ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡ଼ି ଗ୍ରାମର ଯଶୋବନ୍ତ ନାୟକଙ୍କ (୫୦) ମୃତଦେହ ମଙ୍ଗଳବାର ସକାଳ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି। ସୋମବାର ସେ ନିଖୋଜ ରହିଥିବା ବେଳେ ତାଙ୍କ ପୋଷାକ, ଚପଲ ଆଦି ପୋଖରୀ ହୁଡାରେ ରହିଥିବାରୁ ପରିବାର ଲୋକ ଓ ଗ୍ରାମବାସୀ ସେ ପୋଖରୀରେ ବୁଡ଼ିଯାଇଥିବେ ବୋଲି ସନ୍ଦେହ କରିଥିଲେ ।

ଦାରିଙ୍ଗବାଡି ଅଗ୍ନିଶମ ବିଭାଗର କର୍ମଚାରୀମାନେ ସନ୍ଧ୍ୟାରେ ଖୋଜାଖୋଜି କରିଥିଲେ ହେଁ ଅନ୍ଧାର ଯୋଗୁ ଯଶୋବନ୍ତଙ୍କୁ ଖୋଜିପାରି ନ ଥିଲେ। ମଙ୍ଗଳବାର ଭୋର ସମୟରେ ଯଶୋବନ୍ତଙ୍କ ପରିବାର ଲୋକ ପୁଣି ପୋଖରୀକୁ ଯାଇ ଖୋଜିବା ସମୟରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ମୃତଦେହ ପୋଖରୀରୁ ବାହାର କରିଥିଲେ ।















