No Result
View All Result
ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ମାଲକାନଗିରି ଜିଲ୍ଲାରେ ଚଳିତ ଜୁନ ମାସ ୧୯ ତାରିଖ ଦିନ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମକଡ୍ରିଲ ଅନୁଷ୍ଠିତ ହେବ । ଏହାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମାଲକାନଗିରି ଜିଲ୍ଲା ସବୁ ସମୟରେ ବିପର୍ଯ୍ୟୟର ମୁକାବିଲା କରି ଜନଜୀବନ ସୁରକ୍ଷା ଦେଇ ଆସୁଛି । ବିପର୍ଯ୍ୟୟ କେତେବେଳେ ଆସିବ କେହି କହିପାରିବେ ନାହିଁ କିନ୍ତୁ ପୂର୍ବ ସୂଚନା ପାଇବା ପରେ ଯଦି ସେଗୁଡିକର ପରିଚାଳନା ସଠିକ୍ କରିବା ତେବେ ବିପର୍ଯ୍ୟୟର ମୁକାବିଲା କରିପାରିବା ।
ଏହି ବିପର୍ଯ୍ୟୟର ମୁକାବିଲା ଦିଗରେ ଆମ୍ଭ ମାନଙ୍କୁ ପୂର୍ବ ପ୍ରସ୍ତୁତି କରିବାର ଅଛି । ଯଦି, ସଠିକ୍ ପ୍ରସ୍ତୁତି ଥିବ ଏବଂ ମୁକାବିଲା ଦିଗରେ ଆମେ ପୂର୍ବରୁ ପ୍ରଶିକ୍ଷଣ ନେଇଥିବା ତେବେ ବିପର୍ଯ୍ୟୟର ମୁକାବିଲା ସହଜସାଧ୍ୟ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଜିଲ୍ଲାରେ ହେବାକୁ ଥିବା କାର୍ଯ୍ୟ ଖସଡା ସମ୍ପର୍କରେ ପ୍ରାଞ୍ଜଳ ଭାବେ ଅବଗତ କରାଇଥିଲେ । ଆଗକୁ ବର୍ଷା ଦିନ ଆସିବାର ଅଛି, ସମ୍ଭାବ୍ୟ ବିପର୍ଯ୍ୟୟ ଗୁଡିକର ମୁକାବିଲା କରିବା ଦିଗରେ ଆମ ମାନଙ୍କ ପାଖରେ ରହିଥିବା ସମ୍ବଳ ଗୁଡିକ କିପରି ଉପ ଯୋଗୀ କରିବା ସେ ସମ୍ପର୍କରେ ପ୍ରସ୍ତୁତି ଅଭ୍ୟାସ ବା ମକଡ୍ରିଲ କରିବା ଜରୁରୀ । ଆମ ପାଖରେ ରହିଥିବା ମାନବ ସମ୍ବଳର ଉପଯୋଗ, ଗଚ୍ଛିତ ଥିବା ଯନ୍ତ୍ରାଂଶର ବ୍ୟବହାର, ଜନସାଧାରଣଙ୍କ ବହୁମୁଲ୍ୟ ଜୀବନ ଓ ପଶୁ ସମ୍ପଦର ସୁରକ୍ଷା ନିମନ୍ତେ ରହିଥିବା କୋଠାବାଡିର ଉପଯୋଗ ଇତ୍ୟାଦି କିଭଳି କରିବା ସେଗୁଡିକର ପ୍ରଶିକ୍ଷଣ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି ।.

