ଆସନ୍ତାକାଲି ଠାରୁ ଆଡପ ଦର୍ଶନ ଓ ଆଡପ ଅଭଢା ଭକ୍ତ ପାଇ ପାରିବେ । ସଂଧ୍ଯାଧୂପ ପରେ ରଥରୁ ଘୋଢା ଖୋଲାଯାଇ ଚାରମାଳ ବନ୍ଧା ଯାଇଥିଲା । କୋଠ ସୁଆଁସିଆ ସେବକ ଆଡପପଣ୍ଡପ ସିଂହାସନରେ ଚାରମାଳ ବାନ୍ଧିଥିଲେ । ରଥ ଉପରେ ପୁଷ୍ପାଞ୍ଜଳି ନୀତି ହେବା ପରେ ରାମକୃଷ୍ଣଙ୍କ ଓ ମଦନମୋହନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା ।
ଜୟ ଜଗନ୍ନାଥ ଧ୍ବନି ଓ ହରିବୋଲ ହୁଳହୁଳି ଘଣ୍ଟ ଘଣ୍ଟୁଆଙ୍କ ନାଦରେ ଶରଧାବାଲି କମ୍ପିଥିଲା । ପରେ ଶ୍ରୀସୁଦର୍ଶନ ଓ ୭ଟା ୪୦ ରେ ବଡଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ଦେବୀ ମା ସୁଭଦ୍ରାଙ୍କ ଶୂନ୍ଯ ପହଣ୍ଡି ପରେ ଶେଷରେ କାଳିଆ ଠାକୁର ଶ୍ରୀଜଗନ୍ନାଥ ଟାହିଆ ଲଗାଇ ହଲିହଲି ଝୁଲିଝୁଲି ପହଣ୍ଡିରେ ସେବାୟତ ମାନେ ନେଇଥିଲେ ।
କାଳିଆ ପହଣ୍ଡି ସମୟରେ ରଥକର୍ଡନ ଓ ରଥ ଉପରେ ଅନୁମତିପ୍ରାପ୍ତ ବ୍ଯକ୍ତି ମାନେ ଉପସ୍ଥିତ ଥିଲେ । ପହଣ୍ଡି ଦେଖିବା ପାଇଁ ଅଘଟଣ ସତ୍ତ୍ବେ ହଜାର ହଜାର ଶ୍ରଦ୍ଧାଳୁ ପହଣ୍ଡି ଦର୍ଶନ କରିଥିଲେ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଆଡପପଣ୍ଡପରେ ବିରାଜମାନ କରିଛନ୍ତି ।
ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଶହଜାର ବର୍ଷ ଦର୍ଶନ କଲେ ଯେତିକି ପୂଣ୍ଯ ମିଳିଥାଏ । ଗୋଟିଏ ଦିନ ଆଡପପଣ୍ଡପ ରେ ଦର୍ଶନ କଲେ ସେତିକି ପୂଣ୍ଯ ମିଳିଥାଏ ବୋଲି ବିଶ୍ଵାସ ରହିଛି । ସଂଧ୍ଯା ସମୟରେ ଆଡପ କଲେ ଅଧିକ ପୂଣ୍ଯ ମିଳିଥାଏ ।

© 2023 Odisha Taza News.