ନିମାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ନିମାପଡ଼ା ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଏହି ଗସ୍ତରେ ସେ ବଳଙ୍ଗା ମହାବିଦ୍ୟାଳୟ ଏବଂ ବଳଙ୍ଗା ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଇଥିଲେ । ଏହି ଅବସରରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ବଳଙ୍ଗା ମହାବିଦ୍ୟାଳୟଠାରେ ନୂତନ ଭାବେ ନିର୍ମିତ ୬ ଗୋଟି ଶ୍ରେଣୀଗୃହ ଏବଂ ଶୌଚାଳୟର ଶୁଭ ଉଦ୍ଘାଟନ ହୋଇଥିଲା।

ସେହିଭଳି ବଳଙ୍ଗା ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ପ୍ରାୟ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଟିଏ ଶ୍ରେଣୀଗୃହ ଏବଂ ଅନ୍ୟ ଏକ କକ୍ଷର ଶୁଭ ଉଦ୍ଘାଟନ କରାଯାଇଥିଲା। ଗତ ଆର୍ଥିକ ବର୍ଷରେ ବଳଙ୍ଗା ମହାବିଦ୍ୟାଳୟକୁ ୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି, ଯାହାକି ଏହି ଶିକ୍ଷା ଅନୁଷ୍ଠାନର ସାମଗ୍ରିକ ବିକାଶରେ ବେଶ ସହାୟକ ହେବ ବୋଲି ସେ ଏହି ଅବସରରେ କହିଥିଲେ । ଅନ୍ୟପକ୍ଷରେ ବଳଙ୍ଗା ଡିଗ୍ରୀ କଲେଜରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡ଼ନ ଆଇନ ୨୦୧୩ (ପୋଶ୍) ସମ୍ବନ୍ଧରେ ଦକ୍ଷତା ବୃଦ୍ଧି କର୍ମଶାଳାରେ ମଧ୍ୟ ସେ ଯୋଗଦେଇଥିଲେ। ଏହି ଅବସରରେ ‘ଶକ୍ତିିଶ୍ରୀ’ କାର୍ଯ୍ୟକ୍ରମ ବାବଦରେ ମଧ୍ୟ ଆଲୋଚନା ହୋଇଥିଲା।

ଏହାପରେ ଏକ ଶୋଭାଯାତ୍ରାରେ ସେ ଶାଇଁସ ଶାସନ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ। ଏଠାରେ ସେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଶାଇଁସ ଶାସନ ଗ୍ରାମପଞ୍ଚାୟତର ସୁବିଧା କେନ୍ଦ୍ର ଏବଂ ମହିଳା ଓ ଶିଶୁ ବିକାଶ ଯୋଜନାରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା “ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ଗୃହ”ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହାପରେ ଧଳେଶ୍ୱରର ବୁଧେଇ ପ୍ରାଥମିକ ବିଦ୍ୟାଳୟଠାରେ ବୁଧେଇ ପ୍ରାଥମିକ ବିଦ୍ୟାଳୟ, ନହନ୍ତରା ପ୍ରାଥମିକ ବିଦ୍ୟାଳୟ, କୋପିନ୍ଦ-ପାଟେଳିଗ୍ରାମ ପ୍ରାଥମିକ ବିଦ୍ୟାଳୟ, କୋହ୍ଲଣା ପ୍ରାଥମିକ ବିଦ୍ୟାଳୟ, ଏକମକଣା ପ୍ରାଥମିକ ବିଦ୍ୟାଳୟ ଏବଂ ସଲଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଗସ୍ତରେ ସେ ନିମାପଡ଼ା ବ୍ଲକ ଅଧିନସ୍ଥ ତେରୁଣ୍ଡିଆ ଗ୍ରାମପଞ୍ଚାୟତର କୁରୁକୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଏକ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏହି କାର୍ଯ୍ୟକ୍ରମ ପରେ ନିମାପଡ଼ାଠାରେ ରାଜ୍ୟ ସରକାରଙ୍କ “ଶୀତଳଭଣ୍ଡାରକୁ ଆର୍ଥିକ ସହାୟତା” ଯୋଜନା ଅଧୀନରେ ଶ୍ରୀମତୀ ସୋନାଲି ବରାଳଙ୍କ ଦ୍ଵାରା ସ୍ଥାପନ ହେବାକୁ ଥିବା ୨୫୪୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ଶୀତଳ ଭଣ୍ଡାରର ଶୁଭ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଶୀତଳଭଣ୍ଡାର ସ୍ଥାପନ ପାଇଁ ୯ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ, ପ୍ରକଳ୍ପ ରାଶିର ୬୦ ପ୍ରତିଶତ ରାଶି ରାଜ୍ୟ ସରକାର ସବ୍ସିଡି ଆକାରରେ ଯୋଗାଇଦେବେ।