ବନ୍ୟା ,ବାତ୍ୟା, ବିଜୁଳି, ପାଣିରେ ବୁଡିଯିବା, ସାପ କାମୁଡିବା ଇତ୍ୟାଦି ବିପର୍ଯ୍ୟୟର ମୁକାବିଲା ସକାଶେ ପୂର୍ବ ପ୍ରସ୍ତୁତି ଅପରିହାର୍ଯ୍ୟ । ତେବେ ଯାଇ ଆମେ ସୁରକ୍ଷିତ ରହିବା ଏବଂ ଅନ୍ୟ ଜୀବନକୁ ମଧ୍ୟ ସୁରକ୍ଷା ଦେଇପାରିବା। ସେହିପରି ୧୯ ତାରିଖ ଦିନ ଜିଲ୍ଲାର ସମସ୍ତ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଅନୁଷ୍ଠିତ ହେବ । ସେଥିରେ ଦୈବୀ ଦୁର୍ବିପାକରୁ କିଭଳି ରକ୍ଷା ପାଇପାରିବେ ତାହା ପ୍ରଦର୍ଶନ କରାଯିବ । ଭାରତୀୟ ପାଣିପାଗ ବିଭାଗରୁ ଜିଲ୍ଲାକୁ, ଜିଲ୍ଲାରୁ ବ୍ଲକ୍ କୁ ଏବଂ ବ୍ଲକ୍ ରୁ ବାତ୍ୟା ଆଶ୍ରୟ ସ୍ଥଳକୁ ବୁଲେଟିନ୍ ପ୍ରେରଣ କରାଯିବ । ସେହି ଅନୁସାରେ କିଭଳି ସତର୍କତା ଅବଲମ୍ବନ କରାଯିବ ତାହା ଜନ ସାଧାରଣଙ୍କୁ ପ୍ରଦର୍ଶିତ କରି ସଚେତନ କରାଯିବ । ଏଥିରେ ସମସ୍ତ ଲାଇନ୍ ବିଭାଗ ଯଥା – ଜିଲ୍ଲା ଜରୁରୀକାଳିନ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ,ଜଳସେଚନ, ପୂର୍ତ୍ତ, ଅଗ୍ନିଶମ ସେବା ବିଭାଗ ଇତ୍ୟାଦି ଯୋଗଦେବେ ।
ବିପର୍ଯ୍ୟୟ ସମୟରେ ସମସ୍ତ ସ୍ବେଚ୍ଛାସେବୀ ସଂଗଠନ, ରେଡକ୍ରସ୍ ସଂସ୍ଥା, ଲୋକ ପ୍ରତିନିଧି, ଏନ.ଡି.ଆର୍.ଏଫ୍., ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ସେବା ବିଭାଗ ଏବଂ ରାଜ୍ୟ ସ୍ତରରୁ ଓସଡମା, ଏସ୍.ଆର୍.ସି. ଆଦି କର୍ମଚାରୀଗଣ କିଭଳି ସେବା ଯୋଗାଇବେ ତାହା ପ୍ରଦର୍ଶିତ କରାଯିବ । ବିଦ୍ୟାଳୟ ମହାବିଦ୍ୟାଳୟର ସ୍ବେଚ୍ଛାସେବୀଗଣ, ନେହେରୁ ଯୁବକେନ୍ଦ୍ର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି,) ଜନ୍ ଆମ୍ବୁଲାନ୍ସ, ଆପଦା ମିତ୍ରର ସ୍ବେଚ୍ଛାସେବୀଗଣ, ଗୃହରକ୍ଷୀ ବାହିନୀ ମଧ୍ୟ ଏଥିରେ ସହଯୋଗ କରିବେ। ସେହିପରି ଆଗକୁ ବର୍ଷା ଆସୁଥିବା ହେତୁ ମାଲକାନଗିରି ପୌର ପରିଷଦ ଓ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତ ଗୁଡିକରେ ରହିଥିବା ନାଳ, ନର୍ଦ୍ଦମା ଗୁଡିକର ସଫେଇ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଥିବା ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ।
ଆଜିର ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମିରଞ୍ଜନ ସେନାପତି, ଜିଲ୍ଲା ଜରୁରକାଳୀନ ଅଧିକାରୀ ପ୍ରଫୁଲ୍ଲ ବେହେରା, ପିଏ ଆଇ ଟି ଡି ଏ, ହଳଧର ଶବର ଓ ଓସଡମା ରୁ ରାଜ୍ୟ ସ୍ତରୀୟ ଓବଜରଭର ଅରୁଣ କୁମାର ପ୍ରଧାନ ମଞ୍ଚାସୀନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ,ଅଧ୍ୟକ୍ଷା ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ପୂର୍ବାହ୍ନ ରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଅପରାହ୍ନରେ ସମସ୍ତ ବ୍ଲକ୍ ରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସ୍ତରୀୟ ଏହି ବୈଠକ ଆୟୋଜନ କରିବାରେ ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ ସହଯୋଗ କରିଥିଲେ।

No Result
View All Result