No Result
View All Result
ନୟାଗଡ଼/ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ଅନଲାଇନ ଉପସ୍ଥାନକୁ ବିରୋଧ କରି ନୟାଗଡ଼ ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିଲା। ଜିଲ୍ଲାର ସମସ୍ତ ୮ଟି ବ୍ଲକର ଶିକ୍ଷକ,ଶିକ୍ଷୟତ୍ରୀ ମାନେ ଏଥିରେ ସାମିଲ ହୋଇ ଏକ ବିଶାଳ ରାଲିରେ ନିୟୁଟାଉନ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରା ଦେଇ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବଜାର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି କାର୍ଯ୍ୟାଳୟ ସାମନା ମୁଖ୍ୟ ରାସ୍ତାକୁ ଅବରୋଧ କରି ପ୍ରତିବାଦ ସଭା କରିଥିଲେ।

ଏଥିରେ ଜିଲ୍ଲାରେ କାର୍ଯ୍ୟରତ ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷକ ସଂଘ, ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ପ୍ରଭୃତି ସାମିଲ ହୋଇ ସରକାରଙ୍କ ଦ୍ୱାରା ଅଗଣତାନ୍ତ୍ରିକ ଉପାୟରେ ଶିକ୍ଷକ ମାନଙ୍କ ଉପରେ ଲଦି ଦିଆଯାଇଥିବା ଅନଲାଇନ ଉପସ୍ଥାନ ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଥିଲେ। ଆନ୍ଦୋଳନରେ ଭାଗ ନେଇଥିବା ଶିକ୍ଷକ ମାନଙ୍କ କହିବା କଥା ହେଲା ସରକାର ଅନ୍ୟ କୌଣସି ବିଭାଗର କର୍ମଚାରୀ ମାନଙ୍କ ପାଇଁ ଅନଲାଇନ ଉପସ୍ଥାନ ବ୍ୟବସ୍ଥା ଲାଗୁ କରି ନଥିବା ବେଳେ ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ କେବଳ ଶିକ୍ଷକ ମାନଙ୍କ କ୍ଷେତ୍ରରେ କଣ ପାଇଁ ଲାଗୁ କରୁଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି।

ସେହିପରି ଅନଲାଇନ ଉପସ୍ଥାନ ପାଇଁ ଆବଶ୍ୟକ ଉପକରଣ,ମୋବାଇଲ, ଡାଟା ୱାଇଫାଇ ସେବା, ଡାଟା ଏଣ୍ଟ୍ରି ଅପରେଟର, କମ୍ପୁଟର ଆଦି ବିଦ୍ୟାଳୟ ଗୁଡିକୁ ଯୋଗାଇ ନଦେଇ ସରକାର କେବଳ ଅନଲାଇନ୍ ଉପସ୍ଥାନ ପାଇଁ ବାଧ୍ୟ କରୁଥିବାରୁ ଶିକ୍ଷକ ମାନେ ଏହାର ଜୋରଦାର ବିରୋଧ କରୁଛନ୍ତି। ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ସହିତ ସମସ୍ତ ବିଧାୟକଙ୍କୁ ଘେରାଉ ତଥା ରାଜ୍ୟସ୍ତରରେ ଏହାକୁ ଜୋରଦାର କରାଯିବା ପାଇଁ ଶିକ୍ଷକ ସଂଘ ମାନେ ପ୍ରକାଶ କରିଛନ୍ତି। ଶେଷରେ ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଗୁଡ଼ିକୁ ଜିଲ୍ଲାପାଳଙ୍କ ପକ୍ଷରୁ ଉପଜିଲ୍ଲାପାଳ ପ୍ରତିବାଦ ସ୍ଥଳକୁ ଆସି ଗ୍ରହଣ କରିଥିଲେ।

ଏହି ଆନ୍ଦୋଳନରେ ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ,ବ୍ରଜବନ୍ଧୁ ସୁବୁଦ୍ଧି,ବାମନ ବାରିକ୍, ବିଭୁ ସାହୁ, ସୁରେଶ୍ ବେହେରା, ଦୀନବନ୍ଧୁ ସାହୁ, ପ୍ରସନ୍ନ କୁମାର ଲେଙ୍କା, ପଞ୍ଚାନନ ମହାପାତ୍ର, ବିଘ୍ନେଶ୍ୱର ବେହେରା, ଅଯୋଧ୍ୟା ନାୟକ, ବିନାୟକ ପରିଡ଼ା, ମାଣିକେଶ୍ଵର ସ୍ୱାଇଁ, କବିରାଜ ବିଶ୍ଵାଳ ,ଜ୍ୟୋତିରଞ୍ଜନ ଦାଶ, ଭକ୍ତ ମିଶ୍ର, ନରେଶ ପାଣିଗ୍ରାହୀ, ସୁରେଶ୍ ମହାପାତ୍ର, ଦୀନବନ୍ଧୁ ଦାସ, ସୁରେଶ୍ ସେଠୀ, ପୀତବାସ ପ୍ରଧାନ, ଲକ୍ଷ୍ମୀଧର ସାହୁ,ସଂଗ୍ରାମ ସାହୁ,ଉମେଶ ସ୍ୱାଇଁ, ରବୀନ୍ଦ୍ର ସାହୁ, ଭଗବାନ୍ ପଣ୍ଡା, ବଟକୃଷ୍ଣ ମିଶ୍ର, ଅଭିମନ୍ୟୁ ମହାନ୍ତି,ପ୍ରଶାନ୍ତ ମହାପାତ୍ର, ଅମିତା ପ୍ରଧାନ, ଜୟକୃଷ୍ଣ ପ୍ରଧାନ, ଗତିକୃଷ୍ଣ ପ୍ରଧାନ,ପ୍ରମୁଖ ସାମିଲ ହୋଇ ସରକାରଙ୍କ ଅନଲାଇନ ଉପସ୍ଥାନ ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଥିଲେ।

No Result
View All Result