No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରାବଣ ମାସକୁ ଧାର୍ମିକ ମାସ ଭାବରେ ହିନ୍ଦୁମାନେ ବିବେଚନା କରୁଥିବା ବେଳେ ହଜାର ହଜାର କାଉଡିଆ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି । ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିବାବେଳେ ମଧ୍ଯ ପର୍ବପର୍ବାଣୀଗୁଡିକ ଲାଗି ରହିଥିବାବେଳେ ପରିବା ଦର ଆକାଶଛୁଆଁ ହୋଇଛି । ହିନ୍ଦୁ ପରିବାର ଘରେ ନିରାମିଷ ଭୋଜନ ବ୍ଯବସ୍ଥା ହେଉଥିବାବେଳେ ଆମିଷ ଭୋଜନ ପ୍ରାୟତଃ ଅନେକ ଘରେ ବନ୍ଦ ହୋଇଛି । ଏପରିସ୍ଥଳେ ମୁନାଫାଖୋର ବ୍ଯବସାୟୀମାନେ ବିଭିନ୍ନ ଆଳରେ ପରିବା ଦର ବଢ଼ାଇ ଚାଲିଥିବାରୁ ଗ୍ରାହକମାନେ ଆକାଶଛୁଆଁ ଦର ହେତୁ ଅଧିକ ପରିବା କିଣିବାରେ ଅସମର୍ଥ ହୋଇପାରୁଛନ୍ତି ।

ଖାଉଟିମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅତ୍ଯାବଶ୍ଯକ ପରିବା ଭାବରେ ଆଳୁ,ବାଇଗଣ,ପୋଟଳ,ଝୁଡ଼ଙ୍ଗ, ଭେଣ୍ଡି,ଟମାଟୋ, ରସୁଣ, ଅଦା ଆଦି ଦର ବଢ଼ିବାରେ ଲାଗିଛି । ସ୍ବଳ୍ପ ଆୟ କରୁଥିବା ପରିବାର ଏବଂ ଦିନ ମଜୁରିଆଙ୍କ ପାଇଁ ପରିବା ଦର ସମସ୍ଯା ସୃଷ୍ଟି କରୁଛି । ବର୍ତ୍ତମାନ ପରିବା ଦୋକାନରେ ବାଇଗଣ କେଜି ପ୍ରତି ୮୦ଟଙ୍କା, ଟମାଟୋ କେଜି ୮୦ଟଙ୍କା, ଝୁଡ଼ଙ୍ଗ କେଜି ୮୦ ଟଙ୍କା, କଲରା କେଜି ୮୦ ଟଙ୍କା ,କାଙ୍କଣ କେଜି ୨୦୦ ଟଙ୍କା,ବିନ୍ସ କେଜି ୧୨୦ ଟଙ୍କା, ପୋଟଳ କେଜି ୮୦ ଟଙ୍କା ସଜନା ଛୁଇଁ କେଜି ୧୪୦ ଟଙ୍କା, ଅମୃତଭଣ୍ଡା କେଜି ୬୦ରୁ୭୦ ଟଙ୍କା ରହିଥିବା ବେଳେ ପିଆଜ କେଜି ୪୦ ରୁ ୫୦ ଟଙ୍କା, ଅଦା କେଜି ୧୬୦ ଟଙ୍କା ,
ରସୁଣ କେଜି ୨୦୦ ଟଙ୍କା ଓ ଲଙ୍କା କେଜି ୧୦୦ ଟଙ୍କା ଆଦି ରହିଥିବାବେଳେ ଅନ୍ଯାନ୍ଯ ପରିବା ଦର ଅହେତୁକ ପରିମାଣରେ ବୃଦ୍ଧି ପାଇଛି । ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ମାନେ ବାଧ୍ଯ ହୋଇ ସ୍ବଳ୍ପ ଆୟ ଭିତରେ ଚଳୁଥିବା ବେଳେ ବିଭିନ୍ନ ପରିବା ୨୫୦ ରୁ ୫୦୦ ଗ୍ରାମ ପରିବା କିଣି ନେବାକୁ ବାଧ୍ଯ ହେଉଛନ୍ତି । ପରିବା ବଜାରରେ ପରିବା କିଣିବାକୁ ହାତ ଯାଉନି । ୨୦୦ ଟଙ୍କାର ପରିବା କିଣିଲେ ବ୍ଯାଗ ଫୁଲ ହେଉନି । ବିଶେଷକରି ଗୃହିଣୀମାନେ ଘର ଚଳାଇବାକୁ ଅସମର୍ଥ ହୋଇପଡୁଛନ୍ତି । ଘରେ ପରିବାରରେ ଅଧିକ ଲୋକ ଥିଲେ ପରିବା ଆଣି ତରକାରି ପ୍ରସ୍ତୁତ କରିବା କାଠିକର ହୋଇପଡୁଛି । ଗୃହିଣୀ ମାନେ ଚିନ୍ତାରେ ରହିଥିବା ବେଳେ ଘରର ମୁଖିଆ ମୁଣ୍ଡରେ ହାତ ଦେଇ ବସି ରହୁଛି ।
ଗାଁ ଠାରୁ ସହର ପର୍ଯ୍ୟନ୍ତ ପରିବା ଦର ବଢ଼ିବା ଯୋଗୁ ଗରିବ, ଦିନ ମଜୁରିଆ, ମଧ୍ୟବିତ୍ତ ଶ୍ରେଣୀର ପରିବାର ଲୋକଙ୍କ ଦିନକୁ ଦିନ ସମସ୍ଯା ବଢ଼ିବାରେ ଲାଗିଛି । ରାଜ୍ଯ ସରକାରଙ୍କ ପନିପରିବା ବ୍ଯବସାୟୀଙ୍କ ଉପରେ କୌଣସିପ୍ରକାର ଲଗାମ ନଥିବାରୁ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ମୁନାଫାଖୋର ମନୋବୃତ୍ତିରେ ବ୍ଯବସାୟୀ ଲାଭଖୋର ମନୋବୃତ୍ତିରେ ବ୍ଯବସାୟ କରି ମାଲାମାଲ ହେଉଥିବା ବେଳେ ଖାଉଟିମାନେ ଶୋଷଣର ଶିକାର ହେଉଛନ୍ତି । ବାରମ୍ବାର ଗଣମାଧ୍ୟମରେ ପରିବା ଦରର ନିୟନ୍ତ୍ରଣ ପାଇଁ ଦୃଢ ଦାବି ହେଉଥିଲେ ମଧ୍ଯ ତାହା କାର୍ଯ୍ଯକାରୀ ହୋଇପାରୁନାହିଁ । ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗୀୟ ଉଚ୍ଚ ଅଧିକାରୀ ମାନେ ପରିବା ଦର ନିୟନ୍ତ୍ରଣ ଉପରେ ଅଙ୍କୁଶ ଲଗାଇ ଦୃଢ କାର୍ଯ୍ଯାନୁଷ୍ଠାନ ନେବାକୁ ସହରର ବୁଦ୍ଧିଜୀବୀ ଓ ଖାଉଟିମାନେ ସାଧାରଣରେ ଦାବି କରିଛନ୍ତି ।

No Result
View All Result