ସ୍ବିମିଙ୍ଗ ଫେଡ଼େରେସନ୍ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ସ୍ବିମିଙ୍ଗ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ସମଗ୍ର ଦେଶରୁ ପ୍ରାୟ ୪୦୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।
ଓଡ଼ିଶାରୁ ୭ଜଣ ପୁରୁଷ ଓ ୭ ଜଣ ମହିଳା ସର୍ବମୋଟ୍ ୧୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।ଆଜି ପ୍ରଥମ ଦିନରେ ଓଡ଼ିଶାର କ୍ରୀଡ଼ାବିତ୍ ସୃଷ୍ଟି ଉପାଧ୍ୟାୟ ୧୦୦ମିଟର ବଟର ଫ୍ଲାଏ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
ଆଜି ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, ଓଡ଼ିଶାରେ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ଵାଟିକ୍ ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।
ପ୍ରତିଯୋଗିତାରେ ଭାଗନେଇଥିବା ସମସ୍ତ ପ୍ରତିଯୋଗୀ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ସୁନାମ ଅର୍ଜନ କରିବେ ବୋଲି ମୁଁ ଆଶା କରୁଛି। ଏଥିସହିତ ସମସ୍ତ କ୍ରୀଡ଼ାବିତ୍ମାନଙ୍କର ଉଜ୍ଜଳ ଭବିଷ୍ୟତର କାମନା କରୁଛି। କ୍ରୀଡ଼ା ଓ କ୍ରୀଡ଼ାବିତ୍ମାନଙ୍କର ସାମଗ୍ରିକ ବିକାଶ ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାରେ ସନ୍ତରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ଆଗାମୀ ଦିନରେ ୧୩ ଟି ଜିଲ୍ଲାରେ ୧୩ଟି ସୁଇମିଙ୍ଗ ପୁଲ୍ କମ୍ପ୍ଲେକ୍ସ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ସ୍ବିମିଙ୍ଗ ଫେଡ଼େରେସନ୍ ଅଫ୍ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ମୋନାଲ ଚୋକ୍ସି, ଓଡ଼ିଶା ଷ୍ଟେଟ ସ୍ବିମିଙ୍ଗ ଆସୋସିଏସନ୍ର ଜେନେରାଲ ସେକ୍ରେଟାରୀ ଶ୍ରୀମତୀ ଗୋଲାପମଣି ମହାନ୍ତ, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

© 2023 Odisha Taza News.