ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) :- ହିଞ୍ଜିଳିକାଟୁ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନ ମିଶନ ଶକ୍ତି ବିଭାଗ ପକ୍ଷରୁ ପଞ୍ଚାୟତ ସମିତି ହିଞ୍ଜିଳିକାଟୁ ପରିସରରେ ମଙ୍ଗଳବାର ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗାଙ୍ଗୀ ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସରସ୍ଵତୀ ସେଠୀ ଏବଂ ସମ୍ମାନିତ ଅତିଥି ଭାବେ ବିଧାୟକଙ୍କ ବ୍ଲକ ପ୍ରତିନିଧି ଏ.ସୁଦର୍ଶନ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗ, ତହସିଲଦାର ତପନ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ବାଇ ଗୀତାଞ୍ଜଳି ଓ ବ୍ଲକ ଉପାଧ୍ୟକ୍ଷ ପ୍ରାମୁଖ ମଞ୍ଚାସୀନ ଥିଲେ।

ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ ପଞ୍ଚାୟତ ସ୍ତରରେ ସଂଗଠିତ ଥିବା ମିଶନ ଶକ୍ତି ସଦସ୍ୟାଙ୍କୁ ଉତ୍ସାହିତ କରିବା ପାଇଁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ବୋଲି ଅତିଥି ମାନେ ଅଭିମତ ପ୍ରକାଶ କରିଥିଲେ। ସ୍ଥାନୀୟ ବ୍ଲକର ୨୧ ଟି ପଞ୍ଚାୟତର ୧୬ ଟି ମିଶନ ଶକ୍ତି ଗ୍ରୁପରୁ ୩ ଜଣ ଲେଖାଏଁ ମୋଟ ୪୮ ଜଣ ସଦସ୍ୟା ଖାଦ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ଉପସ୍ଥିତ ଥିବା ବିଚାରକ ମଣ୍ଡଳୀ ପ୍ରସ୍ତୁତ ଖାଦ୍ୟର ସ୍ବାଦ ଓ ମାନକୁ ନିର୍ଣ୍ଣୟ କରି ପୁରସ୍କାର ଘୋଷଣା କରିଥିଲେ। ପ୍ରତିଯୋଗିତାରେ ଶାସନ ଆମ୍ବଗାଁର ତୁଳସୀ ଏସଏଚଜି ପ୍ରଥମ ସ୍ଥାନ ହାସଲ କରି ପୁରସ୍କାର ରାଶି ବାବଦରେ ୫ ହାଜର ଟଙ୍କାର ଚେକ୍ ଏବଂ ଶିକିରିର ଓଁ ସାଇରାମ ଏସଏଚଜି ଦ୍ଵିତୀୟ ସ୍ଥାନ ହାସଲ କରି ୪ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ବିଚାରକ ମଣ୍ଡଳୀଙ୍କ ନିଷ୍ପତ୍ତିରେ ଅନ୍ୟ ପ୍ରତିଯୋଗୀ ମାନେ ନିରାଶ ହେଇଥିଲେ।















