନେସ ହଲ, କାଫେଟେରିଆ, ୨୦୦ ଲୋକ ବସିପାରିବା ଭଳି ଅଡିଟୋରିଅମ ରଖାଯିବାର ବ୍ୟବସ୍ଥା କରାଯାଇଛି । ସମସ୍ତ ଅତ୍ୟାଧୁନିକ ଭିତିଭୂମୀ ସହ ଏହି ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯିବ । ଏଠାରେ ପାର୍କିଂ ପାଇଁ ପର୍ଯ୍ୟାପ୍ତ ସ୍ଥାନ ସହ ଚତୁଃପାଶ୍ୱର୍ରେ ବିଭିନ୍ନ ବୃକ୍ଷରୋପଣ କରାଯାଇ ପରିବେଶ ଅନୁକୂଳ ଭିତିଭୂମୀ ସୁନିଶ୍ଚିତ କରାଯିବ । ଏହି ପ୍ରକଳ୍ପ ଶେଷ ହେବା ଦ୍ୱାରା ଜନସାଧାରଣ ଗୋଟିଏ ସ୍ଥାନରେ ସମସ୍ତ ସରକାରୀ ସେବା ପାଇପାରିବେ ।
କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସୁରେଶ ପୂଜାରୀ, କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବାରବାଟୀ-କଟକ ବିଧାୟିକା, ଇଂ. ସୋଫିଆ ଫିରଦୋସ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା ଓ ଜିଲ୍ଲାପାଳ ଏବଂ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପ୍ରମୁଖ ଉପସ୍ଥିତ ଥିଲେ ।


No Result
View All Result